ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ, ସ୍ଵାମୀ ହାତରୁ କାଠ ପଡ଼ି ସ୍ତ୍ରୀ ମୃତ

ତେଲକୋଇ, ୧।୧୨ : ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ ସ୍ଵାମୀ ସ୍ତ୍ରୀ। ଅସାବଧାନତାବଶତଃ ସ୍ଵାମୀ ହାତରୁ କାଠ ପଡ଼ି ସ୍ତ୍ରୀ ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ପୁରୁଷୋତ୍ତମ ପୁର ଗ୍ରାମର ରାଜେଶ ମୁଣ୍ଡାଙ୍କ ପତ୍ନୀ ଜେମା ମୁଣ୍ଡା।

ସୂଚନା ମୁତାବକ, ପୁରୁଷୋତ୍ତମପୁର ଗ୍ରାମର ରାଜେଶ ମୁଣ୍ଡା ଓ ପତ୍ନୀ ଜେମା ମୁଣ୍ଡା ଗତ ବୁଧବାର ଦିନ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଉଭୟ କାଠ ଧରି ଘରକୁ ଫେରିବା ବେଳେ ଜଙ୍ଗଲରୁ ହାତୀ ଚିତ୍କାର ଶବ୍ଦ ଶୁଭୁଥିଲା । ହାତୀ ଶବ୍ଦ ଶୁଣି ଉଭୟ ଭୟଭୀତ ହୋଇଯାଇଥିଲେ । ଯାହା ଫଳରେ ଅସାବଧାନତା ହେତୁ ରାଜେଶ କାନ୍ଧେଇ ଥିବା କାଠଟି ତଳେ ପଡିଯାଇଥିଲା । କାଠଟି ତଳେ ପଡ଼ିବା ପୂର୍ବରୁ ଜେମାଙ୍କ କାନ ମୁଣ୍ଡରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକ ମୃତଦେହକୁ ଘରକୁ ନେଇ ସନ୍ଧ୍ୟାରେ ନିଜ ବାଡ଼ିରେ ଅନ୍ତିମ ସଂସ୍କାର କରିଥିବା ଜଣା ପଡ଼ିଛି। ତେବେ ଏହି ଘଟଣା ସମ୍ପର୍କରେ ଆଜି ଜଣା ପଡ଼ିବା ପରେ ତେଲକୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ଜଣାପଡ଼ିଛି ।
