ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ବେଗୁନିଆ,୨୭ା୧(ଆପ୍ର): ଦେଶ ୭୦ତମ ଜନରାଜ୍ୟ ଦିବସ ପାଳନ କରୁଥିବା ବେଳେ ଜମ୍ମୁ-କାଶ୍ମୀରର ବାରମୂଳା ସେକ୍ଟରରେ ଯବାନ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ହେମନ୍ତ କୁମାର ପଣ୍ଡା(୨୩) ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି । ସହିଦ ଯବାନଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ପଞ୍ଚାୟତର ଅଠରାଙ୍ଗ ଗ୍ରାମରେ ।
ସହିଦ ହେମନ୍ତ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ନିକଟସ୍ଥ ଦେଉଳି କଲେଜରୁ ବିଏ ପାସ କରିଥିଲେ । ତାଙ୍କ ପିତା ପବିତ୍ର ମୋହନ ପଣ୍ଡା ଅବସରପ୍ରାପ୍ତ ସୁବେଦାର ମେଜର ଥିବାରୁ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହୋଇ ଯବାନ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଗତ ୩ବର୍ଷ ତଳେ ସେ ୪୩ ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟରେ ଯୋଗ ଦେଇଥିଲେ । ପରେ ତାଙ୍କୁ ଜମ୍ମୁ-କାଶ୍ମୀରର ବାରମୂଳା ସେକ୍ଟରକୁ ବଦଳି କରାଯାଇଥିଲା । ସେଠାରେ ସେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ ।
ପୈତୃକ ସ୍ଥାନ ଅଠରାଙ୍ଗରେ ବାପା ପବିତ୍ର ପଣ୍ଡା, ମାଆ ମନି ଦେଇ ଥିବା ବେଳେ ତାଙ୍କର ଅନ୍ୟ ଦୁଇ ଭଉଣୀ ବିବାହ କରିଛନ୍ତି । ଆତଙ୍କବାଦୀ ଆକ୍ରମଣରେ ହେମନ୍ତ ସହିଦ ହେବା ଖବର ଜାଣିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଜି ସନ୍ଧ୍ୟା ସୁଦ୍ଧା ଶହୀଦ ହେମନ୍ତଙ୍କ ପାର୍ôଥବ ଶରୀର ଏଠାରେ ପହଞ୍ଚି ନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶହୀଦ ହେମନ୍ତଙ୍କୁ ପାଇଁ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।