ହାଇଦ୍ରାବାଦ,୨୮/୦୨:  ତେଲଙ୍ଗାନାର ନାଗରକୁର୍ଣ୍ଣୁଲରେ  ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ  କେନାଲ (ଏସ୍‌ଏଲ୍‌ବିସି) ସୁଡ଼ଙ୍ଗର ଏକ ଅଂଶ ଚଳିତମାସ ୨୨ ତାରିଖରେ  ଭୁଶୁଡ଼ି ପଡ଼ିଥିଲା । ଏଥିରେ ସେବେଠାରୁ  ୮ କର୍ମଚାରୀ ଫସିରହିଛନ୍ତି ସେମାନଙ୍କୁ  ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର ଅଭିଯାନ ଚାଲିଛି ।

ତାଜା ତଥ୍ୟ ମୁତାବକ,  ଉଦ୍ଧାରକାରୀ ଟିମ୍‌ଗୁଡ଼ିକ ଫସିରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ସୁଡ଼ଙ୍ଗ ବୋରିଂ ମେସିନ୍‌ (ଟିବିଏମ୍‌) ର ଅଂଶ ଏବଂ ଅନ୍ୟ ପ୍ରତିବନ୍ଧକକୁ  କାଟି ରାସ୍ତାରୁ ହଟାଉଛନ୍ତି । ସେହିଭଳି  ସୁଡ଼ଙ୍ଗରେ କାମ କରୁଥିବା କିଛି ଶ୍ରମିକ  ଭୟରେ କାମ ଛାଡ଼ି ପଳାୟନ କରୁଛନ୍ତି । 

ଏ ନେଇ ଜଣେ ବରିଷ୍ଠ ସରକାରୀ  ଅଧିକାରୀ କହିଛନ୍ତି, ଏସ୍‌ଏଲ୍‌ବିସି  ପ୍ରକଳ୍ପରେ ୮୦୦ ଲୋକ କାମ କରୁଛନ୍ତି ।  ଏମାନଙ୍କ ମଧ୍ୟରୁ ୩୦୦ ସ୍ଥାନୀୟ  ଅଞ୍ଚଳର ଓ ଅନ୍ୟମାନେ ଝାଡ଼ଖଣ୍ଡ,  ଓଡ଼ିଶା ଏବଂ ଉତ୍ତର ପ୍ରଦେଶର । ତାଙ୍କ ମୁତାବକ, ଶ୍ରମିକଙ୍କୁ କାମ କରିବାକୁ  ଡର ଲାଗିବା ସ୍ୱାଭାବିକ କଥା । ତେବେ କମ୍ପାନି ସେମାନଙ୍କ ପାଇଁ ଆବାସିକ ଶିବିର ନିର୍ମାଣ କରିଛି । କିଛି ଲୋକ ଫେରିଯିବାକୁ ଚାହିଁପାରନ୍ତି । କିନ୍ତୁ  ସମସ୍ତେ ଏକସଙ୍ଗେ ଛାଡ଼ି ଯାଉଥିବା ନେଇ ରିପୋର୍ଟ ଆମ ପାଖରେ ନାହିଁ ।