ବଙ୍ଗୋମୁଣ୍ଡ/ସିନ୍ଧେକେଲା, ୨୩।୬: ପ୍ରମେୟ-ନ୍ୟୁଜ୍‌ ୭ର କଣ୍ଟାବାଞ୍ଜି ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କର ୪୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଅତ୍ୟଧିକ ରକ୍ତଚାପ ଯୋଗୁଁ ଗତ ୨୦ ତାରିଖରେ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଖଡ଼ିଆଳ ସରକାରୀ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେତା ନ ଫେରିବାରୁ ତାଙ୍କୁ ୨୧ ତାରିଖରେ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ମୃତଦେହ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାପା ଜଳଧର ଭୋଇ ମୁଖାଗ୍ନି ଦେଇଥିଲେ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଉପାନ୍ତ ଗୋଇମୁଣ୍ଡ ଗ୍ରାମର ବାସିନ୍ଦା ଅଶୋକ ୨୦୦୯ରୁ ସାମ୍ବାଦିକତାରେ ସକ୍ରିୟ ଥିଲେ । ବିଭିନ୍ନ ଖବରକାଗଜ ସଂସ୍ଥାରେ କାମ କରିବା ପରେ ପ୍ରମେୟ-ନ୍ୟୁଜ୍‌ ୭ର କଣ୍ଟାବାଞ୍ଜି ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ସେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି, ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ଉପ ସଭାପତି, ଗୋଇମୁଣ୍ଡ ସ୍କୁଲର ପରିଚାଳନା କମିଟିର ସଭାପତି ଥିଲେ ।

ଏହା ବି ପଢ଼ନ୍ତୁ... Bailochan Juang: ବିଜେବି କଲେଜରେ ପଢ଼ିବେ ମେଧାବୀ ଛାତ୍ର ବୈଲୋଚନ ଜୁଆଙ୍ଗ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ଆଦିବାସୀଙ୍କ ହକପାଇଁ ଲଢ଼େଇ କରୁଥିଲେ । ୨୦୦୭ରେ ଗୋଇମୁଣ୍ଡ ସମିତିସଭ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ପାଠପଢ଼ା ସମୟରେ ଟିଟିଲାଗଡ଼ ଡିଏଭି କଲେଜରେ ଛାତ୍ରସଂସଦ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ ପାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଉପସଭାପତି ସୁରେଶ ଭୋଇ, ଆଦିବାସୀ ନେତା ଗିରିରାଜ ସିଂ ମାଝୀ, କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ମୁକେଶ ବାଗ, କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଶେଷ ଦର୍ଶନ କରିଥିଲେ । ସୂଚନାଯୋଗ୍ୟ, ଜଳଧର ଓ ପଦ୍ମାବତୀଙ୍କ ଏକମାତ୍ର ପୁଅ ଥିଲେ ଅଶୋକ । ତାଙ୍କ ପରଲୋକରେ ସ୍ତ୍ରୀ ଦେବକୀ, ଝିଅ ଲିପ୍ସାରାଣୀ(୧୫) ଓ ଲିଲିମା(୧୨) ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।