ନୂଆଦିଲ୍ଲୀ ୦୧/୦୯: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଅଭିନେତା ବୀର ପହରିୟାଙ୍କୁ ଡେଟ୍ କରୁଥିବା ନେଇ କିଛି ମାସ ହେଲା ଚର୍ଚ୍ଚା ଚାଲିଥିଲା । ତାରା ଏବେ ଇନ୍ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେମାନଙ୍କ ସଂପର୍କକୁ ସାର୍ବଜନୀନ କରିଥିବା କୁହାଯାଉଛି । ଶନିବାର ଗଣେଶ ପୂଜା ପାଳନର କିଛି ଫଟୋକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ସେଥିମଧ୍ୟରୁ ଗୋଟିଏ ଫଟୋରେ ତାଙ୍କୁ ବୀରଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ପୋଜ୍ ଦେଇଥିବା ଦେଖିବାକୁ ମିଳୁଛି । କ୍ୟାପସନ୍ରେ ତାରା ଲେଖିଛନ୍ତି, ‘ଭକ୍ତି, ବିଶ୍ୱାସ ଏବଂ ଉତ୍ସବ ପାଳନ... ଗଣପତି ବାପ୍ପା ମୋରୟା ।’ ସେହି ଫଟୋଟି ଦେଖିବା ପରେ ଦମ୍ପତି ସେମାନଙ୍କ ପ୍ରେମକୁ ସାର୍ବଜନୀନ କରିଥିବା ଚର୍ଚ୍ଚା ଚାଲିଛି ।
ଫଟୋରେ ତାରା ଭାରୀ ଏମ୍ବ୍ରୟଡୋରୀ ହୋଇଥିବା ଏକ ଅଫ୍ ହ୍ୱାଇଟ୍ ଶାଢ଼ି ଓ ପାରମ୍ପରିକ କୁନ୍ଦନ ଗହଣା ପିନ୍ଧିଛନ୍ତି । କେଶରେ ସେ ଧଳା ରଙ୍ଗର ଫୁଲ ଲଗାଇଛନ୍ତି । ବୀର ତାଙ୍କ ସହ ମ୍ୟାଚିଂ କରି ଧଳା ପୋଷାକ ପିନ୍ଧିଛନ୍ତି । ତାରା ପିନ୍ଧିଥିବା ଶାଢ଼ିର ଦାମ୍ ପ୍ରାୟ ୪ ଲକ୍ଷ ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଚଳିତବର୍ଷ ଏକ ଫ୍ୟାଶନ୍ ଶୋ’ ସହ ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ସେମାନେ ପରସ୍ପରର ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ମଧ୍ୟ ପ୍ରଶଂସାଜନକ ଟିପ୍ପଣୀ ରଖୁଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ତାରା ଏବେ କନ୍ନଡ଼ ଓ ଇଂରାଜୀ ଭାଷାରେ ରିଲିଜ୍ ହେବାକୁ ଥିବା ଏକ ଫିଲ୍ମ ଲାଗି ସୁଟିଂ କରୁଛନ୍ତି । ତାର ଶିରୋନାମା ରହିଛି ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ରୋନ୍ ଅପ୍ସ’ । ଆସନ୍ତାବର୍ଷ ଫିଲ୍ମଟି ରିଲିଜ୍ ହେବ ।