ଭୁବନେଶ୍ଵର, ୦୫/୦୬ : ଦୁନିଆର ସବୁଠୁ ବଡ଼ ବାୟୋଲୋଜିକାଲ ସିରିଏଲ କିଲର... ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଆକର୍ଷକ। ମନ ମୋହିନିଏ ଏହାର ଫୁଲ। ଏହା ଏମିତି ଏକ ଅଦରକାରୀ ଦଳ, ଯାହା ନଦୀନାଳରେ ଆପେଆପେ ଉଠିଯାଏ। ହେଲେ ଧୀରେ ଧୀରେ ପାଣିକୁ ରକ୍ତ ଭଳି ଶୋଷିନିଏ। ଏକ ଚିରସ୍ରୋତା ନଦୀକୁ ଶୁଷ୍କ କରିଦିଏ। ଏହା ହେଉଛି ୱାଟର ହାଇସିନ୍ଥ, ଏକ ବିଦେଶୀ ଅନୁପ୍ରବେଶକାରୀ। ଯାହା ଭାରତୀୟ ନଦୀକୁ ହାଇଜ୍ୟାକ୍ କରିସାରିଲାଣି। ଏହାକୁ ଟେରର ଅଫ୍ ବେଙ୍ଗଲ ବି କୁହାଯାଏ। ତେବେ ଜାଣିଛନ୍ତି କି ? ଭାରତକୁ କେମିତି ଆସିଲା ଏହି ଗ୍ରୀନ୍ ଭାମ୍ପେୟାର ?
୧୮୮୦ ଦଶକରୁ ଏହି ଗ୍ରୀନ୍ ଭାମ୍ପେୟାରର କାହାଣୀ ଆରମ୍ଭ। ଭାରତ ସେତେବେଳେ ବ୍ରିଟିଶ୍ ଶାସନର ଅଧିନରେ ଥିଲା। ବ୍ରିଟିଶ୍ ଅଫିସର ଏବଂ ତାଙ୍କ ପତ୍ନୀମାନେ ପ୍ରାୟ ସମୟରେ ମନୋରଞ୍ଜନ ପାଇଁ ଦକ୍ଷିଣ ଆମେରିକା ବୁଲିବାକୁ ଯାଉଥିଲେ। ସେଠାରେ ସେମାନେ ଏହି ହାଲକା ବାଇଗଣୀ ରଙ୍ଗର ସୁନ୍ଦର ଫୁଲକୁ ଦେଖିଥିଲେ। ବ୍ରିଟିଶ୍ ଏଲିଟସ୍ଙ୍କୁ ଏହା ଏତେ ପସନ୍ଦ ଆସିଥିଲା ଯେ, ସେ ଏହାକୁ ନିଜ ସାଙ୍ଗରେ ଭାରତ ନେଇଆସିଥିଲେ। ସେ ଏହାକୁ ଏକ ଡେକୋରିୟମ୍ ପ୍ଲାଣ୍ଟ ଭାବିଥିଲେ। ହେଲେ ସେ ଜାଣିନଥିଲେ, ତାଙ୍କ ସହ ସେ ଏକ ସବୁଜ ମୋନଷ୍ଟରକୁ ନେଇଆସିଛନ୍ତି। କିଛି ଦିନ ପରେ ପଶ୍ଚିମବଙ୍ଗରେ ପ୍ରବଳ ବନ୍ୟା ହେଲା। ବନ୍ୟାଜଳ ପଶି ବ୍ରିଟିଶ୍ ଅଫିସରଙ୍କ ପୋଖରୀ ପାଣି ଉଛୁଳି ନଦୀରେ ମିଶିଲା। ଏହାପରେ ଏହି ସୁନ୍ଦର ଫୁଲଗଛ ପୋଖରୀରୁ ସବୁଦିନ ପାଇଁ ମୁକ୍ତ ହୋଇଗଲା। ଏଇଠୁ ଆକ୍ଟିଭେଟ୍ ହେଲା ପ୍ରକୃତିର ସବୁଠୁ ବଡ଼ ହ୍ୟାକିଂ ମୋଡ୍। ଏହି ଦଳ ମାଡ଼ିବାକୁ କୌଣସି ମଞ୍ଜିର ଆବଶ୍ୟକତା ନଥିଲା। ଏହା ନିଜେ ନିଜେ କ୍ଲୋନିଂ କରୁଥିଲା। ଏହାର ଚେରରୁ ନୂଆ ଗଛ ସୃଷ୍ଟି ହେବାରେ ଲାଗିଲା। ଧୀରେ ଧୀରେ ନଦୀ ସାରା ଏହି ଦଳ ମାଡ଼ିଗଲା।
