ଭୁବନେଶ୍ୱର,୧୬/୦୫: ନୀଳ ଅର୍ଥନୀତିର ହବ୍ ହେବ ଓଡ଼ିଶା । ରାଜ୍ୟରେ ନୀଳ ଅର୍ଥନୀତି ବିକାଶକୁ ସରକାରଙ୍କ ଗୁରୁତ୍ୱ । ଏହାର ରୋଡ୍ମ୍ୟାପ୍ ପ୍ରସ୍ତୁତି ଉପରେ ଆଲୋଚନା ଆରମ୍ଭ ହୋଇଥିଲା ବେଳେ ନିରୀକ୍ଷଣ ଓ ସମନ୍ୱୟ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯିବ । ବିଶେଷଜ୍ଞ, ଗବେଷଣା ସଂସ୍ଥା ଓ ବାୟୋ ଟେକ୍ନୋଲୋଜି ଉଦ୍ୟୋଗ ସଙ୍ଗଠନମାନଙ୍କୁ ନେଇ ଏକ ଟେକ୍ନିକାଲ୍ ଆଡଭାଇଜରି ଗ୍ରୁପ୍ ବି ଗଢ଼ା ହେବ । ସମନ୍ୱିତ ଯୋଜନା, ଭାଗିଦାରୀ ଧାର୍ଯ୍ୟ ଲକ୍ଷ୍ୟ ନେଇ ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଆନ୍ତଃ ବିଭାଗୀୟ ସମନ୍ୱୟ କରି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଥିଲା ।

ଗତ ମାର୍ଚ୍ଚରେ ଭୁବନେଶ୍ୱରରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିସ ଆଧାରରେ ନୀଳ ଅର୍ଥନୀତି ରୋଡ୍ମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧାରୀ ଏଥିପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ । ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନୋଡାଲ୍ ବିଭାଗ ଭାବେ କାର୍ଯ୍ୟ କରିବ । ଏଥିସହିତ ଜଙ୍ଗଲ, ଜଳ ସମ୍ପଦ, ଶକ୍ତି, ବିଜ୍ଞାନ ଓ ପ୍ରଯୁକ୍ତି, ବାଣିଜ୍ୟ ଓ ପରିବହନ, ପର୍ଯ୍ୟଟନ ବିଭାଗର ସମନ୍ୱୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର୍ ନଲେଜ୍ ପାର୍ଟନର୍ ଭାବେ ସହଯୋଗ କରିବ । ନୀଳ ଅର୍ଥନୀତି ହବ୍ (ବିହବ୍) ସ୍ଥାପନ ହେବ ।

ଆହୁରି ପଢନ୍ତୁ-Mafia Raj: ମୋରମ ମାଫିଆଙ୍କ ଆତଙ୍କରାଜ, କନିଷ୍ଠ ଖଣି ଅଧିକାରୀଙ୍କୁ ଆକ୍ରମଣ, ଜୀବନରୁ ମାରି ଦେବାକୁ ଧମକ

ଏଥିରେ ଚିଙ୍ଗୁଡ଼ି ଚାଷକୁ ବୈଜ୍ଞାନିକ ଭାବେ ବିକାଶ କରିବା ସହ ରପ୍ତାନି ଓ ଆୟ ବୃଦ୍ଧି ଏବଂ ଉପକୂଳ ଅଞ୍ଚଳରେ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶା ଶ୍ରିମ୍ପ ମିଶନ କରାଯିବ । ଗଭୀର ସମୁଦ୍ରରେ ମାଛ ଧରିବା (ଡିପ୍ ସି ଫିସିଂ ମିଶନ), କୃତ୍ରିମ ପ୍ରବାଳ ସୃଷ୍ଟି, ସମୁଦ୍ର ଆଧାରିତ ମାଛ ଚାଷ, ସି-ୱିଡ୍ ଚାଷ, ଫିସର୍ ଫ୍ରେଣ୍ଡ୍ ମୋବାଇଲ ଆପ୍ ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ପାଣିପାଗ ଓ ସମୁଦ୍ର ସୂଚନା ପ୍ରଦାନ କରାଯିବ । ଧାମରା, ପାରାଦୀପ, ଚାନ୍ଦିପୁର ଓ ଅସ୍ତରଙ୍ଗରେ ମାଛ ଧରା ବନ୍ଦରର ଆଧୁନିକୀକରଣ, ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ହାଇଜେନିକ୍ ହୋଲସେଲ୍ ମାର୍କେଟ୍, ସମନ୍ୱିତ ଆକ୍ୱା ପାର୍କ ଓ ଉଚ୍ଚ ମୂଲ୍ୟଯୁକ୍ତ ପ୍ରଜାତିର ମାଛ, କଙ୍ଗଡ଼ା ହ୍ୟାଚେରୀ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ସମସ୍ତ ବିଭାଗର ଯୋଗଦାନ ସମ୍ପର୍କରେ ସେମାନଙ୍କର ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ରୋଡ୍ମ୍ୟାପ୍ ପ୍ରସ୍ତୁତିରେ ସହାୟକ ହେବ । ସମ୍ପୃକ୍ତ ପ୍ରତ୍ୟେକ ବିଭାଗରୁ ଜଣେ ଜଣେ ନୋଡାଲ୍ ଅଧିକାରୀ ମନୋନିତ କରିବାକୁ ନିର୍ଦ୍ଦେଶ ହୋଇଛି ।