ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ବିଦେଶରେ କାର୍ଯ୍ୟରତ ପି.ଭେଙ୍କଟ ରମଣ ନାମକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଅପହରଣ ଘଟଣା। ଅପହରଣ ହୋଇଥିବା ଯୁବଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଟୁଇଟ ଯୋଗେ ଅନୁରୋଧ କରିଲେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ସାମାଜିକ ଗଣମାଧ୍ୟମ ଏକ୍ସରେ ନବୀନ ପଟ୍ଟନାୟକ ଉଲ୍ଲେଖ କରି ଲେଖିଛନ୍ତି ଯେ “ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟ୍ ବ୍ଲକର ପଣଦ ଭେଙ୍କଟ ରମଣଙ୍କୁ ଆଫ୍ରିକୀୟ ଦେଶ ମାଲିରେ ଉଗ୍ରବାଦୀମାନେ ଅପହରଣ କରିଥିବା ଜାଣି ମୁଁ ଚିନ୍ତିତ। ସେବେଠାରୁ ସେ କୌଣସି ପ୍ରକାରର ଯୋଗାଯୋଗରେ ନାହାନ୍ତି। ଏନେଇ ତାଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି। କେନ୍ଦ୍ରମନ୍ତ୍ରୀ (@MEABharat) ଶ୍ରୀ @DrSJaishankarଙ୍କୁ ଏହି ମାମଲାରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ଏବଂ ତାଙ୍କର ଶୀଘ୍ର ଏବଂ ସୁରକ୍ଷିତ ମୁକ୍ତି ସୁନିଶ୍ଚିତ କରିବାକୁ ଅନୁରୋଧ ।“
ସୂଚନା ମୁତାବକ, ମୁମ୍ବାଇର ଏକ କମ୍ପାନୀ ତରଫରୁ ରମଣ ପଶ୍ଚିମ ଆଫ୍ରିକାର ମାଲିରେ ଥିବା ଏକ ସିମେଣ୍ଟ କାରଖାନାରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କୁ ଅପହରଣ କରାଯାଇଥିବା ନେଇ ରମଣଙ୍କ ମା’ ମଧ୍ୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।