ଭୁବନେଶ୍ୱର,୨୫/୦୭: ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ସାମ୍ନାକୁ ଆସିଲା । ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ହାଲୁକା ଭାବରେ ନେଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ନେଲେ । କିପରି ପିଲାଙ୍କ ପାଖେ ତ୍ରୁଟିଶୂନ୍ୟ ବହି ପହଞ୍ଚିବ ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଯାଇଛି । ପ୍ରଥମେ ଦକ୍ଷ ବିଶେଷଜ୍ଞମାନଙ୍କୁ ଚୟନ କରାଯାଇ କର୍ମଶାଳା ସରିଛି । ଏବେ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେଥିଲାଗି ଟେଣ୍ଡର ଡାକିଛି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି) । ପୁଣି ଘରୋଇ ଫାର୍ମ ତଥା ପ୍ରିଣ୍ଟିଂ ପ୍ରେସ୍କୁ ଏହି ସଂଶୋଧନ ଦାୟିତ୍ୱ ଦିଆଯିବ । ଟେଣ୍ଡର ପାଇବାର ଏକମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଅର୍ଥାତ୍ ସେପ୍ଟେମ୍ବରରୁ ଅକ୍ଟୋବର ମାସ ସୁଦ୍ଧା ପୁସ୍ତକ ସଂଶୋଧନ ପ୍ରକ୍ରିୟା ଶେଷ ହେବ । ପରେ ପ୍ରିଣ୍ଟିଂ ପାଇଁ ପ୍ରେସ୍କୁ ଯିବ ବୋଲି ସୂଚନା ରହିଛି ।
ଏସ୍ସିଇଆର୍ଟି ପକ୍ଷରୁ ଗତ ୭ରୁ ୧୩ ତାରିଖ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଏକାସାଙ୍ଗେ ଏକାଧିକ ହଲ୍ରେ କର୍ମଶାଳା ହୋଇଥିଲା । ଏଠାରେ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଓଡ଼ିଆ, ଗଣିତ, ଇଂରାଜୀ, ବିଜ୍ଞାନ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା ଶିକ୍ଷା, ଶାରୀରିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ହିନ୍ଦୀ ଓ ସଂସ୍କୃତ ଆଦି ୧୧ଟି ବିଷୟକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ପ୍ରତିଦିନ ଏକାଧିକ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ବିଶେଷଜ୍ଞମାନେ ପାଠ୍ୟପୁସ୍ତକରେ କ’ଣ ରହିବ? କ’ଣ ତ୍ରୁଟି ଅଛି ତାକୁ ଚିହ୍ନଟ କରିଥିଲେ । କେଉଁ ବିଷୟକୁ ବାଦ୍ ଦିଆଯିବ ସେସବୁ ପରାମର୍ଶ ଦେଇଥିଲେ ।
ଗତ ୨୦ ତାରିଖରେ ଏସ୍ସିଇଆର୍ଟି ପକ୍ଷରୁ ଏକ ଟେଣ୍ଡର ଆହ୍ୱାନ କରାଯାଇଛି । ଯେଉଁଥିରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସଂଶୋଧନ ପାଇଁ ଏହି ଟେଣ୍ଡର କରାଯାଇଛି । ୨୬ ତାରିଖରେ ଟେଣ୍ଡର ଆବେଦନର ଶେଷ ତାରିଖ ରହିଛି । ୨୭ ତାରିଖରେ ଆବେଦନ କରିଥିବା ବିଡର୍ଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବ । ବିଡ୍ ଖୋଲିବା ତାରିଖଠୁ ଏହାର ବୈଧତା ୭ ଦିନ ରହିବ । ଯେଉଁ ବିଡର୍ ଏହି ବହି ସଂଶୋଧନର କାର୍ଯ୍ୟ ପାଇବେ ସେମାନଙ୍କୁ କାର୍ଯ୍ୟ ଆବଣ୍ଟନର ୧ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବେ ।
ଅଧିକ ପଢ଼ନ୍ତୁ :- ସରକାରୀ ବାବୁଙ୍କ ପାଇଁ ନିୟମ କଠୋର: ଏଣିକି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ଜରୁରୀ, ରାଜ୍ୟ ଓ ଦେଶ ବାହାରକୁ ଗଲେ ୨୧ଦିନ ପୂର୍ବରୁ ଆବେଦନ ବାଧ୍ୟତାମୂଳକ
