ଭୁବନେଶ୍ୱର/କଟକ, ୨୨/୦୭ : ପାଠ୍ୟପୁସ୍ତକ ଛପା ତ୍ରୁଟିରେ କୋଟି କୋଟି ଟଙ୍କା ଚଳୁ ହୋଇଥିବାର ଗନ୍ଧ ବାରିଛି କ୍ରାଇମ୍‌ବ୍ରାଞ୍ଚ । ପ୍ରିଣ୍ଟିଂ ତଥା ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ସମ୍ପର୍କିତ କାଗଜପତ୍ର ଯାଞ୍ଚରୁ ପ୍ରାୟ ୨୨ରୁ ୨୩ କୋଟି ଟଙ୍କା ଗୋଳମାଳିଆ ହୋଇଥିବାର ସୁରାକ ମିଳିଛି । କେବଳ ସରକାରୀ ବାବୁ ନୁହେଁ, ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ଷଡ଼ଯନ୍ତ୍ରରେ ସାମିଲ ଅନ୍ୟ ବ୍ୟକ୍ତିବିଶେଷଙ୍କ ଛାତି ଧଡ଼ଧଡ଼ ହେଉଛି । ଗିରଫ ଭୟରେ କଟକର ଦୁଇ ବେସରକାରୀ ପ୍ରିଣ୍ଟିଂ ପ୍ରେସ୍‌ର ମାଲିକ ରାଜ୍ୟ ସୀମା ଡେଇଁ ଫେରାର୍‌ ହୋଇଯାଇଛନ୍ତି । ଉଭୟଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଯଥାଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । 

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ପ୍ରକାଶ, କାଗଜ କ୍ରୟ ଓ ପ୍ରିଣ୍ଟିଂ, ଅନ୍ୟାନ୍ୟ କମିଟି ବାବଦ ଖର୍ଚ୍ଚ ଓ ପରିବହନ ଖର୍ଚ୍ଚ ବାବଦକୁ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । କିନ୍ତୁ ଏସବୁ ଆର୍ଥିକ କାରବାରର ଆମୂଳଚୁଳ ହିସାବ ନିକାଶ କରାଗଲେ, ଆର୍ଥିକ ଅନିୟମିତତାର ସ୍ପଷ୍ଟତା ମିଳିବ। କେଉଁ ବାବଦରେ କେତେ ଟଙ୍କାର ହେର୍‌ଫେର୍‌ ହୋଇଛି, ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡି଼ଛି, ତଳଠୁ ଉପର ଯାଏଁ ସବୁ ସରକାରୀ ଅଧିକାରୀ କୋଟି କୋଟି ଟଙ୍କା ଚଳୁରେ ବ୍ୟସ୍ତ ରହିଲେ । ବହିରେ ମାଳ ମାଳ ତ୍ରୁଟିକୁ ଆଖି ବୁଜି ମଞ୍ଜୁରୀ ଦେଇଚାଲିଲେ । ଅନ୍ୟପଟେ ଜଗନ୍ନାଥ ପ୍ରୋସେସ୍‌ ଓ ନୀଳକଣ୍ଠ ପ୍ରିଣ୍ଟର୍ସର ମାଲିକଙ୍କ କୌଣସି ପତ୍ତା ମିଳୁନି । ସେମାନେ ଓଡ଼ିଶା ଛାଡ଼ି ପଳାଇଥିବା ସନ୍ଦେହ କରାଯାଉଛି । ଉଭୟ ପ୍ରେସ ମାଲିକଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ ହୋଇଛି । ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ ତାଲିକା ବଢ଼ିବାରେ ଲାଗିଛି । ତାଲିକାରେ ଏସ୍‌ସିଇଆର୍‌ଟିର ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ କୁମାର ସାହୁ, କିଶୋର କୁମାର କର ଓ ଭାରତୀ ଟୁଡୁଙ୍କ ନାଁ ଅଛି । ଅଦାଲତରେ ଖୁବଶୀଘ୍ର ଆବେଦନର ଶୁଣାଣି ହେବ। 

ଗିରଫ ହୋଇଥିବା ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ଏହି ୪ ଜଣ ସହକାରୀ ନିର୍ଦ୍ଦେଶକଙ୍କ ନାଁରେ କ୍ରାଇମବ୍ରାଞ୍ଚ ଏତଲା ଦେଇଥିଲା । କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ମୂଳ ପାଣ୍ଡୁଲିପିରେ ସହସ୍ରାଧିକ ତଥ୍ୟ ଭୁଲ୍‌ ଥିବା ବିଷୟ ତତ୍‌କାଳୀନ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଶ୍ରୀ ପାଢ଼ୀ ଭଲ ଭାବେ ଅବଗତ ଥିଲେ । ତଥାପି ସେ ତ୍ରୁଟି ସଂଶୋଧନକୁ ଗୁରୁତ୍ୱ ଦେଲେନି । ଓଲଟି ବହି ଛାପିବାକୁ ମଞ୍ଜୁରୀ ଦେଇଥିଲେ । କେବଳ ଫଟୋ ନୁହେଁ, ଶବ୍ଦର ବନାନ ଓ ଭିନ୍ନ ବହିରେ ଭିନ୍ନ ପାଠ୍ୟକ୍ରମ ମଧ୍ୟ ଶ୍ରୀ ପାଢ଼ୀଙ୍କ ଜ୍ଞାତସାରରେ ଥିଲା । ତଥାପି ସେ କିଛି ପଦକ୍ଷେପ ନେଇନଥିଲେ ।

ଆହୁରି ପଢନ୍ତୁ- Vigilance : ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

ଗ୍ଳୋବାଲ ଓ୍ବାର୍ମିଂ ଯୋଗୁ ବଢ଼ିବାରେ ଲାଗିଛି ସମୁଦ୍ରର ଜଳସ୍ଥର| ୨୦୫୦ ବେଳକୁ ସ୍ଥିତି ହେବ ଭୟଙ୍କର​​​​​​​