ଚେନ୍ନାଇ, ୧୫/୦୩: ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ । ରବିବାର ତାରିଖ ଘୋଷଣା କରିବେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର । ଆଜି ସଂଧ୍ୟା ପ୍ରେସମିଟ୍ ଜରିଆରେ ତାରିଖ ଘୋଷଣା କରିପାରନ୍ତି ସିଇସି ଜ୍ଞାନେଶ କୁମାର । ଏହା ପୂର୍ବରୁ ତାମିଲନାଡ଼ୁ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଗଡ଼ ଜିତିବାକୁ ଭାରତୀୟ ଜନତା ପାର୍ଟି କସରତ ଆରମ୍ଭ କରି ଦେଲାଣି । କୌଶଳ କ୍ରମେ ବିଜେପି ଦକ୍ଷିଣ ଭାରତରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ ଚଳାଇଛି । ତେଣୁ ତାମିଲନାଡ଼ୁରେ ନୂଆ କରି ପାର୍ଟି ଗଠନ କରିଥିବା ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କୁ ନିର୍ବାଚନୀ ପସାପାଲିରେ ହୁକୁମର ଗୋଟି କରିବାକୁ ଚେଷ୍ଟା ଚଳାଇଛି । ଉଭୟ ପାର୍ଟି ମଧ୍ୟରେ ଗଠବନ୍ଧନ ନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ବୋଲି କୁହାଯାଉଛି ।
ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ବିଜୟଙ୍କ ଦଳ ଟିଭିକେ ଏବଂ ବିଜେପି ମଧ୍ୟରେ ଗଠବନ୍ଧନ ହେବା ନେଇ ଆଲୋଚନା ହେଉଛି । ଏନେଇ ଭାରତୀୟ ଜନତା ପାର୍ଟି ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ଦଳକୁ ୮୦ ବିଧାନସଭା ଆସନ ଛାଡ଼ିବାକୁ ପ୍ରସ୍ତାବ ଦେଇଛି । ଏହା ସହିତ ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ମଧ୍ୟ କହିଛି । ହେଲେ ରିପୋର୍ଟରେ କୁହାଯାଇଛି ଯେ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ଚାହାନ୍ତି । ଯାହାକୁ ନେଇ ତାମିଲନାଡ଼ୁରେ ଗଠବନ୍ଧନ ସମୀକରଣର ପେଞ୍ଚ ଫସିଛି ।
ମଧ୍ୟସ୍ଥତା କରୁଛି BJP! :
ଭାରତୀୟ ଜନତା ପାର୍ଟି ଥାଲାପତି ବିଜୟଙ୍କୁ ମନାଇବାକୁ ବିଭିନ୍ନ ପ୍ରକାର ଉପାୟ ଲଗାଉଛି । ତାଙ୍କୁ ଏବଂ ତାଙ୍କ ପାର୍ଟି ଟିଭିକେକୁ ଏନଡିଏ ସହିତ ଯୋଡ଼ିବାକୁ ମଧ୍ୟ ଯୋଜନା ଚଳାଇଥିବା ରିପୋର୍ଟରେ କୁହାଯାଇଛି । ଅନ୍ୟ ରାଜ୍ୟର ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ଏହି କାର୍ଯ୍ୟରେ ଲଗାଇଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା । ବିଜେପି ଟିଭିକେର ସମର୍ଥନ ଲୋଡ଼ିବାର ମୁଖ୍ୟ କାରଣ ହେଉଛି ଥାଲାପତିଙ୍କ ବିଶାଳ ଲୋକପ୍ରିୟତାରୁ ଫାଇଦା ଉଠାଇବା ।
ବିଜେପି କାହିଁକି ବିଜୟଙ୍କ ସହଯୋଗ ଚାହାଁଛି ?
ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ରଣନୀତିଜ୍ଞମାନେ ମାନନ୍ତି ଯେ, ଏଥର ବିଧାନସଭା ନିର୍ବାଚନରେ ତାମିଲନାଡ଼ୁରେ ‘କାଣ୍ଟେ କି ଟକ୍କର ହେବ’ । ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ମାତ୍ର ଦୁଇ ପ୍ରତିଶତ ଭୋଟର ଅନ୍ତର । ଅଧିକ ଦୁଇ ପ୍ରତିଶତ ଭୋଟ୍ ମିଳିଗଲେ ତାମିଲନାଡ଼ୁ ଭଳି ରାଜ୍ୟରେ କ୍ଷମତା ପରିବର୍ତ୍ତନର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟର ନିର୍ବାଚନ ଇତିହାସକୁ ଲକ୍ଷ୍ୟ କଲେ ପୂର୍ବରୁ ଅନେକ ଥର ବିଜୟ ଖୁବ୍ କମ୍ ମାର୍ଜିନରେ ନିର୍ଣ୍ଣୟ ହୋଇଛି । ତେଣୁ ଏହି ପରିସ୍ଥିତିରେ ବିଜେପିକୁ ଥାଲାପତି ବିଜୟଙ୍କ ସମର୍ଥନ ନିହାତି ଜରୁରୀ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କ’ଣ କହୁଛନ୍ତି ଟିଭିକେର ପରାମର୍ଶଦାତା ?
ଅନ୍ୟପଟେ, BJP ସହିତ ହାତ ମିଳାଇବାର ଖବର ବିଜୟଙ୍କ ନିକଟ ପରାମର୍ଶଦାତାଙ୍କୁ ଚିନ୍ତାରେ ପକାଇ ଦେଇଛି । କେହି କେହି କହୁଛନ୍ତି, ଏତେ ଶୀଘ୍ର ଟିଭିକେ କୌଣସି ଜାତୀୟ ସଂଗଠନର ଅଂଶ ହେବା, ବିଜୟଙ୍କ ସ୍ବାଧୀନ ଛବିକୁ ମିଳିନ କରିବ । ବିଜୟ ତାଙ୍କର ଦଳକୁ ତାମିଲନାଡ଼଼ୁରେ ‘ତୃତୀୟ ବିକଳ୍ପ’ ଭାବରେ ପ୍ରସ୍ତୁତ କରିଛନ୍ତି । ତେଣୁ ବିଜେପି କିମ୍ବା ଏନଡିଏକୁ ସମର୍ଥନ ଦେବା ଠିକ୍ ହେବ ନାହିଁ ବୋଲି ରାଜନୈତିଜ୍ଞମାନେ କହିଛନ୍ତି ।...