ବ୍ୟୁରୋ ୨୩/୦୭ : ଜେଲ ଯିବା ଭୟରେ ଲୋକେ ବିଭିନ୍ନ ଉପାୟ ଆପଣାନ୍ତି । କିନ୍ତୁ ଚୀନର ଜଣେ ବ୍ୟକ୍ତି ଯାହା କରିଛନ୍ତି ପୁଲିସ ବି ଚକିତ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲାରେ ଦଣ୍ଡରୁ ରକ୍ଷା ପାଇବା ପାଇଁ ସେ ନିଜ ମୃତ୍ୟୁର ନାଟକ କଲେ । କବର କିଣିଲେ, ଘରେ ଔଷଧର ଖାଲି ବୋତଲ ବିଛାଇଦେଲେ । ତା’ପରେ ପରିବାର ସାହାଯ୍ୟରେ ନିଜର ଅନ୍ତିମ ସଂସ୍କାର କରାଇଲେ । କିନ୍ତୁ କିଛି ଛୋଟ ଛୋଟ ଭୁଲ ତାଙ୍କ ଯୋଜନାକୁ ପଣ୍ଡ କରିଦେଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାମଲା ଚୀନର ହେନାନ ପ୍ରାନ୍ତର ଆନୟାଙ୍ଗ ସହରର । ସ୍ଥାନୀୟ ସି ନାମକ ବ୍ୟକ୍ତିଙ୍କୁ ଗତ ବର୍ଷ ଜାନୁଆରୀରେ ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା । ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଲା, ପୂର୍ବରୁ ସେ ଦୁଇ ଥର ଲାଇସେନ୍ସ ବିନା ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ବେଳେ ଧରାପଡ଼ିଥିଲେ । ଚୀନର ନିୟମ ଅନୁସାରେ, ମଦ୍ୟପାନ କରି ଗାଡ଼ି ଚଳାଇବା ବିପଦପୂର୍ଣ୍ଣ ଶ୍ରେଣୀଭୁକ୍ତ । ଏଥିପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ । ୧-୬ ମାସ ଯାଏ ଜେଲଦଣ୍ଡ ଓ ଜରିମାନା ବି ହୋଇପାରେ ।

ଅଧିକ ପଢନ୍ତୁ ;- Aerial Microrobot: ଭୂକମ୍ପ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବେ 'ରୋବୋଟିକ୍ ମାଛି': ପ୍ରସ୍ତୁତ ହେଲା ବିଶ୍ୱର ସବୁଠୁ ଛୋଟ ଉଡ଼ନ୍ତା ରୋବୋଟ୍ !

ସିଙ୍କର ଭୟ ଥିଲା, ଜେଲଦଣ୍ଡ ହେଲେ ଋଣଭାର ଓ ପୁରୁଣା ମାମଲାରେ ଘାଣ୍ଟି ହୋଇ ତାଙ୍କ ଜୀବନ ନଷ୍ଟ ହୋଇଯିବ । ସେଥିପାଇଁ ସେ ନିଜକୁ ମୃତ ପ୍ରମାଣିତ କରିବାକୁ ଯୋଜନା କଲେ । ମାତ୍ରାଧିକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ସେ ଦର୍ଶାଇଲେ । ଶ୍ୱାସକ୍ରିୟାକୁ ରୋକି ଶରୀରକୁ ଥଣ୍ଡା କରିବାର ଉପକରଣ ସାହାଯ୍ୟରେ ନିଜକୁ ମୃତ ଦେଖାଇବାକୁ ଚେଷ୍ଟା କଲେ । ଅଧିକ ଔଷଧ ଯୋଗୁ ଚେହେରା ବିଗିଡ଼ି ଯାଇଥିବାରୁ ଚାଦରରେ ତାଙ୍କୁ ଢାଙ୍କିଥିବା ପରିବାର ସଦସ୍ୟ ବାହାନା କଲେ । ସନ୍ଧ୍ୟା ସୁଦ୍ଧା ସିଙ୍କ ମା’ ଓ ଜେଜେମା’ ତାଙ୍କୁ ତରବରିଆ ଭାବେ କବର ଦେଲେ । ପୁଲିସ ସେଠାରେ ପହଞ୍ଚିବା ବେଳକୁ ତାଙ୍କୁ ସମାଧି ଦିଆସରିଥିଲା, ସେଥିପାଇଁ ମୃତକଙ୍କ ଯାଞ୍ଚ ହୋଇପାରିଲା ନାହିଁ ।

ଅନ୍ୟପକ୍ଷେ, ସି ଚୁପଚାପ ଲୁଚି ଦକ୍ଷିଣ-ପଶ୍ଚିମ ଚୀନର ୟୁନାନ ପ୍ରାନ୍ତ ଚାଲିଗଲେ । ସେଠାରେ ନୂଆ ପରିଚୟ ସହିତ କାମ ଖୋଜିବା ଆରମ୍ଭ କଲେ । ତେବେ ପୁଲିସକୁ ମାମଲା ଗଡ଼ବଡ଼ ଲାଗିଲା । ମୃତ୍ୟୁ ପୂର୍ବରୁ ସି ନିଜର କବର କିଣିସାରିଥିବା ଜଣାପଡ଼ିଲା । ସ୍ୱାସ୍ଥ୍ୟ ବିଗିଡ଼ିବା ସତ୍ତେ୍ୱ ତାଙ୍କୁ ହସ୍ପିଟାଲ ନିଆଯାଇନଥିଲା । ହସ୍ପିଟାଲରୁ ତାଙ୍କୁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ମିଳିନଥିଲା । ଶବର ଅନ୍ତିମ ସଂସ୍କାରର କୌଣସି ଔପଚାରିକ ରେକର୍ଡ କିମ୍ବା ସରକାରୀ ଦସ୍ତାବିଜରେ ମଧ୍ୟ ମୃତ୍ୟୁ ରେକର୍ଡ କରାଯାଇନଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିନଥିବା କହିଲେ । ଏହା ପରେ ପୁଲିସ ସିସିଟିଭି, ସିଙ୍କ ବ୍ୟାଙ୍କ ନେଣଦେଣ ଓ ମୋବାଇଲ ଫୋନ୍ ରେକର୍ଡ ଯାଞ୍ଚ କଲା । ଯାଞ୍ଚରୁ ଜଣାପଡ଼ିଲା ସେ ଜୀବିତ ଏବଂ ଫେରାର ଅଛନ୍ତି । ପୁଲିସ ତଲାସି ଅଭିଯାନ ଚଳାଇଲା । ଶେଷରେ ୟୁନାନରୁ ତାଙ୍କୁ ଗିରଫ କରାଗଲା । କୋର୍ଟ ତାଙ୍କୁ ୫ ମାସ ଜେଲଦଣ୍ଡ ଓ ୨ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସିଙ୍କ ମା’ ଓ ଜେଜେମା’ଙ୍କ ବିରୋଧରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।