ରବି, ଗୌତମ, କୃଷ୍ଣଙ୍କ ସହଯୋଗରେ ହେବ ବିକାଶ: ତାରା

ଜୟପୁର,୨୫ା୫(ବ୍ୟୁରୋ): ଜୟପୁର ନିର୍ବାଚନମଣ୍ଡଳୀର ସମ୍ପୂର୍ଣ୍ଣ ବିକାଶ କରାଯିବ । ଜଗନ୍ନାଥ ସାଗର ପୁନରୁଦ୍ଧାର ହେବ । ରାସ୍ତାଘାଟରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା ପ୍ରତିଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ । ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ, ବିଜେଡିର ରବିନାରାୟଣ ନନ୍ଦ, ବିଏସ୍ପିର କୃଷ୍ଣ ସଗରିଆଙ୍କ ମଧ୍ୟ ଏଥିରେ ସହଯୋଗ ରହିବ । ଜୟପୁର ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାରାପ୍ରସାଦ ବାହିନୀପତି ଏହା କହିଛନ୍ତି । ବିକାଶ କାର୍ଯ୍ୟକୁ କେହି ରୋକିପାରିବେ ନାହିଁ ବୋଲି କହିଛନ୍ତି ।
ଶନିବାର ଟାଉନ କଂଗ୍ରେସ ପକ୍ଷରୁ ସ୍ଥାନୀୟ ରଜାନଅର ଛକରେ ସାଧାରଣ ସଭାର ଆୟୋଜନ ହୋଇଥିଲା । ଶ୍ରୀ ବାହିନୀପତି କହିଛନ୍ତି, ସେ ପୂର୍ବରୁ ଏଠାରେ ବିଧାୟକ ଥିଲେ । ସେତେବେଳେ ନିର୍ବାଚନମଣ୍ଡଳୀର ରାସ୍ତାଘାଟରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷାକୁ ପ୍ରାଥମିକତା ଦେଇ ଆସୁଥିଲେ । ଏପରିସ୍ଥଳେ, ଉନ୍ନୟନ କାର୍ଯ୍ୟ ଚାଲୁ ରହିବା ସହ ନୂଆ ଯୋଜନାମାନ କରାଯାଇ ବିକାଶ ତ୍ୱାରାନ୍ୱିତ କରାଯିବ । ପ୍ରାଥମିକତା ଭିତ୍ତିରେ ଜଗନ୍ନାଥ ସାଗରର ପୁନରୁଦ୍ଧାର କରାଯିବ । ଏହି ଉଦ୍ୟମ ପୂର୍ବରୁ ଚାଲିଥିଲା । କୌଣସି କାରଣରୁ ବନ୍ଦ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଐତିହାସିକ ସାଗର ନିଶ୍ଚିତ ଝଲସିବ । ଏଠାରେ ଲୋକେ କିପରି ଶାନ୍ତିରେ ରହିବେ ତାହାକୁ ପ୍ରାଧ୍ୟାନ୍ୟ ଦେବେ । ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ୍ର ପଦକ୍ଷେପକୁ ସେ ସ୍ୱାଗତ କରି ଜାରି ରଖିବାକୁ କହିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପଛଘୁଞ୍ଚା କେବେ ବି ଦେବେନାହିଁ ବୋଲି କହିଛନ୍ତି । ଜଣେ ବିଧାୟକ ଚାହିଁଲେ ଅଞ୍ଚଳର ବିକାଶ ହୋଇପାରି ନାହିଁ । ଏଥିପାଇଁ ଲୋକଙ୍କ ସମର୍ଥନ ଦରକାର । ଦଳବଳ, ଜାତିଗତ ନିର୍ବିଶେଷରେ ସମସ୍ତଙ୍କୁ ନେଇ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ନଗର କଂଗ୍ରେସ କମିଟିର ନରି ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।