ସାକିବଙ୍କ ଘାତକ ବୋଲିଂ ଆଗରେ ଫେଲ୍ ମାରିଲା ଟପ୍ ଅର୍ଡର, ମାତ୍ର ୧୮୬ ରନରେ ଅଲଆଉଟ୍ ଭାରତ

ଢାକା ୦୪/ ୧୨: ଫେଲ୍ ମାରିଲା ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ । ଫେଲ୍ ମାରିଲେ ଅଧିନାୟକ ରୋହିତ ଶର୍ମା, ଶିଖର ଧାଓ୍ବନ, ବିରାଟ କୋହଲି ଶ୍ରେୟସ ଆୟର । ୫ ନମ୍ବରରେ ବ୍ୟାଟିଂ ଆସି ସମ୍ମାନ ବଞ୍ଚାଇଛନ୍ତି ଲୋକେସ ରାହୁଲ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ରବିବାର ପ୍ରଥମ ଦିନିକିଆ ଢାକାର ସେର୍-ଇ-ବାଂଲା ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଟିମ୍ ଇଣ୍ଡିଆ ୪୧.୨ ଓଭରରେ ହିଁ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୮୬ ରନ । ବାଂଲାଦେଶକୁ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୧୮୭ ରନ କରିବାକୁ ହେବ । ଭାରତ ପକ୍ଷରୁ ଲୋକେସ ରାହୁଲ ଏକମାତ୍ର ବ୍ୟାଟର ଭାବେ ବଡ ଇନିଂସ ଖେଳିବା ସହ ସମ୍ମାନ ରକ୍ଷା କରିଛନ୍ତି । ରାହୁଲ ୭୦ ବଲରୁ ୫ଟି ଚୌକା ଏବଂ ୪ଟି ଛକା ସହାୟତାରେ ୭୩ ରନ କରିଛନ୍ତି ।
ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା ଭାରତ । ଓପନର ଶିଖର ଧାଓ୍ବନ ମାତ୍ର ୭ ରନ କରି ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ରୋହିତ ଶର୍ମା ୨୭ ରନ କରି ପୁଣି ଫେଲ୍ ମାରିଛନ୍ତି । ସେହିଭଳି ବିରାଟ କୋହଲି ମାତ୍ର ୯ରନ କରି ସାକିବ ଅଲ୍ ହାସନଙ୍କ ଶିକାର ହୋଇଛନ୍ତି । ଶ୍ରେୟସ ଆୟର ୨୪ ରନ କରି ଆଉଟ ହୋଇଥିବା ବେଳେ ଲୋକେସ ରାହୁଲ ଉପଯୋଗୀ ଇନିଂସ ଖେଳିଛନ୍ତି । ରାହୁଲ ବ୍ୟକ୍ତିଗତ ଭାବେ ୭୩ ରନ କରିଛନ୍ତି । ଓ୍ବାଶିଂଟନ ସୁନ୍ଦର ୧୯ରନ କରି ଆଉଟ ହୋଇଥିବା ବେଳେ ଶାହବାଜ ଅହମଦ ୦ରନ, ଶାର୍ଦ୍ଦୁଳ ଠାୁକର ୨ରନ, ଦୀପକ ଚହର ୦, ମହମ୍ମଦ ସିରାଜ ୯ରନ କରି ଆଉଟ ହୋଇଛନ୍ତି । କୁଲଦୀପ ସେନ ୨ରନ କରି ଅପରାଜିତ ଅଛନ୍ତି ।
ବାଂଲାଦେଶ ପକ୍ଷରୁ ସାକିବ ଅଲ୍ ହାସନ ୧୦ ଓଭରରେ ୩୬ ରନଦେଇ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ଇବାଦତ୍ ହୋସେନ ୮.୨ ଓଭରରେ ୪୭ରନ ଦେଇ ୪ଟି ଓ୍ବିକେଟ, ମେହିଦି ହାସନ ୯ ଓଭରରେ ୪୩ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ହାସନ ମେହମୁଦ ୭ ଓଭରରେ ୪୦ ରନ ଏବଂ ମୁସ୍ତଫିଜୁର ରେହମାନ ୭ ଓଭରରେ ୧୯ରନ ଦେଇଛନ୍ତି ।