ନୂଆଦିଲ୍ଲୀ, ୨୩।୭: ମେଘାଳୟର ବହୁଚର୍ଚ୍ଚିତ 'ରାଜା ରଘୁବଂଶୀ ହତ୍ୟା ମାମଲା'ର ମୁଖ୍ୟ ଅଭିଯୁକ୍ତ ସୋନମ୍ଙ୍କୁ ପୁଣିଥରେ ଜେଲ୍ ଯିବାକୁ ପଡ଼ିବ । ସୁପ୍ରିମ୍ କୋର୍ଟ ତାଙ୍କ ଜାମିନ୍ ଖାରଜ କରିବା ସହ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସୋନମ୍ ଜାମିନ୍ ପାଇବାର ହକ୍ଦାର ନୁହଁନ୍ତି ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ୍ ଏମ୍. ଏମ୍. ସୁନ୍ଦରେଶ୍ ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ୱରାଲେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଗିରଫ ହେବା ସମୟରେ ସୋନମ୍ଙ୍କୁ କାରଣ ଜଣାଥିଲା । ଯଦି ଆରେଷ୍ଟ ମେମୋରେ କୌଣସି ଟାଇପିଂ ଭୁଲ୍ ଥିଲା, ତେବେ ତାହା ଜାମିନ୍ର ଆଧାର ହୋଇପାରିବ ନାହିଁ । ମାମଲାର ବିଚାର ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି । ଯଦି ମାମଲା ମନ୍ଥର ଗତିରେ ଚାଲେ ଏବଂ ୬ ମାସ ମଧ୍ୟରେ ଶେଷ ନହୁଏ, ତେବେ ସେ ପୁନର୍ବାର ଜାମିନ୍ ପାଇଁ ଆବେଦନ କରିପାରିବେ ।
କ’ଣ ଥିଲା ପୂରା ମାମଲା ?
ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀ ୧୧ ମେ' ୨୦୨୫ରେ ସୋନମ୍ଙ୍କୁ ବିବାହ କରିଥିଲେ । ଦୁହେଁ ହନିମୁନ୍ ପାଇଁ ମେଘାଳୟ ଯାଇଥିବା ବେଳେ ଚେରାପୁଞ୍ଜିରୁ ରାଜା ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଏକ ଗଭୀର ଖାଇରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପୁଲିସ ତଦନ୍ତ କରି ସୋନମ୍, ତାଙ୍କର କଥିତ ପ୍ରେମିକ ରାଜ୍ କୁଶୱାହା ଏବଂ ଅନ୍ୟ ସହଯୋଗୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା । ୯ ଜୁନ୍ ୨୦୨୫ରେ ଉତ୍ତର ପ୍ରଦେଶର ଗାଜୀପୁରରୁ ସୋନମ୍ଙ୍କୁ ଗିରଫ କରାଯାଇଥିଲା ।
ଗିରଫଦାରୀ ସମୟରେ ପୁଲିସର ଅବହେଳା ଯୋଗୁଁ ପ୍ରସ୍ତୁତ ଆରେଷ୍ଟ ମେମୋ ସୋନମ୍ଙ୍କ ଜାମିନ୍ର କାରଣ ପାଲଟିଥିଲା । ପୁଲିସ କେସ୍ ଡାଏରୀରେ ହତ୍ୟା ପାଇଁ ଲାଗୁଥିବା ବିଏନ୍ଏସ୍ର ଧାରା ୧୦୩ ବଦଳରେ ଭୁଲ୍ବଶତଃ ଧାରା ୪୦୩ ଲେଖିଦେଇଥିଲା ଯାହା ବିଏନ୍ଏସ୍ରେ ନାହିଁ । ଏହାକୁ ଆଧାର କରି ନିମ୍ନ ଅଦାଲତ ୨୮ ଏପ୍ରିଲ୍ ୨୦୨୬ରେ ସୋନମ୍ଙ୍କୁ ସସର୍ତ୍ତ ଜାମିନ୍ ଦେଇଥିଲେ । ଗିରଫଦାରୀର ସଠିକ୍ କାରଣ ନଜଣାଇବା ସମ୍ବିଧାନର ଅନୁଚ୍ଛେଦ ୨୨(୧)ର ଉଲ୍ଲଂଘନ ବୋଲି କୋର୍ଟ କହିଥିଲେ । ୨୯ ଜୁନ୍ରେ ହାଇକୋର୍ଟ ମଧ୍ୟ ନିମ୍ନ ଅଦାଲତଙ୍କ ଏହି ଆଦେଶକୁ କାଏମ୍ ରଖିଥିଲେ ।