ସବୁଠୁ ଆଶ୍ଚର୍ଯ୍ୟ କଥା, ମାତ୍ର ୨ ସପ୍ତାହରେ ଏହି ଗଛ ଦୁଇ ଗୁଣା ବଂଶ ବିସ୍ତାର କରିପାରେ। କେବଳ ଗୋଟିଏ ଗଛ, କିଛି ମାସ ମଧ୍ୟରେ ହଜାରେ ବର୍ଗ କିଲୋମିଟରର ନଦୀକୁ ପୁରାପୁରି ଢାଙ୍କିଦିଏ। ହେଲେ ପ୍ରକୃତ ହରର ପିକ୍ଚର ପାଣି ଭିତରେ ହୁଏ। ଏହି ଚାଦର ସୂର୍ଯ୍ୟ କିରଣକୁ ନଦୀ ପାଣିରେ ପଡିବାକୁ ରୋକେ। ଏହାଦ୍ଵାରା ପାଣିରୁ ଅକ୍ସିଜେନ୍ କମିଯାଏ। ନଦୀ ପାଣିକୁ ଶୋଷି ଏହା ତୀବ୍ର ଗତିରେ ନଦୀକୁ ଶୁଷ୍କ କରିଦିଏ। ପାଣି ଭିତରକୁ ଅକ୍ସିଜେନ୍ ନଯିବାରୁ ମାଛ, କଙ୍କଡା ସବୁ ଛଟପଟ ହୋଇ ମରିଯାଆନ୍ତି। ବିଶେଷଜ୍ଞ ଏହା ବିଷୟରେ ଜାଣିଲା ବେଳକୁ ତାଙ୍କର ହୋସ୍ ଉଡ଼ିଗଲା। ଦେଖୁ ଦେଖୁ ଏହି ଗ୍ରୀନ୍ ମୋନଷ୍ଟର ପୁରା ବେଙ୍ଗଲରେ ଥିବା ନଦୀ ନାଳ ଉପରେ ଏକ ମୋଟା ଅଭେଦ୍ୟ ସବୁଜ ଆସ୍ତରଣ ବିଛେଇଦେଲା। ଏହି ଚାଦର ଏତେ ମୋଟା ଯେ, ଏହା ଉପରେ ଜଣେ ମଣିଷ ଆରାମରେ ଚାଲିପାରିବ। ତେବେ ବେଙ୍ଗଲର ଖାଦ୍ୟପେୟ ଏବଂ ଟ୍ରାନ୍ସପୋଟେସନ ପୁରାପୁରି ନଦୀ ଉପରେ ନିର୍ଭର। ନଦୀ ଉପରେ ଏହି ମୋଟା ଚାଦର ମାଡିଯିବାରୁ ଡଙ୍ଗା ଚଳାଚଳ ବାଧାପ୍ରାପ୍ତ ହେଲା। ମାଛ ମରିଗଲେ। ଏହାଦ୍ଵାରା ଖାଦ୍ୟ ସଙ୍କଟ ଦେଖାଦେଲା। ବଳକା ଥିବା ଅପରିଷ୍କାର ପାଣିରେ ମଶା ମାଛି ଅଣ୍ଡା ଦେଲେ। ଯାହାଦ୍ଵାରା ମ୍ୟାଲେରିଆ ଏବଂ ହଇଜା ଭଳି ମାରାତ୍ମକ ରୋଗ ମାଡ଼ିଗଲା। ଏହି ସୁନ୍ଦରୀ ଫୁଲ ଦେଖୁ ଦେଖୁ ବେଙ୍ଗଲର ଇକୋ ସିଷ୍ଟମ ଏବଂ ଅର୍ଥନୀତିକୁ ପୁରାପୁରି ହାଇଜ୍ୟାକ୍ କରିନେଲା। ଏଥିପାଇଁ ଏହା ଦ ଟେରର ଅଫ୍ ବେଙ୍ଗଲ କୁହାଯାଏ।
ଆହୁରି ପଢନ୍ତୁ- କଂକ୍ରିଟ୍ ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇଗଲେଣି ଭୁବନେଶ୍ୱରବାସୀ, କାନ୍ଦୁଛି ଖଣ୍ଡଗିରି-ଉଦୟଗିରି, ଭରତପୁର ଡାକୁଛି ବଞ୍ଚାଅ
ଏହି ଗଛ ଭାରତକୁ ଆସିବାର ଶହେ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଗଲାଣି। ହେଲେ ଏହି ଦଳକୁ ନିମୂଳ କରିବାରେ ଭାରତ, ବାଙ୍ଗଲାଦେଶ ଏବଂ ଏସିଆ ସରକାରଙ୍କ ସବୁଚେଷ୍ଟା ବିଫଳ ହେଉଛି। ପ୍ରତି ବର୍ଷ ସରକାର ଏହାକୁ ସଫା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମେସିନ୍ ଲଗାଉଛନ୍ତି। ହେଲେ ପାଣିରେ ଯଦି ଏହାର ଏକ ଛୋଟ ଚେରବି ରହିଯାଉଛି ତାହେଲେ ଏହା କିଛି ସପ୍ତାହ ମଧ୍ୟରେ ପୁଣି ପାଣିକୁ ଢାଙ୍କିଦେଉଛି। ତେବେ ଇଂରେଜ ତ ତାଙ୍କର ମନୋରଞ୍ଜନ ପାଇଁ ଏହି ଫୁଲଗଛକୁ ଆଣିଥିଲେ। ହେଲେ ପ୍ରକୃତି ଏହି ସୁନ୍ଦର ଗଛକୁ ଏକ ଗ୍ରୀନ୍ ଭାମ୍ପେୟାରରେ ପରିଣତ କରିଦେଇଛି। ଯିଏ ଭାରତର ନଦୀ ଗୁଡ଼ିକୁ ଗିଳିବାକୁ ବସିଲାଣି।