ନୂଆଦିଲ୍ଲୀ : ୨୦୨୫ର ତାମିଲନାଡୁ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହାଇ ଡ୍ରାମା । ରାଜ୍ୟପାଳ ଆରଏନ ରବି ଗୃହରେ ଦେଲେ ନାହିଁ ନିଜର ସ୍ୱାଗତ ଅଭିଭାଷଣ। ଜାତୀୟ ସଙ୍ଗୀତ ସମ୍ୱନ୍ଧିତ ଏକ ଗୁରୁତର ମାମଲାକୁ ଦର୍ଶାଇ, ଆଜି ସେ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନ ବେଳେ ନିଜର ପାରମ୍ପରିକ ଅଭିଭାଷଣ ଦେଲେ ନାହିଁ। ରାଜଭବନ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବୟାନ ଅନୁସାରେ , ରାଜ୍ୟପାଳଙ୍କ ବିଧାନସଭା ଆଗମନରେ ଜାତୀୟସଙ୍ଗୀତ ସ୍ଥାନରେ କେବଳ “ ତାମିଲ ତାଇ ଭାଝଦୁ” ରାଜ୍ୟ ସଙ୍ଗୀତ ଗାୟନ ହୋଇଥିଲା।
ରାଜଭବନ କାର୍ଯ୍ୟାଳୟ ଅନୁସାରେ “ ଆଜି ପୁଣି ଥରେ ତାମିଲନାଡୁ ବିଧାନସଭାରେ ଭାରତର ସମ୍ବିଧାନ ଓ ଜାତୀୟ ସଙ୍ଗୀତର ଅପମାନ କରାଯାଇଛି। ଜାତୀୟ ସଙ୍ଗୀତର ସମ୍ମାନ କରିବା ଆମର ସମ୍ୱିଧାନରେ ନିହିତ ପ୍ରଥମ ମୌଳିକ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ। ରାଜ୍ୟପାଳଙ୍କ ଅଭିଭାଷଣର ଆରମ୍ଭ ଓ ଅନ୍ତରେ ଏହାକୁ ସବୁ ରାଜ୍ୟ ବିଧାନସଭାରେ ଗାୟନ କରାଯାଏ। ଆଜି ରାଜ୍ୟପାଳଙ୍କ ଗୃହରେ ଆଗମନରେ କେବଳ ତାମିଲ ତାଇ ଭାଝଦୁ ଗାୟନ ହେଲା । ରାଜ୍ୟପାଳ ଗୃହକୁ ଏହାର ସାମ୍ୱିଧାନିକ କର୍ତ୍ତବ୍ୟକୁ ସ୍ମରଣ କରାଇ ଥିଲେ ଏବଂ ଗୃହର ନେତା ମାନନୀୟ ମୁଖ୍ୟମନ୍ତ୍ରୀ ଓ ମାନନୀୟ ବାଚସ୍ପତିଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ଜୋରଦାର ଅପିଲ କରିଥିଲେ। ହେଲେ ସେ ମନା କରିଦେଲେ। ଏହା ଗମ୍ଭୀର ଚିନ୍ତାର ବିଷୟ । ସମ୍ୱିଧାନ ଓ ଜାତୀୟ ସଙ୍ଗୀତର ଏହିପରି ଲଜ୍ଜାକର ଅପମାନର ଭାଗିଦାରୀ ନହେବାକୁ , ରାଜ୍ୟପାଳ ଖୁବ୍ ଯନ୍ତ୍ରଣାବୋଧ କରି ଗୃହରୁ ପ୍ରସ୍ଥାନ କରିଥିଲେ।”
ଅନ୍ୟପଟେ କଂଗ୍ରେସ ଓ ଡିଏମକେ ଏହି କାର୍ଯ୍ୟ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ବିଧାନସଭାର ବାଚସ୍ପତି ରାଜ୍ୟପାଳଙ୍କ ଅଭିଭାଷଣର ଅନୁବାଦିତ ସଂସ୍କରଣ ପଢି ଚାଲି ଥିଲେ। ତାମିଲନାଡୁ କଂଗ୍ରେସ ଅଧ୍ୟକ୍ଷ ସେଲଭାପେରୁନ୍ଥଗଇ କହିଛନ୍ତି , ରାଜ୍ୟପାଳ ତାମିଲନାଡୁର ଲୋକ ଓ ପୁଲିସର ବିରୋଧରେ। ସେ ବିଧାନସଭାର କୌଣସି ପ୍ରସ୍ତାବ ସ୍ୱୀକାର କରନ୍ତି ନାହିଁ ...ମୁଁ କେବଳ ଏତିକି କହି ପାରିବି କି, ଅନ୍ନା ବିଶ୍ୱବିଦ୍ୟାଳର ଭାଇସ୍ ଚ୍ୟାନ୍ସଲେରଙ୍କ ନିଯୁକ୍ତି ହୋଇନାହିଁ ଏବଂ ଏଥିପାଇଁ ଆମେ ବିରୋଧ କରୁଛୁ।
ସୂଚନା ଆଧାରରେ , ରାଜ୍ୟପାଳ ଯିବାର କିଛି ସମୟ ପରେ ଅନ୍ନା ବିଶ୍ୱିବିଦ୍ୟାଳୟର ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନର ବିରୋଧରେ ଏଆଇଏଡିଏମକେ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଥିଲା। ବାଚସ୍ପତି ମାର୍ଶଲଙ୍କୁ ବିରୋଧ ପ୍ରଦର୍ଶକାରୀ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ଆଦେଶ ଦେଇଥିଲେ। ଅନ୍ନା ବିଶ୍ୱବିଦ୍ୟାଳୟର ମାମଲାରେ ପିଏମକେ ଓ ବିଜେପି ମଧ୍ୟ ୱାକଆଉଟ୍ କରିଥିଲା। ଏହି ଅଧିବେଶନ କ୍ଷମତାସୀନ ଡିଏମକେ ସରକାର ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବାର ଅନୁମାନ କରାଯାଉଛି। ଅନ୍ନା ବିଶ୍ୱବିଦ୍ଯାଳୟ ଯୌନ ଉତ୍ପୀଡ଼ନ ମାମଲାରେ ବିଭିନ୍ନ ରାଜନୀତିକ ଦଳ ମାନେ ସରକାରକୁ ଘେରିଛନ୍ତି ଏବଂ ଡିଏମକେ ସରକାର ଉପରେ ଉକ୍ତ ମାମଲାରେ ମନ୍ଥର ଗତିରେ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଲଗେଇଛି।