ଲୋୟର ପିଏମ୍ଜିରେ ଭିକ୍ଷା ମାଗିଲେ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଶିକ୍ଷାଦାନ ଛାଡ଼ି ଆଜି ଲୋୟର ପିଏମ୍ଜିରେ ଭିକ୍ଷା ମାଗିଛନ୍ତି ହଜାର ହଜାର କନିଷ୍ଠ ଶିକ୍ଷକ(ଶିକ୍ଷା ସହାୟକ) । ସରକାରଙ୍କ ଅବହେଳା ପ୍ରତିବାଦରେ ଶିକ୍ଷକମାନେ ଏକାଠି ହୋଇ ଭିକ୍ଷା ମାଗି ଆନ୍ଦୋଳନ କରିଥିଲେ । ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ୪ ଦଫା ଦାବି ନେଇ ସମସ୍ତେ ନିଜ ହକ୍ ପାଇଁ ବିକ୍ଷୋଭ କରିଛନ୍ତି । ଆଜିଠାରୁ ବି.ଏଡ୍ ଶିକ୍ଷା ସହାୟକ ସଂଘ ଗାନ୍ଧିମାର୍ଗରେ ଗଣଧାରଣା ଦେଇଛନ୍ତି । ସଂଘର ସଭାପତି ଅଜୟ କୁମାର ଧଳ କହିଛନ୍ତି, ସରକାର ଆମକୁ ଏଠାକୁ ଆସି ଭିକ୍ଷା ମାଗିବାକୁ ବାଧ୍ୟ କରିଛନ୍ତି । ବାରମ୍ବାର ଦାବି ସତ୍ତେ୍ୱ ଆମ କଥା ଶୁଣୁନାହାନ୍ତି । ସରକାର ଖୁବଶୀଘ୍ର ୧.୧.୨୦୧୬ ମସିହାଠାରୁ ସମସ୍ତ କନିଷ୍ଠ ଶିକ୍ଷକ ତଥା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ କେନ୍ଦ୍ରୀୟ ପି.ଏବି ଅନୁମୋଦିତ ହାରରେ ଦରମା ପ୍ରଦାନ କରନ୍ତୁ । ୨୦୧୧ ମସିହା ପରଠାରୁ ବିଜ୍ଞାପନ ଆଧାରରେ ନିଯୁକ୍ତ ସମସ୍ତ ଟିଜି ଶିକ୍ଷକଙ୍କୁ ବିଷୟଭିତ୍ତିକ ଶିକ୍ଷକ ଭାବେ ନିୟମିତ କରନ୍ତୁ । ଶିକ୍ଷକଙ୍କ ମୂଳ ଦରମା ୯୩୦୦ ଟଙ୍କା ଓ ଗ୍ରେଡ୍ ପେ’ ୪୨୦୦ ଟଙ୍କା ପ୍ରଦାନ କରନ୍ତୁ । ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ଗୋଟିଏ ଜିଲ୍ଲାରେ ସୀମିତ ନରଖି ଅନ୍ୟ ଜିଲ୍ଲାକୁ ବଦଳିର ସୁଯୋଗ ପ୍ରଦାନ କରାଯାଉ । ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବେ ଶିକ୍ଷକ ପଦବୀ ସୃଷ୍ଟି କରାଯାଇ ବିଜ୍ଞାପନ ଆଧାରରେ ଟିଜିଟି ଭିତ୍ତିରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ସେହି ପଦବୀରେ ଅବସ୍ଥାପିତ କରାଯାଉ । ସରକାର ଖୁବଶୀଘ୍ର ଯଦି ଏ ଦାବି ଗୁଡ଼ିକ ପୂରଣ ନକରନ୍ତି ତେବେ ଏ ଆନ୍ଦୋଳନ ଆହୁରି ବ୍ୟାପକ ହେବ । ଏହା ପରେ ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ସମସ୍ତ ଶିକ୍ଷକ ନିର୍ବାଚନ ଡ୍ୟୁଟି ବର୍ଜନ କରିବା ସହ ସାଧାରଣ ନିର୍ବାଚନକୁ ମଧ୍ୟ ବର୍ଜନ କରିବେ । ଏହା ସହ ସମୂହ ଇସ୍ତଫା ଦେବେ ବୋଲି ଶିକ୍ଷକମାନେ ଆଜି ଆନ୍ଦୋଳନରେ ଚରମ ବାଣୀ ଶୁଣାଇ ଦେଇଛନ୍ତି । ଧାରଣାରେ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, ମହାସଚିବ ଉମେଶ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ଉପସଭାପତି ନୃସିଂହ ଚରଣ ସାହୁ, ଆବାହକ ରୂପେଶ କୁମାର ସାହୁ, ରାଜ୍ୟ ସଂଯୋଜକ ଲଲାଟେନ୍ଦୁ ମହଲ, ଜୋନ୍ ସଂଯୋଜକ ପଦ୍ମଲୋଚନ ଘଡ଼େଇ ପ୍ରମୁଖ ଯୋଗ ଦେଇଛନ୍ତି ।