ପତ୍ନୀଙ୍କୁ ଛାଡପତ୍ର ଦେବା ଜିଦରେ ତେଜପ୍ରତାପ,ମନାଇବାରେ ଲାଗିଛନ୍ତି ଦୁଇ ପରିବାର

ପାଟନା,୨।୬: ବିବାହର ୬ ମାସ ଭିତରେ ପତ୍ନୀ ଐଶ୍ବର୍ଯ୍ୟାଙ୍କ ବିରୋଧରେ ଛାଡପତ୍ର ମାମଲା ରୁଜୁ କରିଥିବା ରାଷ୍ଟ୍ରୀୟ ଜନତାଦଳର (ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କୁ ମନାଇବା ପାଇଁ ତାଙ୍କର ଶ୍ବଶୁର ଘର ପରିବାର ଲୋକ ଏକାଠି ହୋଇଛନ୍ତି। ନୂତନ ଭାବରେ ଦୁହିଁଙ୍କ ଭିତରେ ସମ୍ପର୍କକୁ ସଜାଡିବାର ଚେଷ୍ଟା ଆରମ୍ଭ ହୋଇଯାଇଛି। ଶନିବାର ତେଜପ୍ରତାପଙ୍କୁ ଭେଟିବାକୁ ତାଙ୍କ ଶାଶୁ ପୂର୍ଣ୍ଣିମା ରାୟ ପହଁଞ୍ଚିଥିଲେ। ଯଦିଓ ଏପର୍ଯ୍ୟନ୍ତ ମିଳିଥିଲା ସୂଚନା ଅନୁସାରେ ତେଜପ୍ରତାପ ଛାଡପତ୍ର ନେବା ପାଇଁ ଜିଦରେ ଅଟଳ ଥାଇ ମାମଲା ଲଢୁଛନ୍ତି।

ଗତ ଶୁକ୍ରବାର ପାଟନାରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ତେଜପ୍ରତାପ ଏବେ ଘରେ ବିଶ୍ରାମରେ ଅଛନ୍ତି। ଏହା ମଧ୍ୟରେ ତାଙ୍କୁ ଦେଖା କରିବାକୁ ଯୋରଦାର ଭିଡ ଆରମ୍ଭ ହୋଇଯାଇଛି। ଦୁର୍ଘଟଣା ଖବର ଜାଣିବା ପରେ ତେଜପ୍ରତାପଙ୍କ ଶ୍ବଶୁର ଚନ୍ଦ୍ରିକା ରାୟ ଏବଂ ତାଙ୍କର ପରିବାର ଲୋକ ରାବ୍ରୀ ଦେବୀଙ୍କୁ ଫୋନ୍ କରି ହାଲଚାଲ ପଚାରି ବୁଝିଥିଲେ। ଏପରିକି ଗତ ଶନିବାର ତେଜପ୍ରତାପଙ୍କୁ ତାଙ୍କ ଘରେ ଭେଟିବାକୁ ଶାଶୁ ପୂର୍ଣ୍ଣିମା ଆସିଥିଲେ। ଏହି ସମୟରେ ରାବ୍ରୀ ଦେବୀ ଏବଂ ମିସା ଭାରତୀ ଦୁହେଁ ଉପସ୍ଥିତ ଥିଲେ।

ଦୁଇ ପରିବାର ଭିତରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ତେବେ ତେଜପ୍ରତାପ କିନ୍ତୁ ପୂର୍ଣ୍ଣିମାଙ୍କ ସହିତ ଅଧିକ କଥା ହୋଇନଥିଲେ। କଥାବାର୍ତ୍ତା ମାଧ୍ୟରେ ଐଶ୍ବର୍ଯ୍ୟାଙ୍କ ସହ ଥିବା ବିବାଦର ସମାଧାନ କରିବାକୁ ଦୁଇ ପରିବାର ଚାହୁଁଥିଲେ। କିନ୍ତୁ ତେଜପ୍ରତାପ ଏହି ସମୟରେ ଐଶ୍ବର୍ଯ୍ୟାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏପରିକି ପରିବାର ଲୋକମାନେ ବହୁତ ବୁଝାଇବା ପରେ ମଧ୍ୟ ତେଜପ୍ରତାପ ତାଙ୍କ ଜିଦରେ ଅଟଳ ଅଛନ୍ତି।