ରାୟପୁର,୧୩/୧୨: ଛତିଶଗଡର ସୁକ୍ମା ଜିଲ୍ଲାରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି । ଏହି ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୩୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଏହାକୁ ମିଶାଇ ଚଳିତବର୍ଷ ଜିଲ୍ଲାରେ ମୋଟ ୨୬୩ ଜଣ ମାଓବାଦୀ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ବୋଲି ଏସ୍ପି କିରନ ଚୌହାନ ସୂଚନା ଦେଇଛନ୍ତି ।
ପୁଲିସ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପୁନା ମାରଗେମ (ଥଇଥାନ ଯୋଜନା)ରେ ଅନୁପ୍ରାଣିତ ହୋଇ ସେମାନେ ପୁଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ଗୋଟିଏ ଏକେ-୪୭ ରାଇଫଲ, ୨ଟି ଏସ୍ଏଲ୍ଆର, ଗୋଟିଏ ଷ୍ଟେନ୍ଗନ ଓ ଗୋଟିଏ ବିଜିଏଲ୍ ମଧ୍ୟ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଲାଗି ୮ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ବସ୍ତର ରେଞ୍ଜ ପୁଲିସ ଆଇଜି ସୁନ୍ଦରରାଜ ପଟ୍ଟିଲିଙ୍ଗମଙ୍କ ସୂଚନା ଅନୁସାରେ ଗତ ୧୧ ମାସରେ ବସ୍ତରରେ ୧,୫୧୪ ମାଓବାଦୀ ହିଂସାଛାଡି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।