କେନ୍ଦ୍ରାପଡ଼ା ୧୩/୦୭: ଗଣମାଧ୍ୟମରେ ଖବର ପ୍ରକାଶ ପାଇବା  ପରେ ଚେତିଲା ପ୍ରଶାସନ । କେନ୍ଦ୍ରାପଡ଼ା  ସ୍ୱୟଂଶାସିତ କଲେଜ ପଡ଼ିଆରେ ଅଟକି  ରହିଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର  ଯାଞ୍ଚ୍‌ ପାଇଁ ପହଞ୍ଚିଲା ଟେକ୍ନିକାଲ ଟିମ୍‌ ।  ପ୍ରଥମ ପର୍ଯ୍ୟାୟରେ ହେଲିକପ୍ଟରରୁ  ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏହା ପରେ ଅନ୍ୟ ବିଷୟ ଯାଞ୍ଚ୍‌ ହେବ ।  ହେଲିକପ୍ଟରର ଫ୍ୟାନ୍‌ ବ୍ଲେଡ୍‌ ରଖିବା ପାଇଁ ଏକ ବ୍ଲେଡ୍‌ ବକ୍ସ ମଧ୍ୟ ଅଣାଯାଇଛି । କଣ୍ଟେନର୍‌ରେ ହେଲିକପ୍ଟରଟି ମୁମ୍ବାଇ  ଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  

ବୈଷୟିକ ଟିମ୍‌ର କର୍ମଚାରୀ କହିଛନ୍ତି ଯେ, ଆମେ ହେଲିକପ୍ଟର ଯାଞ୍ଚ୍‌ କରିବାକୁ  ଆସିଥିଲୁ । ଏଠାରୁ ଆମେ ହେଲିକପ୍ଟରକୁ  ମରାମତି ପାଇଁ ମୁମ୍ବାଇକୁ ସ୍ଥାନାନ୍ତର କରିବୁ । ଆମକୁ ମ୍ୟାନେଜମେଣ୍ଟ ତରଫରୁ ଯାହା କୁହାଯାଇଛି ଆମେ  ତାହା କରୁଛୁ । ପରେ ଫ୍ୟାନ୍‌ ଖୋଲିବାକୁ ଆସିବୁ। ତେବେ ଏ ପ୍ରସଂଗରେ ବରିଷ୍ଠ  କଂଗ୍ରେସ ନେତା ଆଇନଜୀବୀ ବିଧୂଭୂଷଣ  ମହାପାତ୍ର ଅଭିଯୋଗ କରିଛନ୍ତି ଯେ  ମାସାଧିକ କାଳ ପରେ ପ୍ରଶାସନର ନିଦ  ଭାଙ୍ଗିଲା । ଏହି ହେଲିକପ୍ଟରଟି କଥା  କାହାର ହୁଏତ ମନେ ନଥିଲା । ଯେଉଁ  ହେଲିକପ୍ଟର ମାତ୍ର ୮୦ କିଲୋମିଟର ଉଡ଼ି  ଆସିବା ପରେ ପୁଣି ଚାଲିବା ପାଇଁ ଅକ୍ଷମ  ହୋଇପଡୁଛି, ତାହା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ  ପାଇଁ କେମିତି ଦିଆଯାଇଥିଲା ବୋଲି ସେ  ପ୍ରଶ୍ନ କରିଛନ୍ତି । ହେଲିକପ୍ଟରଟି କାହିଁକି  ମାସେ ଏଠାରେ ପଡ଼ିରହିଲା ବୋଲି ସେ  ପ୍ରଶ୍ନ ଉଠାଇଛନ୍ତି । 

ଉଲ୍ଲେଖଯୋଗ୍ୟ, ଗତ  ଜୁନ୍‌ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ କେନ୍ଦ୍ରାପଡ଼ା ଗସ୍ତରେ  ଏଥିରେ ଆସିଥିଲେ । ବଜ୍ରପାତ ଯୋଗୁଁ ତାଙ୍କ ହେଲିକପ୍ଟର ବ୍ଲେଡ୍‌ କ୍ଷତିଗ୍ରସ୍ତ  ହେବା ପରେ ସେ ସଡ଼କ ପଥରେ  ଫେରିଥିଲେ । ସେବେଠାରୁ କେନ୍ଦ୍ରାପଡ଼ା  କଲେଜ ପଡିଆରେ ହେଲିକପ୍ଟରଟି  ଅଟକି ରହିଛି । ଏଥିପାଇଁ ଅଗଷ୍ଟ ୧୫  ପାଇଁ ଯେଉଁ ଅଭ୍ୟାସ ପରେଡ୍‌ ହୁଏ, ତାହା କଲେଜ ପଡ଼ିଆରେ ହୋଇପାରିଲା ନାହିଁ। ପିଲାମାନେ ଖେଳି ମଧ୍ୟ ପାରିଲେ ନାହିଁ ।  ତେବେ ହେଲିକପ୍ଟର ମରାମତି ସମ୍ପର୍କରେ  ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।