ନୂଆଦିଲ୍ଲୀ,୧୮/୦୩; ଇସ୍ରାଏଲ୍-ଇରାନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କୁ ନିପାତ କରାଯାଇଥିବା ଇସ୍ରାଏଲ୍ ଦାବି କରିଥିଲା । ଏହି ଦାବି ସତ ହୋଇଛି । ଖାମେନେଇଙ୍କ ପରେ ଇରାନର ବରିଷ୍ଠ ଏବଂ ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରଏଟର୍ସ ପକ୍ଷରୁ ଏହି ସୂଚନା ମିଳିଛି । ଦୀର୍ଘ ସମୟ ଧରି ମାମଲାରେ ଚୁପ୍ ରହିବା ପରେ ଏବେ ଇରାନୀ ଗଣମାଧ୍ୟମ ଏହାକୁ ସ୍ୱୀକାର କରିଛି । ପୂର୍ବରୁ ଇସ୍ରାଏଲ ଦାବି କରିଥିଲା ଯ ତେହେରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅଲୀ ଲାରିଜାନିଙ୍କର ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଲାରିଜାନିଙ୍କ ମୃତ୍ୟୁ ଇରାନ ପାଇଁ ବଡ଼ ଝଟକା ହୋଇଛି ।
ସୋମବାର ରାତିରେ ଇରାନର ରାଜଧାନୀ ତେହରାନ୍ ସମେତ ଅନେକ ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ସମୟରେ ଇରାନର କ୍ଷମତାଶାଳୀ ଅଧିକାରୀ ଅଲୀ ଲାରିଜାନିଙ୍କୁ ଟାର୍ଗେଟ୍ କରାଯାଇଥିଲା । ସେଥିରେ ତାଙ୍କର ମୃତ୍ୟୁ ଘଟିଛି । ଏହି ପଦକ୍ଷେପକୁ ସେ ଇରାନକୁ ଦୁର୍ବଳ କରିବା ଲାଗି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଭାବେ ଦର୍ଶାଇଛନ୍ତି । ଏବେ ଇରାନ ପକ୍ଷରୁ ଏ ସଂପର୍କରେ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ତେହରାନ । ଲାରିଜାନିଙ୍କୁ ଇରାନର ପୂର୍ବତନ ସୁପ୍ରିମଲିଡର ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅତି ଘନିଷ୍ଠ ଭାବେ ମନେ କରାଯାଏ । ୧୨ ବର୍ଷ ଧରି ସେ ସଂସଦର ବାଚସ୍ପତି ରହିଥିଲେ । ଅଲ୍ଲୀ ଖାମେନେଇଙ୍କ ହତ୍ୟା ଏବଂ ନୂଆ ସୁପ୍ରିମଲିଡର ମୋଜତବାଙ୍କ ସାର୍ବଜନୀନ ଅନୁପସ୍ଥିତି ମଧ୍ୟରେ ଲାରିଜାନି ଇରାନରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟିଥିଲେ । ତାଙ୍କୁ ଇରାନର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିଲା । ସେହିପରି ଅନ୍ୟ ଏକ ଆକ୍ରମଣରେ ଇରାନର ବସିଜ୍ ଫୋର୍ସର କମାଣ୍ଡର ଗୁଲାମରେଜା ସୁଲେମାନିଙ୍କ ସମେତ ଅନ୍ୟ ବଡ଼ ଅଧିକାରୀ ନିପାତ ହୋଇଥିବା ଆଇଡିଏଫ୍ ଦାବି କରିଛି । ବସିଜ୍ ଫୋର୍ସ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି)ର ଏକ ଅର୍ଦ୍ଧସାମରିକ ବାହିନୀ । ଆଭ୍ୟନ୍ତରୀଣ ବିଦ୍ରୋହକୁ ଦମନ କରିବା ଲାଗି ଏହା ପରିଚିତ ।
ଏହା ବି ପଢନ୍ତୁ...ଶାନ୍ତି ନୁହେଁ , ଏବେ କେବଳ ଯୁଦ୍ଧ ...ଅସ୍ତ୍ରବିରତି ପ୍ରସ୍ତାବକୁ ମୋଜତବାଙ୍କ ଖାରଜ
କିଏ ଅଲୀ ଲାରିଜାନି ? ଲାରିଜାନିଙ୍କୁ ଇସଲାମିକ୍ ଗଣରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ଥିଲେ । ଇରାନର ସୁରକ୍ଷା ମୁଖ୍ୟ ଥିଲେ ଲାରିଜାନି । ଯାହାଙ୍କର ପ୍ରଭାବ ରାଜନୀତି, ସୁରକ୍ଷା ଏବଂ କୂଟନୀତିରେ ବ୍ୟାପିଥିଲା । ସେ ଇରାନର ସବୁଠାରୁ ପ୍ରତିଷ୍ଠିତ ରାଜନୈତିକ ପରିବାର ମଧ୍ୟରୁ ଜଣେ ଥିଲେ, ଯାହାକୁ ପ୍ରାୟତଃ ଆମେରିକାର କେନେଡି ପରିବାର ସହିତ ତୁଳନା କରାଯାଏ । ତାଙ୍କ ଭାଇ ସାଦେକ୍ ଲାରିଜାନି ନ୍ୟାୟପାଳିକାର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ମହମ୍ମଦ ଜାଭାଦ୍ ଲାରିଜାନି ଜଣେ ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଥିଲେ । ଲାରିଜାନି ନିଜେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ୨୦୦୮ ରୁ ୨୦୨୦ ପର୍ଯ୍ୟନ୍ତ ସଂସଦର ବାଚସ୍ପତି ଏବଂ ଇରାନର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ଉପରେ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ଅନ୍ତର୍ଭୁକ୍ତ ।