ନୂଆଦିଲ୍ଲୀ,୦୭/୦୨; ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ ମୁକାବିଲା । ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷରେ ପାକିସ୍ତାନ ଗ୍ରୁପ୍ ମ୍ୟାଚ୍ ନଖେଳିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସେମିତି ବିଶେଷ କାରଣ ଦର୍ଶାଇ ପାରିନାହିଁ । ବାଂଲାଦେଶକୁ ସମର୍ଥନ କରି ଏଭଳି ନିଷ୍ପତ୍ତି ନେଇଛି । ପାକିସ୍ତାନ ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି ଶ୍ରୀଲଙ୍କା କ୍ରିକେଟ୍ ପକ୍ଷରୁ ଅନୁରୋଧ କରାଯାଇଛି ।

ଶ୍ରୀଲଙ୍କା କ୍ରିକେଟ୍ ପକ୍ଷରୁ ପତ୍ର ଲେଖି ପିସିବିକୁ କୁହାଯାଇଛି ଯେ, ୨୦୦୯ରେ ଆମ ଦଳ ଉପରକୁ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ସ୍ଥଗିତ ରହିଥିଲା । କିନ୍ତୁ ଆମ ଦଳ ପରବର୍ତ୍ତୀ ସମୟରେ ପାକିସ୍ତାନ ଗସ୍ତ କରିଥିଲା । ସେମିତି ୨୦୨୫ରେ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ଆମ ଦଳର କିଛି ଖେଳାଳି ସ୍ୱଦେଶ ବାହୁଡ଼ିବାକୁ ଚାହିଁଥିଲେ କିନ୍ତୁ ଆମେ ଗସ୍ତ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲୁ । ବାରମ୍ବାର ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତରେ ଯାଇ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛି । ତେଣୁ ବିଶ୍ୱକପ୍ରେ ମ୍ୟାଚ୍ ବୟକଟ ନିଷ୍ପତ୍ତିର ପୁନର୍ବିଚାର କରି ବିଶ୍ୱକପ୍ ସୂଚୀରେ ବାଧା ନଉପୁଯାଇବା ପାଇଁ ଆମେ ଅନୁରୋଧ କରୁଛୁ ।’ କିନ୍ତୁ ପିସିବି ପକ୍ଷରୁ ଏହାର ଉତ୍ତର କିଛି ଦିଆଯାଇ ନାହିଁ ।

ଗତ ୧ ତାରିଖରେ ସୋସିଆଲ ମିଡିଆ ଏକ୍ସରେ ପାକ୍ ସରକାର କହିଥିଲେ ଯେ, ‘ବିଶ୍ୱକପ୍ ଖେଳିବାକୁ ପାକିସ୍ତାନ ଦଳ ଶ୍ରୀଲଙ୍କା ଯାତ୍ରା କରିବ । କିନ୍ତୁ ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚରେ ଦଳ ପଡ଼ିଆକୁ ଓହ୍ଲାଇବ ନାହିଁ ।’ ଏହାପରେ ଆଇସିସି ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଥିଲା । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ, ‘ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆମେ ଆମର ସ୍ପଷ୍ଟ ପକ୍ଷ ରଖିଛୁ । ଭାରତ ବିପକ୍ଷ ମ୍ୟାଚ ଆମେ ଖେଳିବୁ ନାହିଁ । କାରଣ କ୍ରୀଡ଼ାରେ ରାଜନୀତି ହେବା ଉଚିତ ନୁହେଁ । ବହୁ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଛୁ । ବାଂଲାଦେଶକୁ ଆମର ସମର୍ଥନ ରହିବ ।’

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଗୁଲ: ଉଦ୍ଘାଟନୀରେ ରଙ୍ଗ ଭରିବେ ନୋରା ଓ ବାଦଶାହ, ୪ଟି ଗ୍ରୁପ୍ରେ ଖେଳିବେ ୨୦ ଟିମ୍

ଯଦି ପାକିସ୍ତାନ ଏହି ମ୍ୟାଚ୍ ନଖେଳେ ତେବେ ଆଇସିସି ଏବଂ ଆୟୋଜକଙ୍କ ୨୨୦୦ କୋଟିରୁ ଊଦ୍ଧ୍ୱର୍ କ୍ଷତି ହେବ । ପିସିବି ମଧ୍ୟ ଏହାର ଶିକାର ହେବ । ତେବେ ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କରିଛନ୍ତି, ‘ପାକିସ୍ତାନ ‘ୟୁ ଟର୍ଣ୍ଣ’ ନେଇପାରେ ।’ ଯଦି ପାକିସ୍ତାନ ନଖେଳେ ତେବେ ଆଇସିସି ଦଣ୍ଡିତ କରିବ । ଯାହା କୁହାଯାଉଛି, ଏହି ଦଣ୍ଡର ପରିମାଣ ୧୩୫ କୋଟିରୁ ଊଦ୍ଧ୍ୱର୍ ହୋଇପାରେ । ଗତ ଏସିଆ କପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ୩ ଥର ମୁହାଁମୁହିଁ ହୋଇଥିଲେ । ଭାରତୀୟ ଖେଳାଳି ପାକ୍ ଖେଳାଳିଙ୍କ ସହ କରମର୍ଦ୍ଦନ କରିନଥିଲେ । ଏମିତିକି ଭାରତ ଫାଇନାଲରେ ଏସିସି ସଭାପତି ତଥା ପିବିସି ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ କରିନଥିଲା ।