ବକେୟା ବିଲ୍ ଆଦାୟ ପାଇଁ ଯିବାରୁ ଟାଟା ପାୱାର ସ୍କ୍ୱାଡ଼୍ ଟିମ୍ ଉପରେ ଆକ୍ରମଣ

ରାୟଗଡ଼ା,୨୪/୦୩: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଟାଟା ପାୱାର ସ୍କ୍ବାଡ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ବେଆଇନ ବିଦ୍ୟୁତ ସଂଯୋଗ ଯାଞ୍ଚ ଓ ବକେୟା ବିଲ୍ ଆଦାୟ ପାଇଁ ଯାଇଥିବା ଟିମ୍ ଉପରେ ଏହି ଆକ୍ରମଣ ଅଭିଯୋଗ ହୋଇଛି। ଘଟଣା ନେଇ ଟାଟା ପାୱାର ପକ୍ଷରୁ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଟାଟା ପାୱାର କର୍ମଚାରୀମାନେ ନୂଆପଡା ଗ୍ରାମକୁ ବିଦ୍ୟୁତ ଯାଞ୍ଚ ଓ ବକେୟା ବିଲ୍ ଟଙ୍କା ଆଦାୟ ପାଇଁ ଯାଇଥିଲେ। ସେହି ସମୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ଅନ୍ୟ ସ୍ଥାନରୁ ନେଇଥିବା ବେଳେ ତାହାକୁ କାଟି ଦେଇଥିଲେ ସ୍କ୍ବାଡ ଟିମ୍। ଏହାପରେ ସେମାନେ ସେଠାରୁ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ତିନି ଜଣ ବ୍ୟକ୍ତି ଜେକେପୁର ସ୍ଥିତ ଟାଟା ପାୱାର ସେକ୍ସନ ଅଫିସ ଯାଇ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଏଥିରେ ଟାଟା ପାୱାର କର୍ମଚାରୀ ତଥା କିରାଣୀ ବିଶ୍ବାବସୁ ରାଜଗୁରୁ, ଲାଇନମ୍ୟାନ ଚିତ୍ରସେନ ଲେଙ୍କା ଓ ସହକାରୀ ଯନ୍ତ୍ରୀ ମହେନ୍ଦ୍ର ପରିଡ଼ା ଆହତ ହୋଇଛନ୍ତି।
ରାଜଗୁରୁଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଛି। ତାଙ୍କୁ ଜେକେପୁର ସ୍ଥିତ ଇଏସଆଇ ମେଡିକାଲ ଠାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳିକି ସେକ୍ସନ ଅଫିସରୁ ୧୦ ହଜାର ଟଙ୍କା ଗାଏବ ହୋଇଥିବା ମଧ୍ୟ ନିଜର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି କର୍ମଚାରୀ। ସହକାରୀ ଯନ୍ତ୍ରୀ ମହେନ୍ଦ୍ର ପରିଡ଼ା ଏହି ଅଭିଯୋଗ ଚାନ୍ଦିଲି ଥାନାରେ ଲିଖିତ ଭାବେ ଦାଖଲ କରିଛନ୍ତି। ଘଟଣା ସମ୍ପର୍କରେ ଏସଡିପିଓ ଦେଵଜ୍ୟୋତି ଦାସ କହିଛନ୍ତି ଯେ, ଏହି ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରାଯାଉଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।