ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ; କର୍ତ୍ତବ୍ୟରେ ଅବହେଳା ପାଇଁ ବିଦା ହେବେ କମାଣ୍ଡର!

ନୂଆଦିଲ୍ଲୀ, ୨୧ ।୬ (ଏଜେନ୍ସି): ଦୁର୍ନୀତି ଏବଂ ଖରାପ ପ୍ରଦର୍ଶନ ପାଇଁ ଅନେକ ଆୟକର ଓ ପ୍ରଶାସନିକ ଅଧିକାରୀମାନଙ୍କୁ ପଦରୁ ବିଦା କରିବା ପରେ ମୋଦି ସରକାର ଏବେ ସେନାର କିଛି କମାଣ୍ଡରଙ୍କ ବିରୋଧରେ ଏଭଳି ପଦକ୍ଷେପ ନେବାକୁ ଚାହୁଁଛନ୍ତି । ଉରି ବ୍ରିଗେଡ ମୁଖ୍ୟାଳୟ, ନାଗ୍ରୋଟା ଆର୍ଟିଲାରୀ ବେସ୍ ଏବଂ ସୁଞ୍ଜୱାନ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସରକାର ଉକ୍ତ ତିନୋଟି ଶିବିରର କମାଣ୍ଡରମାନଙ୍କୁ ଚାକିରିରୁ ବିଦା କରିବାକୁ ଯୋଜନା କରିଛନ୍ତି । ସରକାର ଚାହୁଁଛନ୍ତି କି ଏହି କମାଣ୍ଡରମାନେ ନିଜ ପଦରୁ ଇସ୍ତଫା ପ୍ରଦାନ କରନ୍ତୁ । କିନ୍ତୁ ଏହା ପରେ ବି ସେମାନେ ଅବସରପ୍ରାପ୍ତ ସେନା ଅଧିକାରୀଭାବେ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ପାଇପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
୨୦୧୬ରେ ନାଗ୍ରୋଟା ଏବଂ ଉରି କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲାବେଳେ ଗତ ବର୍ଷ ସୁଞ୍ଜୱାନ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା । ଏହି ତିନୋଟି ଘଟଣାରେ ସମୁଦାୟ ୩୬ ଜଣ ସେନା ଅଧିକାରୀ ଓ ଯବାନ ସହିଦ ହୋଇଥିଲେ । ଏସବୁ ଘଟଣାର ତଦନ୍ତରୁ କ୍ୟାମ୍ପଗୁଡିକର ସୁରକ୍ଷାରେ ଅନେକ ପ୍ରକାର ଦୁର୍ବଳତା ଥିବାର ଜଣାପଡିଥିଲା । ଉରି କ୍ୟାମ୍ପ ଉପରେ ଆକ୍ରମଣ ହେବା ସମ୍ପର୍କରେ ଆଗୁଆ ଗୁଇନ୍ଦା ସୂଚନା ମିଳିଥିଲେ ମଧ୍ୟ ଏହାକୁ ରୋକାଯାଇପାରିନଥିଲା । ସେହିପରି ଯବାନମାନଙ୍କ ପାଇଁ ଅତି ସୁରକ୍ଷିତ ବିଶ୍ରାମ ସ୍ଥଳ ଥିଲେ ମଧ୍ୟ ସେମାନଙ୍କୁ ତମ୍ବୁ ବାନ୍ଧି ରଖାଯାଉଥିଲା । ନାଗ୍ରୋଟା କ୍ୟାମ୍ପରେ ଜଣେ ଆତଙ୍କବାଦୀ ସୁରକ୍ଷା ଘେରା ଭାଙ୍ଗି ଭିତରେ ପ୍ରବେଶ କରିବାରେ ସଫଳ ହୋଇଥିଲା । କ୍ୟାମ୍ପ ଭିତରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ସେ କେମିତି ସହଜରେ ତା’ ଭିତରେ ପ୍ରବେଶ କରିଗଲା, ତାହା ଏକ ପ୍ରଶ୍ନବାଚୀ । ସେହିପରି ଉକ୍ତ ଆତଙ୍କବାଦୀ କ୍ୟାମ୍ପ ଭିତରେ ଯାଉଥିଲାବେଳେ ତା’ ସାମ୍ନାରେ ମେସିନ ଗନ ଧାରୀ ଯବାନ ମୁତୟନ ହୋଇଥିଲେ ମଧ୍ୟ ତା’କୁ ରୋକିବାକୁ ଉଦ୍ୟମ କରିନଥିଲେ ।
ଏସବୁଥିରୁ ଉକ୍ତ କ୍ୟାମ୍ପଗୁଡିକର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଅବହେଳା ପ୍ରଦର୍ଶନ କରାଯାଇଥିବାର ପ୍ରମାଣିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଖୁବ ଅସନ୍ତୁଷ୍ଟ ଅଛନ୍ତି । ସେ ସ୍ଥଳସେନା ଓ ବାୟୁସେନା ଅଧିକାରୀଙ୍କ ସହିତ ଆଲୋଚନା ସମୟରେ ନିଜର ଅସନ୍ତୋଷ ଜାହିର କରିସାରିଛନ୍ତି । ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏସବୁ ଘଟଣା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରାଯାଉ ବୋଲି ଚାହୁଁଥିଲେ । ସେନାକୁ ସରକାର ସୂଚୀତ କରିଥିଲେ କି ନୂଆ ସରକାର ଗଠନ ହେବା ପରେ ପରେ ଉକ୍ତ ଅଧିକାରୀମାନଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଉ ।
ଅନ୍ୟପକ୍ଷରେ ବରିଷ୍ଠ କମାଣ୍ଡରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରସ୍ତାବକୁ ସେନା ବିରୋଧ କରୁଛି । ଆତଙ୍କବାଦୀ ନିଜ ଯୋଜନାରେ ସଫଳ ହୋଇଗଲେ ବୋଲି ସେନା କମାଣ୍ଡରଙ୍କୁ ଦଣ୍ଡିତ କରାଯିବା କ’ଣ ଠିକ୍ ହେବ ବୋଲି ସେନା ପ୍ରଶ୍ନ କରିଛି । ତା’ଛଡା ସେନା ତରଫରୁ ଏସବୁ ଘଟଣାର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇସାରିଛି । କ୍ୟାମ୍ପଗୁଡିକର ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବାକୁ ବି ପଦକ୍ଷେପ ନିଆଯାଇଛି । ତେଣୁ ଏବେ ପୁଣି ଥରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ?