ନୂଆଦିଲ୍ଲୀ : ଥମୁନି ଇରାନ – ଇସ୍ରାଏଲ ଓ ଆମେରିକାର ଯୁଦ୍ଧ। ଦିନକୁ ଦିନ ଏହା ଗମ୍ଭୀର ହେବାରେ ଲାଗିଛି। ଉଭୟ ପକ୍ଷରୁ ଚାଲିଲା ଆକ୍ରମଣ ପ୍ରତି ଆକ୍ରମଣ। ଆଉ ଏହାରି ଭିତରେ ସାରା ବିଶ୍ୱରେ ପଡିଛି ଏହାର ପ୍ରଭାବ। ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତବା ଖାମେନି, ଆମେରିକା- ଇସ୍ରାଏଲ ସହ ଉତ୍ତେଜନା ହ୍ରାସ କିମ୍ୱା ଅସ୍ତ୍ରବିରତି ପାଇଁ ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଏବଂ ଏହାସହ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଉଭୟ ଦେଶ ଅର୍ଥାତ୍ ଆମେରିକା ଏବଂ ଇସ୍ରାଏଲକୁ ପରାସ୍ତ କରିବା ଆବଶ୍ୟକ। ତାଙ୍କର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିଲା ସଂଘର୍ଷ କ୍ରମାଗତ ଭାବରେ ଅଧିକ ଗମ୍ଭୀର ହେଉଛି।
ରଏଟର୍ସ ଅନୁସାରେ , ଦୁଇଟି ମଧ୍ୟସ୍ଥତାକାରୀ ଦେଶ ଇରାନକୁ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇ ଥିଲେ, କିନ୍ତୁ ମୋଜତବା ଖାମେନି କଠୋର ମନୋବୃତ୍ତି ଆପଣାଇ ରଣହୁଙ୍କାର ଦେଇଛନ୍ତି ଏବଂ କହିଛନ୍ତି -ଏହା ଶାନ୍ତର ସମୟ ନୁହେଁ ବରଂ ଯୁଦ୍ଧକୁ ତୀବ୍ର କରିବାର ଏବଂ ଶତ୍ରୁମାନଙ୍କୁ ଜବାବ ଦେବାର ବେଳ।
ସୂତ୍ର ଅନୁସାରେ , ଖାମେନି ତାଙ୍କର ପ୍ରଥମ ଉଚ୍ଚସ୍ତରୀୟ ସୁରକ୍ଷା ଅଧିବେଶନରେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ କଡ଼ା ପ୍ରତିଶୋଧ ନେବାକୁ ଆହ୍ୱାନ ଦେଇଛନ୍ତି। ଏହି ସମୟରେ, ଇସ୍ରାଏଲ ଦାବି କରିଛି ଯେ, ସେ ଇରାନର ରିଭୋଲ୍ୟୁସନରୀ ଗାର୍ଡର ଅର୍ଦ୍ଧସାମରିକ ୟୁନିଟ୍ ‘ବସିଜ’ର ମୁଖ୍ୟ ଜେନେରାଲ ଗୁଲାମ ରଜା ସୁଲେମାନିଙ୍କୁ, ଏକ ବିମାନ ଆକ୍ରମଣରେ ହତ୍ୟା କରିଛି। ଏହାସହ ଇସ୍ରାଏଲ ମଧ୍ୟ ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ଅଲି ଲିଜରାନିଙ୍କୁ ହତ୍ୟା କରିଥିବା ଦାବି କରିଛି। ହେଲେ ତାଙ୍କ ସ୍ଥିତିକୁ ନେଇ ଅଲଗା ଅଲଗା ରିପୋର୍ଟ ସାମ୍ନାକୁ ଆସୁଛି।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସରାୟଲ କାଟଜ୍ ଏକ ବିବୃତ୍ତିରେ କହିଛନ୍ତି - ଦୁଇ ଇରାନୀ ନେତାଙ୍କୁ କାଲି ରାତିରେ ହତ୍ୟା କରାଯାଇଛି। ଇସ୍ରାଏଲୀୟ ସେନା ଏହା ପୂର୍ବରୁ କହିଥିଲା ଯେ, ସେମାନେ ସୋମବାର ଏକ ଆକ୍ରମଣରେ ଜେନେରାଲ ଗୁଲାମ ରଜା ସୁଲେମାନୀଙ୍କୁ ହତ୍ୟା କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଲିକ୍ ଅଡ଼ିଓରେ ସଙ୍ଗୀନ କଥା : ଇରାନର ନୂଆ ସୁପ୍ରିମୋ ମୋଜତବା ଖାମେନିଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