ଭୁବନେଶ୍ୱର, ୧୫/୦୪ : ତାତିରେ ଫୁଟିବ ଅଧା ଓଡ଼ିଶା । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ । ବୁଧବାର ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଭବାନୀପାଟଣା, ବରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲାରେ ନିଆଁ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।
ବୁଧବାର ଉପକୂଳ ଓଡ଼ିଶାରେ ବି ପ୍ରବଳ ଗରମ ଓ ଗୁଳୁଗୁଳି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଏହି ସ୍ଥିତି ରହିବ । ୧୬ ତାରିଖରେ ତାତି ଆହୁରି ଭୟାନକ ଆଡ଼କୁ ଯାଇପାରେ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଅନେକ ସ୍ଥାନରେ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହୋଇପାରେ । ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଗ୍ରୀଷ୍ମପ୍ରବାହ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୭ ଓ ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିପାରେ ।
ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବନି । ତେବେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୭ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଟିଟିଲାଗଡ଼ରେ ଆଜି ଦିନ ତାପମାତ୍ରା ସର୍ବାଧିକ ୪୧.୭ ଡିଗ୍ରୀ ରହିଥିଲା । ହୀରାକୁଦ ଓ ସମ୍ବଲପୁରରରେ ୪୧.୫, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୪୧, ବଲାଙ୍ଗୀରରେ ୪୦.୩, ତାଳଚେରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଭୁବନେଶ୍ୱରରେ ୩୭.୩ ଓ କଟକରେ ୩୭ ଡିଗ୍ରୀ ରହିଥିଲା ।
ଏହି ଖବରଟିକୁ ପଢନ୍ତୁ- ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