ନୂଆଦିଲ୍ଲୀ,୦୭/୦୨; ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ମହାକୁମ୍ଭ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଆୟୋଜକ ରହିଛି । ଘରୋଇ ପରିବେଶ, ପିଚ୍ ଓ ସମର୍ଥନ ଭାରତକୁ ଟାଇଟଲର ପ୍ରବଳ ଦାବିଦାର କରିଛି । ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବିଶ୍ୱର ସବୁ ପିଚ୍ ଓ ପରିବେଶରେ ମଧ୍ୟ ଟାଇଟଲ ଜିତିବାର କ୍ଷମତା ରଖିଛି କହିଲେ ଭୁଲ ହେବ ନାହିଁ । ୨୦୨୩ ଅକ୍ଟୋବର ଠାରୁ ଇତି ମଧ୍ୟରେ ଭାରତ ସର୍ବାଧିକ ଟି-ଟ୍ୱେଣ୍ଟି ମ୍ୟାଚ ଜିତିଛି । କେବଳ ବିଜୟ ନୁହେଁ, ଟି-ଟ୍ୱେଣ୍ଟି ଫର୍ମାଟ୍ର ସବୁ ବିଭାଗରେ ଭାରତର ଆଧିପତ୍ୟ ଜାରି ରହିଛି । ଏଠାରେ ଆମେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରୁଛୁ ।
୫୧-୮ ବିଜୟ-ପରାଜୟ ରେକର୍ଡ - ବିଗତ ୨୭ ମାସ ଧରି ଟି-ଟ୍ୱେଣ୍ଟି କ୍ରିକେଟ୍ରେ ଭାରତୀୟ ଦଳ ଆଧିପତ୍ୟ ଜାରି ରଖିଛି । ଏପରିକି ଅନ୍ୟ କୌଣସି ଦଳ ଭାରତର ନିକଟତର ହୋଇପାରି ନାହାନ୍ତି । ୨୦୨୩ ଅକ୍ଟୋବର ଠାରୁ ୨୦୨୬ ଜାନୁଆରୀ ୩୧ ତାରିଖ ମଧ୍ୟରେ ଭାରତ ଖେଳିଛି ମୋଟ୍ ୬୨ଟି ଟି-ଟ୍ୱେଣ୍ଟି ମୁକାବିଲା । ଏଥିରୁ ଭାରତ ସିଧା ସଳଖ ଭାବେ ୪୮ଟି ମ୍ୟାଚ ଓ ସୁପର ଓଭରରେ ୩ଟି ମ୍ୟାଚ ଜିତିଥିବା ବେଳେ ମାତ୍ର ୮ଟି ମ୍ୟାଚରେ ପରାଜିତ ହୋଇଛି । ବାକି ୩ଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆ ୨୮ଟି ମ୍ୟାଚ ଜିତିଥିବା ବେଳେ ୧୩ଟି ମ୍ୟାଚରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି ।
ବିସ୍ଫୋରକ ବ୍ୟାଟିଂରେ ଆଗୁଆ- ଏକଦା ବିସ୍ଫୋରକ ବ୍ୟାଟିଂକୁ ନେଇ ୱେଷ୍ଟ ଇଣ୍ଡିଜକୁ ଦୁର୍ଦ୍ଧର୍ଷ ଦଳ ଭାବେ ବିବେଚନା କରାଯାଉଥିଲା । ବର୍ତ୍ତମାନ ସମୟ ବଦଳି ଯାଇଛି । ଭାରତୀୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂରେ ଅନ୍ୟ ସବୁ ଦଳ ଠାରୁ ଢେର ଆଗରେ । ବିସ୍ଫୋରକ ବ୍ୟାଟିଂ ହିଁ ଭାରତୀୟ ଦଳକୁ ସଫଳ କରିଛି । ଭାରତ ଖେଳିଥିବା ଶେଷ ୬୨ଟି ମ୍ୟାଚରେ ୯.୬୯ ହାରରେ ରନ ସଂଗ୍ରହ କରିଛି । ୨୦ଟି ମ୍ୟାଚରେ ଭାରତୀୟ ଦଳ ୨୦୦ରୁ ଊଦ୍ଧ୍ୱର୍ ସ୍କୋର ସଂଗ୍ରହ କରିଛି । ଏହି ତାଲିକାରେ ୱେଷ୍ଟ ଇଣ୍ଡିଜ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୨୭ ମାସ ମଧ୍ୟରେ ୱେଷ୍ଟ ଇଣ୍ଡିଜ ୬୧ଟି ମ୍ୟାଚ ଖେଳିଛି ଓ ୧୩ଟି ମ୍ୟାଚରେ ୨୦୦ରୁ ଊଦ୍ଧ୍ୱର୍ ସ୍କୋର ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ଏହି ସମୟ ମଧ୍ୟରେ ୫୧ଟି ମ୍ୟଚ ଖେଳି ୧୦ଟି ମ୍ୟାଚରେ ୨୦୦ରୁ ଅଧିକ ରନ୍ ସଂଗ୍ରହ କରିଛି । ଜିମ୍ବାୱେ ଦଳ ମଧ୍ୟ ଏହି ସମୟ ମଧ୍ୟରେ ୬୩ଟି ମ୍ୟାଚ ଖେଳିଛି ଓ ୧୦ଟିରେ ୨୦୦ରୁ ଅଧିକ ରନ ସଂଗ୍ରହ କରିଛି । ରନ୍ ରେଟ୍ରେ ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ । ଇଂଲଣ୍ଡ ୯.୬୭ ହାରରେ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ୯.୫୫ହାରରେ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛି ।
