କଙ୍ଗାରୁ ଟିମ୍ ବିପକ୍ଷରେ ଘରୋଇ ମାଟିରେ ଭାରତର ସର୍ବନିମ୍ନ ସ୍କୋର, ଟିମ୍ ଇଣ୍ଡିଆ ସହ ଯୋଡି ହେଲା ଏହି ରେକର୍ଡ

ବିଶାଖାପଟ୍ଟନମ୍ ୧୯/ ୦୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଭାଇଜାଗ୍ରେ ଖେଳାଯାଇଥିବା ମୁକାବିଲାରେ ଲଜ୍ଜାଜନକ ପରାଜୟ ବରଣ କରିଛି ଘରୋଇ ଦଳ । ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୭ ରନ୍ରେ ଅଲଆଉଟ୍ ହୋଇଯିବା ପରେ କଙ୍ଗାରୁ ଦଳ ବିନା ଓ୍ବିକେଟ୍ରେ ମ୍ୟାଚ୍ ଜିତିନେଇଥିଲେ । ପରାଜୟ ସହିତ ଘରୋଇ ମାଟିରେ ଭାରତୀୟ ଦଳର ରେକର୍ଡ ଖରାପ ହୋଇଛି ।
ରବିବାର ଖେଳାଯାଇଥିବା ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ଘରୋଇ ମାଟିରେ ଏହା (୧୧୭ ରନ) ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ ନିଜ ମାଟିରେ ଟିମ୍ ଇଣ୍ଡିଆ ଏତେ କମ୍ ସ୍କୋର କେବେ କରିନଥିଲା । ଆଜି ମ୍ୟାଚ୍ ପୂର୍ବରୁ ଘରୋଇ ମାଟିରେ କଙ୍ଗାରୁ ଦଳ ବିପକ୍ଷରେ ଭାରତରେ ସର୍ବନିମ୍ନ ସ୍କୋର ଥିଲା ୧୪୮ ରନ୍ । ଯାହା କି ୨୦୦୭ ମସିହାରେ କରିଥିଲା ଭାରତ ।
କେବଳ ଘରୋଇ ମାଟିରେ ନୁହେଁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଏହା ଭାରତର ୩ୟ ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ ୧୯୮୧ ମସିହାରେ ସିଡନୀରେ ଖେଳାଯାଇଥିବା ମୁକାବିଲାରେ ଭାରତ ମାତ୍ର ୬୩ ରନରେ ଅଲଆଉଟ୍ ହୋଇଯାଇଥିଲା । ସେହିଭଳି ୨୦୦୦ ମସିହାରେ ସିଡନୀରେ ୧୦୦ ରନ୍ ଓ ଆଜି ଅର୍ଥାତ୍ ୨୦୨୩ ମାର୍ଚ୍ଚ ୧୯ ତାରିଖରେ ତୃତୀୟ ସର୍ବନିମ୍ନ ସ୍କୋର କରିଛି ।
ରବିବାର ମ୍ୟାଚ୍ ସାରାଂଶ
୨ୟ ଦିନିକିଆରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଭାରତୀୟ ଦଳ ମାତ୍ର ୨୬ ଓଭର ଖେଳିବାକୁ ସକ୍ଷମ ହୋଇଥିବା ବେଳେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଆବଶ୍ୟକ ଥିଲା ୧୧୮ ରନ୍ । ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ଜଣେ ପରେ ଜଣେ ଭାରତୀୟ ବ୍ୟାଟର୍ ପ୍ୟାଭିଲିୟନ ଫେରିଥିଲେ । ଦଳ ପକ୍ଷରୁ ବିରାଟ କୋହଲି ଏକମାତ୍ର ବ୍ୟାଟର୍ ଯିଏ କି ୩୦+ ରନ୍ କରିପାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଥିଲେ।
ଅଧିନାୟକ ରୋହିତ ଶର୍ମା ଓ ଶୁବମାନ ଗିଲ୍ ଇନିଂସ ଓପନ୍ କରିଥିଲେ । ଗିଲ୍ ଖାତା ଖୋଲିବା ପୂର୍ବରୁ ହିଁ ସହଜ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ଅଧିନାୟକ ରୋହିତ ଶର୍ମା ୧୩ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି କିଛି ସମୟ କ୍ରିଜ୍ରେ ତିଷ୍ଠି ରହିବା ସହିତ ୩୧ ରନ କରି ଆଉଟ ହୋଇଥିଲେ । ପୂର୍ବ ମ୍ୟାଚରେ ମାତ୍ର ଗୋଟିଏ ବଲରେ ଆଉଟ ହୋଇଥିବା ସୂର୍ଯ୍ୟକୁମାର ଯାଦବ ପୁଣି ଫେଲ ମାରିଥିଲେ । ଦ୍ବିତୀୟ ମ୍ୟାଚରେ ମଧ୍ୟ ସେ ମାତ୍ର ଗୋଟିଏ ବଲରେ ଓ୍ବିକେଟ୍ ହୋଇଥିଲେ । ପ୍ରଥମ ମ୍ୟାଚର ହିରୋ ଲୋକେସ ରାହୁଲ ମାତ୍ର ୯ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୧ରନ, ରବିନ୍ଦ୍ର ଜାଡେଜା ୧୬ ରନ, କୁଲଦୀପ ଯାଦବ ୪ ରନ, ମହମ୍ମଦ ସାମି ଓ ମହମ୍ମଦ ସିରାଜ ଖାତା ମଧ୍ୟ ଖୋଲି ପାରିନଥିଲେ । ଅକ୍ଷର ପଟେଲ ଶେଷ ଯାଏଁ କ୍ରିଜରେ ରହି ୨୯ରନର ମହତ୍ତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ ସୁଦ୍ଧା ତାଙ୍କୁ କେହି ସହଯୋଗ କରିନଥିଲେ । ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ ପଡିବା ସହ ଶେଷରେ ସେ ନନ୍ଷ୍ଟ୍ରାଇକରେ ରହିଯାଇଥିଲେ ।