ଏହା ବି ପଢ଼ନ୍ତୁ... CJI Surya Kant: 'ସୋସିଆଲ୍ ମିଡିଆରେ ଲୋକପ୍ରିୟତା ମାନେ ବିଶ୍ୱସନୀୟତା ନୁହେଁ' ନୂଆ ଓକିଲଙ୍କୁ CJI ସୂର୍ଯ୍ୟକାନ୍ତଙ୍କ ପରାମର୍ଶ
ସୁପ୍ରିମ୍ କୋର୍ଟରେ ମେଘାଳୟ ସରକାରଙ୍କ ଯୁକ୍ତି:
ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମେଘାଳୟ ପୁଲିସ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସଲିସିଟର ଜେନେରାଲ୍ ତୁଷାର ମେହେଟା ସରକାରଙ୍କ ପକ୍ଷ ରଖି କହିଥିଲେ, "ସୋନମ୍ ଦୀର୍ଘ ଦିନ ଧରି ଫେରାର୍ ଥିଲେ ଏବଂ ନିଜ ସହଯୋଗୀଙ୍କ କହିବା ପରେ ଆତ୍ମସମର୍ପଣ କରିଥିଲେ । ସେ କାହିଁକି ଫେରାର୍ ଥିଲେ ଏବଂ କାହିଁକି ସରେଣ୍ଡର କଲେ, ତାହା ତାଙ୍କୁ ଭଲଭାବେ ଜଣାଥିଲା । ମାଜିଷ୍ଟ୍ରେଟ୍ ମଧ୍ୟ ଗିରଫର ଆଧାର ବୁଝାଇଥିଲେ । ତେଣୁ ଆରେଷ୍ଟ ମେମୋରେ ମାନବୀୟ ଭୁଲ୍ ଯୋଗୁଁ ଧାରା ଭୁଲ୍ ଲେଖାଯିବା ଜାମିନ୍ର ଆଧାର ହୋଇପାରିବ ନାହିଁ ।" ସୁପ୍ରିମ୍ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କ ଓକିଲଙ୍କ ଜାମିନ୍ ବଜାୟ ରଖିବା ଆବେଦନକୁ ଖାରଜ କରିଦେଇଥିଲେ ।
"ଯୁବପିଢ଼ି ମାନସିକ ଚାପ ସହିପାରୁନାହାନ୍ତି": କୋର୍ଟ
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ସଲିସିଟର ଜେନେରାଲ୍ କହିଥିଲେ ଯେ, ଆଜିକାଲି ଛାଡ଼ପତ୍ର ନେବା ବଦଳରେ ଯୋଜନାବଦ୍ଧ ଭାବେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ହତ୍ୟା କରିବାର ପ୍ରବୃତ୍ତି ବଢ଼ିବାରେ ଲାଗିଛି । ଏହା ଉପରେ ଚିନ୍ତା ପ୍ରକଟ କରି ଜଷ୍ଟିସ୍ ସୁନ୍ଦରେଶ୍ କହିଛନ୍ତି, "ନୂଆ ପିଢ଼ି ହୁଏତ ଆମ ଅପେକ୍ଷା ଅଧିକ ଜ୍ଞାନୀ, କିନ୍ତୁ ସେମାନେ ମାନସିକ ଚାପ ସହିବାକୁ ସକ୍ଷମ ନୁହଁନ୍ତି ।" ସେହିପରି ଜଷ୍ଟିସ୍ ୱରାଲେ କହିଛନ୍ତି, "ନୂଆ ପିଢ଼ିର ଜ୍ଞାନ ପରିବାରର ବରିଷ୍ଠ ସଦସ୍ୟଙ୍କ ବଦଳରେ ହ୍ୱାଟ୍ସଆପ୍ ଏବଂ ମୋବାଇଲ୍ରୁ ଆସୁଛି । ବରିଷ୍ଠମାନେ ମଧ୍ୟ ସେମାନଙ୍କୁ ଭାବପ୍ରବଣ ସାହାରା ଦେବା ବଦଳରେ ହାତରେ ମୋବାଇଲ୍ ଫୋନ୍ ଟେକି ଦେଉଛନ୍ତି ।"