ଟେଣ୍ଡର ପାଇଥିବା ଘରୋଇ ଫାର୍ମ ପ୍ରଥମେ ଏସ୍ସିଇଆର୍ଟିର କରିକୁଲମ୍ ବିଭାଗର ଅଧିକାରୀଙ୍କଠାରୁ ସଂଶୋଧନ, ପାଣ୍ଡୁଲିପି ପ୍ରସ୍ତୁତି ପାଇଁ ପାଠ୍ୟପୁସ୍ତକ କିମ୍ବା ଏହାର ସଫ୍ଟକପି ସଂଗ୍ରହ କରିବେ । ଏସ୍ସିଇଆର୍ଟି ଓ ଉକ୍ତ ଫାର୍ମ ମଧ୍ୟରେ ଏକ ଚୁକ୍ତି ହବେ । ଏହାର ୧୫ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏହାର ୭ଦିନ ମଧ୍ୟରେ ଟେଣ୍ଡର ପାଇଥିବା ଫାର୍ମ ସଂଶୋଧିତ ପାଣ୍ଡୁଲିପିକୁ ସମୀକ୍ଷା ପାଇଁ ବିଶେଷଜ୍ଞଙ୍କ ସମୀକ୍ଷା ପାଇଁ ୭ଦିନ ମଧ୍ୟରେ ପ୍ରଥମ ସଂଶୋଧିତ ଡ୍ରାଫ୍ଟ ଦାଖଲ କରିବେ । ପୁଣି ସମୀକ୍ଷା ସରିବା ପରେ ଆବଶ୍ୟକ ସଂଶୋଧନ ପାଇଁ ଏସ୍ସିଇଆର୍ଟିରୁ ପୁଣି ସଂଶୋଧିତ ଡ୍ରାଫ୍ଟ ବହି ସଂଗ୍ରହ କରାଯିବ ।
ସୁପାରିସ କରାଯାଇଥିବା ପରିବର୍ତ୍ତନ କଣ୍ଟେଣ୍ଟକୁ ସଂଶୋଧନ କରାଯିବ । ଏହାକୁ ଚୂଡ଼ାନ୍ତ ଡ୍ରାଫ୍ଟ କରାଯିବ । ପରେ ଏହାକୁ ସଫ୍ଟକପି, ରଙ୍ଗୀନ ହାର୍ଡ କପିକୁ ଏସ୍ସିଇଆର୍ଟିରେ ଦାଖଲ କରିବେ ଫାର୍ମ । ଏହାକୁ ମଧ୍ୟ ପୁନଃ ସମୀକ୍ଷା କରାଯିବ । ଯଦି ଏଥିରେ କୌଣସି ତ୍ରୁଟି ଦେଖାଯାଏ, ପୁଣି ସଂଶୋଧନ କରାଯିବ । ବାରମ୍ବାର ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା ହୋଇ ସଂଶୋଧନ ହେବ, ଶେଷକୁ ଚୂଡ଼ାନ୍ତ ସଂଶୋଧିତ ପୁସ୍ତିକା ପ୍ରସ୍ତୁତ ହେବ । ଏହି ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଏସ୍ସିଇଆର୍ଟିର କରିକୁଲମ୍ ଡେଭେଲପ୍ମେଣ୍ଟ ସେଲ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସେଲ୍ର ଭାରପ୍ରାପ୍ତ ଅଧିକାରୀଙ୍କ ପ୍ରମାଣପତ୍ର ଦେବା ପରେ ହିଁ ଉକ୍ତ ଫାର୍ମ ହାଉସକୁ ଅର୍ଥ ଦିଆଯିବ । କାର୍ଯ୍ୟ ପୂର୍ବରୁ କୌଣସି ପ୍ରକାର ଅଗ୍ରୀମ ଟଙ୍କା ଏସ୍ସିଇଆର୍ଟି ପ୍ରଦାନ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ।
ବହି ଭିତର ପୃଷ୍ଠା ପ୍ରସ୍ତୁତ ପାଇଁ ୮୦ ଜିଏସ୍ଏମ୍ ମାଲ୍ପିଥୋ କାଗଜ ଓ କଭରପୃଷ୍ଠା ପାଇଁ ୨୨୦ ଜିଏସ୍ଏମ୍ର କାଗଜ ବ୍ୟବହାର କରାଯିବ । ଯଦି କୌଣସି ନିମ୍ନମାନର କାର୍ଯ୍ୟ ହୁଏ ତେବେ ଏଥିପାଇଁ ଉକ୍ତ ବିଡର ହିଁ ଦାୟୀ ରହିବେ । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ବିଡର ଡିଜାଇନିଂ ଓ ଡିଟିପି କରିବେ । ପ୍ରତି ବହିର କଭର ପୃଷ୍ଠା ଡିଜାଇନିଂ ମଧ୍ୟ କରିବେ । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ ଓ ଉର୍ଦ୍ଦୁ ଭାଷାରେ ଡିଟିପି କାର୍ଯ୍ୟ ହେବ । ପୃଷ୍ଠା ଲେ-ଆଉଟ୍, ଆର୍ଟ ୱାର୍କ ପ୍ରସ୍ତୁତି କରିବେ । ବାଇଣ୍ଡିଂ କାର୍ଯ୍ୟ ମଧ୍ୟ ଉକ୍ତ ପ୍ରେସ୍ କରିବେ । ମୁଦ୍ରିତ ସାମଗ୍ରୀ ଯୋଗାଣ ଓ ପହଞ୍ଚାଇବା, ପ୍ୟାକିଂ, ପରିବହନ ଆଦି ଦାୟିତ୍ୱ ଉକ୍ତ ବିଡର ହିଁ କରିବ । ପ୍ରତ୍ୟେକ ବହିର ପିଡିଏଫ୍ କପି ପ୍ରଦାନ କରିବେ । ବହିର ଓପନ୍ ଏଡିଟେବଲ୍ ଫାଇଲ୍ କିମ୍ବା ସିଡିଆର୍ ଫାଇଲ୍କୁ ଦାଖଲ କରିବେ ।