ନୂଆଦିଲ୍ଲୀ: ଜାନୁଆରୀ ୧୮ (ଶନିବାର) ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲାଗି ଭାରତୀୟ ଟିମ୍‌ ଘୋଷଣା ହେବାକୁ ଯାଉଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।  ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ କରି ଟିମ୍‌ ଘୋଷଣା କରିବେ । ଆସନ୍ତାକାଲି ଟିମ୍‌ ଘୋଷଣା ହେବାକୁ ଥିବା ବେଳେ ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ସାମିଲ ରହିବେ । ଶନିବାର ଦିନ ୧୨.୩୦ରେ ଭାରତୀୟ ଟିମ୍‌ ଘୋଷଣା ହେବ ବୋଲି ଜଣାପଡ଼ିଛି । 

 ଏହି ସମୟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ମଧ୍ୟ ଭାରତୀୟ ଟିମ୍‌ ନେଇ ଘୋଷଣା ହେବ । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ଦିନିକିଆ ସିରିଜ୍‌ ଭାରତ ଲାଗି ଏକ ଅଭ୍ୟାସ ମ୍ୟାଚ୍‌ ରୂ‌ପେ ଦେଖାଯାଉଛି । ତେଣୁ ଉଭୟ ଦିନିକିଆ ସିରିଜ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି ଲାଗି ଘୋଷଣା ହେବାକୁ ଥିବା ଭାରତୀୟ ଟିମ୍‌ରେ ସାମଞ୍ଜସ୍ୟ ରହିବ ବୋଲି କୁହାଯାଉଛି । ଚାମ୍ପିୟନ୍ସ ଟ୍ରଫିରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହ ଗ୍ରୁପ୍‌-ଏରେ ରହିଛି । 

 ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମେ ଫେବୃଆରୀ ୨୦ରେ ବାଂଲାଦେଶ ସହ ମ୍ୟାଚ୍‌ ଖେଳିବ ମ୍ୟାନ୍‌ ଇନ୍‌ ବ୍ଲୁ । ଏହା ପରେ ଫେବୃଆରୀ ୨୩ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ।  ଭାରତୀୟ ଟିମ୍‌ ନିଜର ସବୁ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳିବାକୁ ଥିବା ବେଳେ ବାକି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ । ସେହିଭଳି ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ମାର୍ଚ୍ଚ ୪ରେ ଦୁବାଇରେ ହେବାକୁ ଥିବା ବଳେ ଦ୍ବିତୀୟ ସେମିଫାଇନାଲ୍‌ ମାର୍ଚ୍ଚ ୮ରେ ଖେଳାଯିବ । ଯଦି ଭାରତୀୟ ଦଳ ଫାଇନାଲ୍‌କୁ ଯାଏ ତେବେ ଏହି ମ୍ୟାଚ୍‌ ଦୁବାଇରେ ଖେଳାଯିବ । ତେବେ ଚାମ୍ପିୟନ୍ସ ଟ୍ରଫି ସ୍କ୍ବାଡ୍‌ରେ ଜସପ୍ରୀତ ବୁମରାଙ୍କ ସାମିଲ ହେବାକୁ ନେଇ ସସପେନ୍ସ ଲାଗି ରହିଛି । ସେ ବର୍ଡର ଗାଭାସ୍କର ଟ୍ରଫିରେ ପିଠିରେ ଆଘାତ ଜନିତ ସମସ୍ୟା ସହ ଯୁଝୁଛନ୍ତି ।