କେନ୍ଦୁଝର ସଦର,/୧୧:  ସରକାରୀ ବିଦ୍ୟାଳୟ ଗୁଡିକରେ ସରକାର ମାଳ ମାଳ ଯୋଜନା କରି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଉଛି  ମାତ୍ର ଶିକ୍ଷକ ଅଭାରୁ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ସମ୍ପୂର୍ଣ୍ଣ  ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି ଯାହା ଫଳରେ ଗୁଣାତ୍ମକ ଶିକ୍ଷା ଆଶା ଚୁଲିକୁ ଯାଉଛି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ସମସ୍ତ ବିଦ୍ୟାଳୟ ଗୁଡିକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି

କେନ୍ଦୁଝର ସଦର ବ୍ଲକରେ ସମୁଦାୟ ୨୪୪ ବିଦ୍ୟାଳୟ ଥିବା ବେଳେ ୧୮୫୭୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ୧୨ ରୁ ଅଧିକ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ସଦର ବ୍ଲକରେ ଶିଶୁ ବାଟିକାରେ ତିନି ହଜାର ଶିଶୁ ଅଧ୍ୟୟନରତ ରହିଛନ୍ତି । ବ୍ଲକରେ ୭୧ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଛନ୍ତି । ସମୁଦାୟ ଶିକ୍ଷକ ସଂଖ୍ୟା ୬୯୪ ଜଣ ରହିଥିବା ବେଳେ ସେଥି ମଧ୍ୟରୁ ବିଏଲୋ( ବୁଥ୍ ଲେବୁଲ୍ ଅଫିସର)କାମରେ ୨୯୨ ଜଣ ଏବଂ ସିଆରସିସିରେ ୧୬ ଜଣ ଶିକ୍ଷକ ନିୟୋଜିତ ରହିଛନ୍ତି। ତେବେ ଦେଖିବାକୁ ଗଲେ ୩୫୦ ପାଖାପଖି ଶିକ୍ଷକ ଶିକ୍ଷା ଦାନରେ ରହୁଥିବା ବେଳେ ନେକ ସମୟରେ ବିଦ୍ୟାଳୟରେ ଅନ୍ୟାନ୍ୟ କାମ ଯୋଗୁଁ ଶିକ୍ଷାଦାନ ଠପ୍ ହୋଇ ପଡ଼ିଛି।

ବିଦ୍ୟାଳୟ ଗୁଡିକରେ ଦିନକୁ ଦିନ ଶ୍ରେଣୀ ବୃଦ୍ଧି ସହିତ ଛାତ୍ରଛାତ୍ରୀ ସଂଖ୍ୟା ବଢୁଛି । ହେଲେ ଶିକ୍ଷକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଯାହାଫଳରେ ଗୁଣାତ୍ମକ ମାନର ଶିକ୍ଷାଦାନ ଅସମ୍ଭବ ହୋଇଗଲାଣି । ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଜଡ଼ିପଦା ସରକାର ଉଚ୍ଚ ପ୍ରଥାମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ସାଙ୍ଗକୁ ଶିଶୁ ବାଟିକା ପର୍ଯ୍ୟନ୍ତ ମୋଟ ୧୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢୁଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷକ ବିଏଲୋ ସାଙ୍ଗକୁ ବିଦ୍ୟାଳୟର ଅନ୍ୟାନ୍ୟ କାମରେ ରହୁଥିବା ବେଳେ ଜଣେ ଶିକ୍ଷୟିତ୍ରୀ ୧୬୦ ପିଲାଙ୍କ ଶ୍ରେଣୀ ପ୍ରତି ପାଞ୍ଚରୁ ଛଟି ବହି କେମିତି ପଢ଼ାଉଥିବେ ତାହା ସହଜେ ଅନୁମେୟ ହେଉଥିବ । ଏଠାରେ କେବଳ ଉପସ୍ଥାନ ପଡ଼ିଲା ପରେ ପଢା ହୁଏ ନାହିଁ। ସେହିପରି ରୁକୁଣାଦେଈପୁର, ଦାବାଙ୍କ, ପଦ୍ମପୁର, କାଠବାଉଁଶୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ସମସ୍ୟା  ଦୋଖିବାକୁ ମିଳିଛି ଗ୍ରାମାଞ୍ଚଳ ଗୁଡିକରେ ସଚେତନ ନାଗରିକମାନେ ତାଙ୍କ ଛୁଆଙ୍କୁ ସହରକୁ ନେଇ ଘରୋଇ ବିଦ୍ୟାଳୟରେ ନାମ ଲେଖିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି।