ନୂଆଦିଲ୍ଲୀ, ୨୫।୨: ବିଶ୍ୱ ଉପରେ ୧୦% ଟାରିଫ୍ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କ ମନମୁଖୀ ଶୁଳ୍କନୀତି ଉପରେ ସେଠାକାର ସୁପ୍ରିମ୍କୋର୍ଟଙ୍କ ଛାଟ ବାଜିବା ପରେ ମଙ୍ଗଳବାରରୁ ଦେଶଗୁଡ଼ିକ ଉପରେ ଲାଗୁ ହୋଇଛି ଟ୍ରମ୍ପଙ୍କ ନୂଆ ୧୦% ଟାରିଫ୍ । ନିଜର ବାଣିଜ୍ୟ ନୀତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ହ୍ୱାଇଟ୍ ହାଉସ୍ ଦ୍ୱାରା ଏହା ଏକ ନୂତନ ପ୍ରୟାସ । ଗତ ଶୁକ୍ରବାର ଟ୍ରମ୍ପ ଏକ ନିର୍ଦ୍ଦେଶନାମାରେ ମୋହର ମାରିଥିଲେ । ୧୯୭୪ ବାଣିଜ୍ୟ ଆଇନର ଧାରା ୧୨୨ ଅଧୀନରେ ଏହି ନିର୍ଦ୍ଦେଶନାମାରେ ୧୦% ଆମଦାନି ଶୁଳ୍କକୁ ଅନୁମୋଦନ ମିଳିଥିଲା । ଏ ବ୍ୟବସ୍ଥା ରାଷ୍ଟ୍ରପତିଙ୍କୁ ବିନା କଂଗ୍ରେସର ଅନୁମୋଦନରେ ୧୫୦ ଦିନ ପାଇଁ ୧୫% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିବାର ଅନୁମତି ଦେଇଥାଏ । ଏହାକୁ ଆପାତକାଳୀନ ଶୁଳ୍କ କୁହାଯାଇଥାଏ । ଦେଶରେ ଭୟଙ୍କର ବାଲାନ୍ସ-ଅଫ୍-ପେମେଣ୍ଟ ସମସ୍ୟାର ନିୟନ୍ତ୍ରଣ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଏହି ଅଧିକାର ମିଳିଥାଏ । ପୂର୍ବରୁ ଟ୍ରମ୍ପ ବିଶ୍ୱ ପାଇଁ ଶୁଳ୍କକୁ ୧୫%କୁ ବଢ଼ାଇବା ପାଇଁ ଧମକ ଦେଇଥିଲେ କିନ୍ତୁ ୧୦% ଶୁଳ୍କ କାର୍ଯ୍ୟକାରୀ ହେବା ପୂର୍ବରୁ କୌଣସି ଔପୋଚାରିକ ନିର୍ଦ୍ଦେଶ ଜାରି ହୋଇ ନ ଥିଲା । ତେଣୁ ଶେଷରେ ୧୦% ଶୁଳ୍କକୁ ମଙ୍ଗଳବାର ସକାଳ ୧୦ଟା ୩୧ରୁ କାର୍ଯ୍ୟକାରୀ କରାଯାଇଛି ।
ଏହା ବି ପଢ଼ନ୍ତୁ... 'ମୁଁ ଅନେକ ଲୋକଙ୍କ ଟାର୍ଗେଟରେ ଜାଣିନି ଆଉ କେତେ ଦିନ ବଞ୍ଚିବି'... କାହିଁକି ଏମିତି କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଗ୍ଲୋବାଲ ଟାରିଫ୍ କୁ ୧୫%କୁ ବଢ଼ାଇବା ପାଇଁ ହ୍ୱାଇଟ୍ ହାଉସ୍ ଏକ ଔପୋଚାରିକ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛି । ତେବେ ଏହି ଶୁଳ୍କ ଲାଗୁ କରିବାର ସମୟସୀମା ନିର୍ଦ୍ଧାରଣ କରାଯାଇନାହିଁ । ପ୍ରକାଶଯୋଗ୍ୟ, ଟ୍ରମ୍ପଙ୍କ ଆକ୍ରାମକ ଟାରିଫ୍ ନିଷ୍ପତ୍ତିକୁ ବିରୋଧ କରି ଆମେରିକା ସୁପ୍ରିମ୍କୋର୍ଟ ଏହାକୁ ଅବୈଧ ଘୋଷଣା କରିବା ପରେ ନୂଆ ଟାରିଫ୍ ଲାଗୁ କରାଯାଇଛି । ଅର୍ଥନୀତିଜ୍ଞମାନଙ୍କ ମୁତାବକ, ଟ୍ରମ୍ପଙ୍କ ଯେସାକୁ ତେସା ଟାରିଫ୍ ନିଷ୍ପତ୍ତି ଦ୍ୱାରା ଆମେରିକା ସରକାର ୧୭୫ ବିଲିୟନ ଡଲାର ବା ୧୫.୭୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାରଙ୍କୁ ଏହି ରାଜସ୍ୱକୁ ଫେରାଇବାକୁ ପଡ଼ିପାରେ ।
ରୟଟର୍ସ ମୁତାବକ, ଅନ୍ତରାଷ୍ଟ୍ରୀୟ ଆପାତକାଳୀନ ଅର୍ଥନୈତିକ କ୍ଷମତା ଆଇନ(ଆଇଇଇପିଏ) ଅଧୀନରେ ଲଗାଯାଇଥବା ଟାରିଫ୍ରୁ ଆମେରିକା ପ୍ରତିଦିନ ୫୦ କୋଟି ଡଲାର ବା ୪,୫୦୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିଲା । ଏବେ ଏହାକୁ ରଦ୍ଦ କରାଯିବା ପରେ କମ୍ପାନିଗୁଡ଼ିକ ଫେରସ୍ତ ଦାବି କରିପାରନ୍ତି । ଏହି ଆଇନ ଅଧୀନରେ ଅମେରିକା ରାଷ୍ଟ୍ରପତି ନେଇଥିବା ଟାରିଫ୍ ନିଷ୍ପତ୍ତି ଅବୈଧ ବୋଲି କୋର୍ଟ ଦର୍ଶାଇଛନ୍ତି । ଆଇଇଇପିଏ ଅଧୀନରେ ଶୁଳ୍କ ଲଗାଇବାର କ୍ଷମତା ଆମେରିକା କଂଗ୍ରେସ୍ର ରହିଥାଏ, ରାଷ୍ଟ୍ରପତିଙ୍କର ନୁହେଁ ବୋଲି କୋର୍ଟ କହିଛନ୍ତି । ଟ୍ରମ୍ପ ଭାରତ ଉପରେ ପ୍ରଥମେ ୫୦% ଟାରିଫ୍ ଲଗାଇଥିଲେ, ଯାହାକୁ ପରେ ୧୮% କରିଥିଲେ । କିନ୍ତୁ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ପରେ ଭାରତ ଏବେ ପୁନଃ ମୂଲଚାଲ ସ୍ଥିତିରେ ଅଛି ।
ଆମେରିକା ସୁପ୍ରିମ୍ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍କୁ ଅବୈଧ ଘୋଷିତ କରିଛନ୍ତି । ଏହା ପରେ ବଢ଼ିଯାଇଛି ଟ୍ରମ୍ପଙ୍କ ପାଗଳାମି । ସେ ଧମକ ଦେଇଛନ୍ତି ଯେ, ଯଦି କୌଣସି ଦେଶ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ବ୍ୟବହାର କରି ଆମେରିକା ସହ ଗେମ୍ ଖେଳିବାକୁ ଚାହିଁବେ, ଉକ୍ତ ରାଷ୍ଟ୍ର ଉପରେ ଆହୁରି ଅଧିକ ଟାରିଫ୍ ଲଦି ଦିଆଯିବ । ଟ୍ରମ୍ପ କୌଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ରର ନାଁ ନେଇନାହାନ୍ତି । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ, ଟ୍ରମ୍ପଙ୍କ ଟାର୍ଗେଟ୍ ଭାରତ ହୋଇପାରେ । ତାଙ୍କର ଏ ଧମକ ଏଭଳି ସମୟରେ ଆସିଛି, ଯେତେବେଳେ ଭାରତୀୟ ପ୍ରତିନିଧିମଣ୍ଡଳ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ନିଜର ଆମେରିକା ଗସ୍ତକୁ ସ୍ଥଗିତ କରିଦେଇଛନ୍ତି । ଟ୍ରମ୍ପ ବିଶ୍ୱବ୍ୟାପୀ ଦେଶଗୁଡ଼ିକ ଉପରେ ଯେସାକୁ ତେସା ଟାରିଫ୍ ଲଗାଇଥିଲେ ଏବଂ ସେମାନଙ୍କ ସହ ବାଣିଜ୍ୟ ଚୁକ୍ତି କରିବା ପାଇଁ ଏହାର ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହି ଅସ୍ତ୍ର ତାଙ୍କ ହାତରୁ ଖସିଯାଇଛି । ସୁପ୍ରିମ୍କୋର୍ଟ ତାଙ୍କର ଟାରିଫ୍ ନିଷ୍ପତ୍ତିକୁ ଅବୈଧ ଘୋଷିତ କରି ସମ୍ପୂର୍ଣ୍ଣ ଗଣିତକୁ ବଦଳାଇ ଦେଇଛନ୍ତି । ଏବେ ଟ୍ରମ୍ପଙ୍କୁ ଡର ଯେ, ବିଭିନ୍ନ ଦେଶ ବାଣିଜ୍ୟିକ ବୁଝାମଣା ଉପରେ ପୁନଃବିଚାର କରିପାରନ୍ତି ।
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ରେ ଲେଖିଛନ୍ତି ଯେ, ଯଦି କୌଣସି ଦେଶ ସୁପ୍ରିମକୋର୍ଟଙ୍କ ଏ ନିଷ୍ପତ୍ତି ଆଧାରରେ ଆମେରିକା ସହ ଗେମ୍ ଖେଳନ୍ତି ତେବେ ଉକ୍ତ ରାଷ୍ଟ୍ର ଉପରେ ଅଧିକ ଟାରିଫ୍ ଲଦି ଦିଆଯିବ । ବୁଝାମଣାରେ ଚୂଡ଼ାନ୍ତ ହୋଇଥିବା ଟାରିଫ୍ ତୁଳନାରେ ବି ଏହା ଅଧିକ ରହିବ । ବିଶେଷଜ୍ଞଙ୍କ କହିବାନୁସାରେ, ଟ୍ରମ୍ପ ଯେଉଁ ସମୟରେ ଏହି ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଶବ୍ଦାବଳୀ ଭାରତ ଆଡ଼କୁ ସଂକେତ ଦେଉଛି । ଟ୍ରମ୍ପଙ୍କ ପୋଷ୍ଟର କିଛି ଘଣ୍ଟା ପୂର୍ବରୁ ହିଁ ଭାରତୀୟ ପ୍ରତିନିଧିଦଳ ଆମେରିକା ଗସ୍ତକୁ ବାତିଲ କରିଦେଇଥିଲେ । ଏହି ପ୍ରତିନିଧିଦଳ ଉଭୟ ଦେଶ ମଧ୍ୟରେ ଚଳିତ ମାସ ଆରମ୍ଭରେ ଘୋଷିତ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆମେରିକା ଯାଇଥାନ୍ତେ । ତେବେ ଅଧିକାରୀଜଣକ କହିଛନ୍ତି ଯେ, ଭାରତ ଉଭୟ ଦେଶ ମଧ୍ୟରେ ନିକଟରେ ଘୋଷିତ ବାଣିଜ୍ୟ ଚୁକ୍ତିରୁ ହଟିବା ଲାଗି ବିଚାର କରୁନାହିଁ ।