ନୂଆଦିଲ୍ଲୀ, ୨୫।୨: ପାକିସ୍ତାନରେ ମାତିଛନ୍ତି ଆତଙ୍କବାଦୀ । ମଙ୍ଗଳବାର ଦେଶର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସୁରକ୍ଷାକର୍ମୀ ଥିବା ଜଣାପଡ଼ିଛି । ପଞ୍ଜାବ ପ୍ରାନ୍ତରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ବେଳେ ଖାଇବର ପାଖ୍ତୁନଖ୍ୱାରେ ପୁଲିସ ଗାଡ଼ିକୁ ଟାର୍ଗେଟ୍ କରିଛନ୍ତି ବନ୍ଧୁକଧାରୀ । ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଅନ୍ତର୍ଗତ ଭକ୍କର ଜିଲ୍ଲାରେ ଥିବା 'ଦଜ୍ଜାଲ ଆନ୍ତଃ-ରାଜ୍ୟ ଚେକ୍ ପୋଷ୍ଟ' ନିକଟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଛି । ଏଥିରେ ୪ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ସହୀଦ ହୋଇଛନ୍ତି । 'ଅନସାର-ଉଲ୍-ଇସଲାମ' ନାମକ ଏକ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ପରିଚୟ 'ଆବୁ ଦର୍ଦା' ବୋଲି ଜଣାପଡ଼ିଛି । ସୂଚନାନୁସାରେ, ଏହା ପୂର୍ବରୁ ଏହି ସଂଗଠନ କେବଳ ଖାଇବର ଅଞ୍ଚଳରେ ସକ୍ରିୟ ଥିଲା, କିନ୍ତୁ ପ୍ରଥମ ଥର ପାଇଁ ଏଭଳି ବଡ଼ ଧରଣର ଆକ୍ରମଣର ଦାୟିତ୍ୱ ନେଇଛି ।

ଏହା ବି ପଢ଼ନ୍ତୁ... ଟ୍ରମ୍ପଙ୍କ ଖୋଲା ଧମକ: ବୁଝାମଣାରୁ ହଟିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା, ଲାଗିବ ୧୦% ଟାରିଫ୍

ସେହିପରି ଦେଶର ଉତ୍ତର-ପଶ୍ଚିମ ପ୍ରାନ୍ତ ଖାଇବର ପଖ୍‌ତୁନଖ୍ୱାର ​​​​କୋହାଟ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପୋଲିସ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଏବଂ ୨ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ହେଉଥିବା ଏହି ଆକ୍ରମଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ସମସ୍ତ ସୀମାନ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।