ନକଲି ପ୍ରମାଣପତ୍ର ନେଇ ଜଣେ ଶିକ୍ଷକ ବହିଷ୍କୃତ

ପୁରୁଣାକଟକ ୨୬ା୫: ଶିକ୍ଷା ବିଭାଗରେ ନକଲି ପ୍ରମାଣପତ୍ର ଦେଇ ଚାକିରୀକୁ ନେଇ ପୁଣି ଚର୍ଚ୍ଚା । ନକଲି ବିଇଡି ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ନେଇ ଜଣାପଡିବା ପରେ ଜଣେ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିବା ଜଣାଯାଇଛି । ଜିଲ୍ଲ ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝିଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ନକଲି ପ୍ରମାଣପତ୍ର ଦେଇ ଚାକରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ଡିସେମ୍ବର ମାସରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନୋଦ ଷଡଙ୍ଗୀଙ୍କ ବିଇଡି ପ୍ରମାଣପତ୍ର ନକଲି ଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅବଗତ କରାଯିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ତତ୍କାଳୀନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି ଆଦେଶକୁ କାର୍ଯ୍ୟକାରୀ ନକରାଇ ସମୟ ଗଡେଇ ଚାଲିଥିଲେ ।
ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଷଡଙ୍ଗୀଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ସେହିପରି ସଂପୃକ୍ତ ବ୍ଲକର ତିନି ଜଣ ଶିକ୍ଷୟତ୍ରୀ ରାୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିତମ୍ବିନୀ ନନ୍ଦ, ସାତଖଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉତ୍ତମା ଜାନୀ ଓ ଆଡେଣୀଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନସୂୟା ନାଏକ ଗୋଟିଏ ସମୟରେ ଦୁଇଟି ଶିକ୍ଷାଗତ ପ୍ରମାଣପତ୍ର ହାସଲ କରି ଦାଖଲ କରିଥିବା ନେଇ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହିତ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ମାଝିି ସୂଚନା ଦେଇଛନ୍ତି । ଜିଲ୍ଲାରେ ଆହୁରି ଅନେକ ଶିକ୍ଷକ ନକଲି ପ୍ରମାଣପତ୍ର ନେଇ ଚାକରି କରୁଥିବା ଅଭିଯୋଗ ହେଉଥିବାବେଳେ ତଦନ୍ତ ହେଲେ ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।