PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ବଦଳିବ ଶିକ୍ଷକଙ୍କୁ ‘ରାଜ୍ୟ ପୁରସ୍କାର’ ଗାଇଡ୍‌ଲାଇନ୍‌

କଟକ,୧୫ା୨(ବ୍ୟୁରୋ): ଶିକ୍ଷାଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ କୃତୀ ଶିକ୍ଷକଙ୍କୁ ରାଜ୍ୟ ପୁରସ୍କାର ପାଇଁ ଚୟନ ନିମନ୍ତେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ହାଇକୋର୍ଟ ଆଜି ରଦ୍ଦ କରିଦେଇଛନ୍ତି । କେବଳ ସରକାରୀ ବିଦ୍ୟାଳୟ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ରାଜ୍ୟ ପୁରସ୍କାର ପାଇଁ ଚୟନ କରାଯିବ ବୋଲି ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିବା ସହ ରାଜ୍ୟ ପୁରସ୍କାର ପାଇଁ ସବୁ ବର୍ଗର ଯଥା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁରସ୍କାର ପାଇଁ ଶିକ୍ଷକ ଚୟନ ନିମନ୍ତେ ନୂତନ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ବେଳପାହାଡ ବି.ଆର୍‌. ହାଇସ୍କୁଲ୍‌ର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ତ୍ରିପାଠୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ବିଦ୍ୟୁତ ରଂଜନ ଷଡଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବାରେ ଯେଉଁ ଶିକ୍ଷକଙ୍କ ବିଶେଷ ଅବଦାନ ଥାଏ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଥାନ୍ତି । ପ୍ରଥମେ ଏହି ପୁରସ୍କାରକୁ ‘ରାଜ୍ୟପାଳ ପୁରସ୍କାର’ ଭାବେ ନାମିତ କରାଯାଇଥିଲା । ପରେ ରାଜ୍ୟ ସରକାର ଏହି ନାମରେ ପରିବର୍ତ୍ତନ କରି ଏହାକୁ ‘ରାଜ୍ୟ ପୁରସ୍କାର’ ନାମରେ ନାମିତ କଲେ । ୨୦୧୭ ବର୍ଷ ପାଇଁ ଶିକ୍ଷକମାନଙ୍କୁ ‘ରାଜ୍ୟ ପୁରସ୍କାର’ରେ ପୁରସ୍କୃତ କରିବା ଲାଗି ରାଜ୍ୟ ସରକାର ୨୦୧୮ ମାର୍ଚ୍ଚ ୧୪ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ବିଜ୍ଞପ୍ତି ଜରିଆରେ ଯୋଗ୍ୟ ଶିକ୍ଷକମାନଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ତେବେ ପୁରସ୍କାର ପାଇଁ କେବଳ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଆବେଦନ କରିପାରିବେ ବୋଲି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଥିଲା । ଏ ସଂପର୍କରେ ବିଜ୍ଞପ୍ତିରେ ସର୍ତ୍ତାରୋପ କରାଯାଇଥିଲା । ଏହାକୁ ଶିକ୍ଷକ ଶ୍ରୀ ତ୍ରିପାଠୀ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଏହି ମାମଲାର ଶୁଣାଣି ପରେ ରାୟ ପ୍ରକାଶ ପାଇଛି ।
ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ, ଗୋଟିଏ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ହିଁ ଅନୁମତି ପ୍ରଦାନ କରିଥାନ୍ତି । ତେଣୁ ଏଭଳି କ୍ଷେତ୍ରରେ ଘରୋଇ ସ୍କୁଲ୍‌ଠାରୁ ସରକାରୀ ବିଦ୍ୟାଳୟକୁ ଅଲଗା କରିବା ଆଇନତଃ ଗ୍ରହଣୀୟ ନୁହେଁ । ଘରୋଇ ବିଦ୍ୟାଳୟ ହେଉ କି’ ସରକାରୀ ବିଦ୍ୟାଳୟ ଉଭୟ କ୍ଷେତ୍ରରେ ଶିକ୍ଷକଙ୍କର ସମାନ ଭୂମିକା ରହୁଛି । ସବୁ ଶିକ୍ଷକ ଛାତ୍ରଛାତ୍ରୀଙ୍କଉ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ଦିଗରେ କାର୍ଯ୍ୟ କରୁଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ଘରୋଇ, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଆଦି ବିଭିନ୍ନ ବର୍ଗରେ ଶିକ୍ଷକମାନଙ୍କୁ ବିଭକ୍ତ କରି ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରାଯାଇ ପାରିବ ନାହିଁ । ରାଜ୍ୟ ପୁରସ୍କାର ଗାଇଡ୍‌ ଲାଇନ୍‌ ସଂପର୍କରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଦ୍ୱାରା ବେସରକାରୀ ଅନୁଷ୍ଠାନ, ଘରୋଇ ଏବଂ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଶିକ୍ଷକ ପୁରସ୍କାର ପ୍ରକ୍ରିୟାରୁ ବାଦ୍‌ ହେଇଛନ୍ତି । ଫଳରେ ଏହା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଶିକ୍ଷକଙ୍କ ମଧ୍ୟରେ ଏକ ବିରାଟ ପ୍ରାଚୀର ଠିଆ କରୁଛି । ତେଣୁ ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞପ୍ତି ବେଆଇନ ଏବଂ ସ୍ୱେଚ୍ଛାଚାରମୂଳକ । କୌଣସି ସରକାରୀ ନୀତି ଯଦି ବେଆଇନ ଭାବେ କରାଯାଇ ନଥାଏ ତାହେଲେ ଏଥିରେ ଅଦାଲତ ହସ୍ତକ୍ଷେପ କରିବାର କୌଣସି କାରଣ ନଥାଏ । କିନ୍ତୁ ଏଠି ସରକାର ମନମୁଖୀ ଭାବେ ରାଜ୍ୟ ପୁରସ୍କାର ଲାଗି ନୀତି ପ୍ରସ୍ତୁତ କରିଥିବାରୁ ଅଦାଲତ ଏଥିରେ ହସ୍ତକ୍ଷେପ କରିଛନ୍ତି । ଘରୋଇ ଶିକ୍ଷାନୁଷ୍ଠାନର ଭୂମିକା ସଂପର୍କରେ ମତ ରଖି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ, ଯଦି ଦେଖାଯାଏ ତେବେ ଅନେକ ସରକାରୀ ଅନୁଷ୍ଠାନ ଠାରୁ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବହୁ ଭଲ ଫଳ କରୁଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ହାଇକୋର୍ଟ ମତ ଦେବା ସହ ଏହି ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ଏଥିସହ ରାଜ୍ୟ ସରକାର ‘ରାଜ୍ୟ ପୁରସ୍କାର’ ଚୟନ ଲାଗି ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଗାଇଡ୍‌ ଲାଇନ୍‌ରେ ସମସ୍ତ ସରକାରୀ, ଅଣସରକାରୀ, ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କ ପାଇଁ ସୁଯୋଗ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।