ଟିମ ଇଣ୍ଡିଆ ‘ସିକ୍ସ ମେସିନ’ - ବିଶାଳ ସଟ୍ ଖେଳିବାରେ ଭାରତୀୟ ଦଳ ସବୁଠୁ ଆଗରେ ରହିଛି । ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେଙ୍କ ଭଳି ବିସ୍ଫୋରକ ବ୍ୟାଟର ବିଶ୍ୱର ସବୁ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ୨୦୨୩ ଅକ୍ଟୋବର ଠାରୁ ଇତି ମଧ୍ୟରେ ଭାରତୀୟ ଦଳ ମୋଟ୍ ୧୦୮୧ଟି ଛକା ମାରିଛି । ଅର୍ଥାତ ପ୍ରତି ୧୦.୯୯ ବଲରେ ଗୋଟିଏ ଛକା ମାରିଛି ଟିମ ଇଣ୍ଡିଆ । ଏହି ସମୟ ମଧ୍ୟରେ ୱେଷ୍ଟ ଇଣ୍ଡିଜ ସର୍ବାଧିକ ୧୧୯୮ଟି ଛକା ମାରିଛି । ମାତ୍ର ବଲ୍ ପିଛା ଦଳର ଛକା ହାର ରହିଛି ୧୨.୧୮ । ଅନ୍ୟ ଦଳମାନଙ୍କ ମଧ୍ୟରେ ଇଂଲଣ୍ଡ ୯୦୯ଟି ଛକା ମାରିଥିବାବେଳେ ଅଷ୍ଟ୍ରେଲିଆ ୮୭୨, ଦକ୍ଷିଣ ଆଫ୍ରକା ୯୧୫, ଆଫଗାନିସ୍ତାନ ୭୮୧, ପାକିସ୍ତାନ ୭୭୧, ନ୍ୟୁଜିଲାଣ୍ଡ ୭୭୦ ଓ ଶ୍ରୀଲଙ୍କା ୪୮୨ଟି ଛକା ମାରଛନ୍ତି ।
ଏହା ବି ପଢନ୍ତୁ...ଭାରତ ସହ ପାକିସ୍ତାନର ମ୍ୟାଚ ବୟକଟ୍ ଧମକ, ନିଷ୍ପତ୍ତି ଉପରେ ବିଚାର କରିବାକୁ ଶ୍ରୀଲଙ୍କାର ଚେତାବନୀ
ଆଗରେ ଅଭିଷେକ- ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ ଛକା ମାରିବାରେ ଅଭିଷେକ ଶର୍ମା ବେଶ୍ ଆଗରେ । ସେ ନିୟମିତ ଭାବେ ବୋଲରଙ୍କୁ ପ୍ରହାର କରୁଛନ୍ତି । ଏପର୍ଯ୍ୟନ୍ତ କୌଣସି ବୋଲର ତାଙ୍କୁ ଅଟକାଇ ପାରିନାହାନ୍ତି । ଅବଶ୍ୟ ବିଶ୍ୱକପ୍ରେ ତାଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବ । ଅକ୍ଟୋବର ୨୦୨୩ରୁ ଇତି ମଧ୍ୟରେ ଅଭିଷେକ ୬.୭୮ ହାରରେ ମୋଟ୍ ୨୪୯ଟି ଛକା ମାରି ସାରିଛନ୍ତି । ଅର୍ଥାତ ସେ ପ୍ରତି ୬.୭୮ଟି ବଲ୍ରେ ଗୋଟିଏ ଛକା ମାରୁଛନ୍ତି । ଏଥିରୁ ତାଙ୍କ ଆଧିପତ୍ୟର ସ୍ପଷ୍ଟ ପ୍ରମାଣ ମିଳୁଛି । ଅଭିଷେକ ଏକମାତ୍ର ବ୍ୟାଟର ଭାବେ ୨୦୦ରୁ ଊଦ୍ଧ୍ୱର୍ ଷ୍ଟ୍ରାଇକ ରେଟ୍ରେ ରନ ସଂଗ୍ରହ କରୁଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ଇଷାନ କିଷନ ୯.୬୪ ହାରରେ ୧୦୧ଟି ଛକା ମାରିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏହି ସମୟ ମଧ୍ୟରେ ୮୯ଟି ଓ ଶିବମ ଦୁବେ ୧୧୧ଟି ଛକା ମାରିଛନ୍ତି ।
ନ୍ୟୁଜିଲାଣ୍ଡର ଫିନ ଆଲେନ ଏହି ସମୟ ମଧ୍ୟରେ ୧୭୯ଟି ଛକା ମାରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଡିୱାଲ୍ଡ ବ୍ରେଭିସ ୧୫୩ଟି, ୱେଷ୍ଟ ଇଣ୍ଡିଜର ରୋମାରିଓ ସେଫର୍ଡ ୧୧୬, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ୍ ୧୨୬, ଟିମ ଡେଭିଡ୍ ୧୬୦ଟି ଛକା ମାରିଛନ୍ତି । ଅଭିଷେକ ୪ଟି ମ୍ୟାଚରେ ୧୦ରୁ ଊଦ୍ଧ୍ୱର୍ ଛକା ମାରିଛନ୍ତି । ତାଙ୍କ ଇଶାନ କିଷନ ଓ ତିଳକ ବର୍ମ ୨ଥର ଲେଖାଏଁ ଇନିଂସରେ ୧୦ରୁ ଅଧିକ ଛକା ମରିବାର ରେକର୍ଡ ରଖିଛନ୍ତି । ଅଭିଷେକ ଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ୫୪ବଲ୍ରୁ ୧୩୫ ରନ୍ର ଏକ ପାଳି ଖେଳିଥିଲେ । ଏହି ଇନିଂସରେ ୧୩ଟି ଛକା ମାରିଥିଲେ ।