ଚେନ୍ନାଇ, ୧୨।୫: ତାମିଲନାଡ଼ୁ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି । ସୁପରଷ୍ଟାରରୁ ସଫଳ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କ ନେତୃତ୍ୱରେ ତାମିଲନାଡୁରେ ‘ଟିଭିକେ’ ସରକାର ଗଠନ ହେବା ପରେ, ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ୫୫ ବର୍ଷର ବ୍ୟବଧାନ ପରେ କଂଗ୍ରେସ ପାର୍ଟି ତାମିଲନାଡ଼ୁ ସରକାରରେ ପ୍ରତ୍ୟକ୍ଷ ଭାବେ ଅଂଶୀଦାର ହେବାକୁ ଯାଉଛି । କ୍ଷମତା ଭାଗବଣ୍ଟା ଚୁକ୍ତି ଅନୁଯାୟୀ, ବିଜୟଙ୍କ ମନ୍ତ୍ରିମଣ୍ଡଳରେ କଂଗ୍ରେସକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିବା ନିଶ୍ଚିତ ହୋଇଛି ।

କଂଗ୍ରେସର ୫ ଦଶନ୍ଧିର ଅପେକ୍ଷା ହେବ ଅନ୍ତ:

ତାମିଲନାଡୁ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନମିଳିବା କାରଣରୁ ଏକ ମିଳିତ ସରକାର ଗଠନ କରାଯାଇଛି । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ ସମାରୋହରେ ବିଜୟ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହ ୯ ଜଣ ମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିବା ବେଳେ, ବାକି ଥିବା ସ୍ଥାନରେ କଂଗ୍ରେସ ବିଧାୟକଙ୍କୁ ସ୍ଥାନ ମିଳିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୧୯୬୭ ମସିହା ପରଠାରୁ କଂଗ୍ରେସ ରାଜ୍ୟରେ କୌଣସି ସରକାରର କ୍ୟାବିନେଟ୍‌ରେ ସାମିଲ ହୋଇନାହିଁ ।

୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ବିଜୟଙ୍କ ଟିଭିକେ ପାର୍ଟି ପ୍ରଥମ ଥର ନିର୍ବାଚନ ଲଢ଼ି ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । କିନ୍ତୁ ବହୁମତ ପାଇଁ ଆବଶ୍ୟକ ୧୧୮ ସଂଖ୍ୟାରୁ ପାର୍ଟି ୧୦ଟି ଆସନ ପଛରେ ରହିଯାଇଥିଲା । ଏହି ସଙ୍କଟ ସମୟରେ କଂଗ୍ରେସ ଓ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକ ବିଜୟଙ୍କୁ ସମର୍ଥନ ଦେଇଛନ୍ତି । ଡିଏମକେ ନେତୃତ୍ୱାଧୀନ ମେଣ୍ଟରେ ରହି ୨୮ଟି ଆସନରେ ଲଢ଼ିଥିବା କଂଗ୍ରେସ ମାତ୍ର ୫ଟି ଆସନ ଜିତିବାରେ ସଫଳ ହୋଇଥିଲା । ସଂଖ୍ୟା କମ୍ ଥିଲେ ମଧ୍ୟ ସରକାର ଗଠନ ପାଇଁ କଂଗ୍ରେସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

ରେସ୍‌ରେ ରହିଛି ଦୁଇ ଜଣଙ୍କ ନାଁ:

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ଅଭିଜ୍ଞ ବିଧାୟକଙ୍କ ନାଁ ଏବେ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାର ଶୀର୍ଷରେ ରହିଛି । ମେଲୁର ବିଧାୟକ ପି. ବିଶ୍ୱନାଥନ୍ ଓ କିଲ୍ଲିୟୁର ବିଧାୟକ ଏସ୍. ରାଜେଶ କୁମାର । ଏଆଇସିସି ଜାତୀୟ ପର୍ଯ୍ୟବେକ୍ଷକ ଗିରିଶ ଚୋଡନକର କହିଛନ୍ତି ଯେ, କ୍ୟାବିନେଟ୍‌ରେ ସାମିଲ ହେବା ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଆଲୋଚନା ଜାରି ରହିଛି । କେଉଁ ବିଧାୟକଙ୍କୁ କେଉଁ ଦାୟିତ୍ୱ ମିଳିବ, ସେନେଇ ଅନ୍ତିମ ନିଷ୍ପତ୍ତି ଖୁବ୍‌ଶୀଘ୍ର ନିଆଯିବ ।

​​​​​​​

ଏହା କାହିଁକି ଏକ ଐତିହାସିକ ମୁହୂର୍ତ୍ତ ?

ତାମିଲନାଡ଼ୁ ରାଜନୀତିରେ କଂଗ୍ରେସ ଦୀର୍ଘ ଦିନ ଧରି ଡିଏମକେର ସହଯୋଗୀ ରହିଆସିଛି, କିନ୍ତୁ କେବେ ମନ୍ତ୍ରୀ ପଦ ପାଇନଥିଲା । ୨୦୦୬ରେ ଡିଏମକେ ସରକାରକୁ କଂଗ୍ରେସ ବାହାରୁ ସମର୍ଥନ ଦେଇଥିଲା । ସେତେବେଳେ କଂଗ୍ରେସ ପାଖରେ ୩୪ଟି ସିଟ୍ ଥିଲେ ମଧ୍ୟ କ୍ୟାବିନେଟ୍‌ରେ ସ୍ଥାନ ମିଳିନଥିଲା । କିନ୍ତୁ ବିଜୟଙ୍କ ସରକାରରେ କଂଗ୍ରେସର ଏହି ପ୍ରବେଶ ରାଜ୍ୟ ରାଜନୀତିର ସମୀକରଣ ବଦଳାଇ ଦେଇଛି । ଟିଭିକେ ସରକାରଙ୍କୁ ସମର୍ଥନ ଦେଉଥିବା ଦଳଗୁଡ଼ିକ ହେଲେ କଂଗ୍ରେସ, ସିପିଆଇ, ସିପିଆଇ, ଆଇୟୁଏମଏଲ୍, ଭିସିକେ । ଏହି ସମର୍ଥନ ବଳରେ ବିଜୟ ଏବେ ଜଣେ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବିଜୟଙ୍କ କ୍ୟାବିନେଟରେ କଂଗ୍ରେସ ବିଧାୟକଙ୍କ ସାମିଲ ହେବା ଖବର ଏବେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।