• ପ୍ରେସ୍‌ରେ ପ୍ରୁଫ୍‌ ରିଡିଂ ହୋଇନଥିବା ଅଭିଯୋଗ
  • ପ୍ରିଣ୍ଟିଂ ପ୍ଲେଟ୍‌ ଦାୟିତ୍ୱ ବି ବାହାର ଭେଣ୍ଡରଙ୍କୁ ମିଳିଥିଲା

ଭୁବନେଶ୍ୱର, ୨୬/୦୬: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ଘଟଣାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ ସହ ୬ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହେଲେ ଏବେ ଅଭିଯୋଗ ଉଠିଲାଣି, ପିଲାଙ୍କ ବହିରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଭରଣା କରିବ କିଏ ? ସରକାରୀ ପ୍ରିଣ୍ଟିଂ ପ୍ରେସ୍‌ ଥିବା ସର୍ତ୍ତ୍ବେ ୨୧ କୋଟି ଟଙ୍କାରେ ଘରୋଇ ପ୍ରିଣ୍ଟିଂ ପ୍ରେସ୍‌କୁ ମୁଦ୍ରଣ ଦାୟିତ୍ୱ ଦିଆଗଲା । ଘରୋଇ ଭେଣ୍ଡରଙ୍କୁ ଡିଟିପି ଦାୟିତ୍ୱ ଦିଆଗଲା । ଏସବୁ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ପାଣି ପଡ଼ିଲା । ଏବେ ଏସବୁ ଟଙ୍କାକୁ ସେମାନଙ୍କ ଠାରୁ ଜରିମାନା ନୁହେଁ ସଂପୂର୍ଣ୍ଣ ଭାବେ ଆଦାୟ କରାଯାଉ ବୋଲି ଦାବି କରିଛନ୍ତି ଶିକ୍ଷାବିତ୍‌, ଅଭିଭାବକ ।

ଅନ୍ୟପଟେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହୋଇଛି ଯେ, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍‌)ରେ ସରକାରୀ ପାଠ୍ୟପୁସ୍ତକ ଛପା ଯାଉଛି । ଚଳିତବର୍ଷ ୨ କୋଟି ୯୮ ଲକ୍ଷ ପାଠ୍ୟପୁସ୍ତକ ଛପାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଟିବିପିଏମ୍‌ରେ ଯେଉଁ ସବୁ ଅତ୍ୟାଧୁନିକ ମେସିନ୍‌ ରହିଛି, ସେଠାରେ ଏତେ ସଂଖ୍ୟାରେ ପୁସ୍ତକ ଛପାଇବା ସମ୍ଭବ । ମାତ୍ର ୨୦ ପ୍ରତିଶତ ପାଠ୍ୟପୁସ୍ତକ ଏଠାରେ ଛାପି ଅନ୍ୟ ଘରୋଇ ସଂସ୍ଥାକୁ ବାକି ୮୦ ପ୍ରତିଶତ ଟେକି ଦେଲେ । ଏସ୍‌ସିଇଆର୍‌ଟିରୁ ପାଠ୍ୟପୁସ୍ତକ ପ୍ରିଣ୍ଟିଂ ପାଇଁ ଆସିଥିବା ପାଣ୍ଡୁଲିପିକୁ ଟିବିପିଏମ୍‌ରେ ପ୍ରାଥମିକ ସ୍ତରରେ ଯାଞ୍ଚ କରିବା କଥା । ଏଠାରେ ସେଥିଲାଗି ଏକ ସ୍ୱତନ୍ତ୍ର ପ୍ରୁଫ୍‌ ରିଡିଂ ସେକ୍ସନ ମଧ୍ୟ ରହିଛି । ଏହାର ଦାୟିତ୍ୱରେ ଡେପୁଟି ନିର୍ଦ୍ଦେଶକ ରହିଛନ୍ତି । ସେ ସମସ୍ତ ପାଣ୍ଡୁଲିପିକୁ ଯାଞ୍ଚ କରିବେ, ଯଦି କୌଣସି ଭୁଲ୍‌ ଚିହ୍ନଟ ହୁଏ ତେବେ ଏସ୍‌ସିଇଆର୍‌ଟିକୁ ତୁରନ୍ତ ଜଣାଇବେ । ହେଲେ ଏଠାରେ ପ୍ରୁଫ୍‌ ରିଡିଂ ସେକ୍ସନ ଖୋଲାଯାଉନି ।

ଏହାର ଦାୟିତ୍ୱରେ ଥିବା ଅଧିକାରୀ ପ୍ରୁଫ୍‌ ରିଡିଂ କରୁନାହାନ୍ତି । ଏହି ପାଠ୍ୟପୁସ୍ତକ ତ୍ରୁଟିରେ ମଧ୍ୟ ଟିବିପିଏମ୍‌ର ଅଧିକାରୀଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟିବିପିଏମ୍‌ର ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଭାଗର କିଛି ଅଧିକାରୀ । ଏପରିକି ପ୍ରିଣ୍ଟିଂ ପୂର୍ବରୁ ପ୍ରସ୍ତୁତ ହେଉଥିବା ପ୍ଲେଟ୍‌ ମଧ୍ୟ ବାହାର ଭେଣ୍ଡରଙ୍କୁ ଦାୟିତ୍ୱ ଦିଆଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।

ଅଧିକ ପଢନ୍ତୁ- Mother-Daughter Murder Case: ମା, ଝିଅଙ୍କ ବେକ କାଟି ହତ୍ୟା ଘଟଣା, ବାପାକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