ଚେନ୍ନାଇ, ୪।୫: ତାମିଲନାଡ଼ୁ ରାଜନୀତିରେ ଏବେ କେବଳ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା । ସେ ହେଉଛନ୍ତି ସୁପରଷ୍ଟାର୍ ଜୋସେଫ୍ ବିଜୟ ଚନ୍ଦ୍ରଶେଖର ଓରଫ ବିଜୟ । ନିଜର ନୂତନ ରାଜନୈତିକ ଦଳ ତାମିଲଗା ଭେଟ୍ରି କାଡ଼ଗମ (TVK) ମାଧ୍ୟମରେ ସେ ତାମିଲନାଡ଼ୁ ନିର୍ବାଚନରେ କ୍ଲିନ୍ ସୁଇପ୍ କରିବା ଆଡ଼କୁ ଅଗ୍ରସର ହେଉଛନ୍ତି । ତାଙ୍କ ଦଳ ଆଗୁଆ ରହି ଏଆଇଏଡିଏମକେ ଏବଂ ଡିଏମକେକୁ ବହୁ ପଛରେ ପକାଇ ଦେଇଛି । ତେବେ ଏହି ସଫଳତା ଭିତରେ ବିଜୟଙ୍କ ସମ୍ପତ୍ତି ଓ ଜୀବନଶୈଳୀକୁ ନେଇ ସାଧାରଣରେ ବେଶ୍ ଉତ୍ସୁକତା ଦେଖାଦେଇଛି ।

୬୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ:

ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ବିଜୟ ଜଣେ କୋଟିପତି ନେତା । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୬୦୩.୨୦ କୋଟି ଟଙ୍କା ।

ବ୍ୟାଙ୍କ ଜମା: ବିଭିନ୍ନ ବ୍ୟାଙ୍କ ଖାତାରେ ତାଙ୍କର ୨୧୩ କୋଟିରୁ ଅଧିକ ଟଙ୍କା ଜମା ରହିଛି ।

ପତ୍ନୀଙ୍କ ସମ୍ପତ୍ତି: ବିଜୟଙ୍କ ପତ୍ନୀ ସଙ୍ଗୀତାଙ୍କ ପାଖରେ ପ୍ରାୟ ୧୫.୭୬ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏତେ ପରିମାଣର ସମ୍ପତ୍ତି ଥାଇ ମଧ୍ୟ ବିଜୟଙ୍କ ନାଁରେ କୌଣସି ଋଣ ବା ଦେଣଦେୟ ନାହିଁ ।

୮୮୩ ଗ୍ରାମ୍ ସୁନା ଓ ବିଳାସପୂର୍ଣ୍ଣ କାର:

ବିଜୟ ନିଜ ସତ୍ୟପାଠରେ ସୁନା ଏବଂ ଅନ୍ୟାନ୍ୟ ସମ୍ପତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି:

ସୁନା ଓ ରୁପା: ତାଙ୍କ ପାଖରେ ୮୮୩ ଗ୍ରାମର ସୁନା ଅଳଙ୍କାର ଏବଂ ପ୍ରାୟ ୧୫ ଲକ୍ଷ ଟଙ୍କାର ରୁପା ଗହଣା ରହିଛି ।

କାର୍ କଲେକ୍ସନ: ସେ ବିଳାସପୂର୍ଣ୍ଣ ଗାଡ଼ିର ବେଶ୍ ଶୌକୀନ । ତାଙ୍କ ପାଖରେ BMW-530, ଟୟୋଟା ଲେକ୍ସସ୍, ଟୟୋଟା ଭେଲଫାୟର୍ ଏବଂ ବିଏମଡବ୍ଲୁ i7 ଭଳି ଅତି ଦାମୀ କାର୍ ରହିଛି ।

ନଗଦ ଟଙ୍କା: ହାତରେ ୨ ଲକ୍ଷ ଟଙ୍କାର ନଗଦ ଅର୍ଥ ଥିବା ସେ ଦର୍ଶାଇଛନ୍ତି ।

ଆୟର ଉତ୍ସ ଓ ଆୟକର ପ୍ରଦାନ:

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତାଙ୍କ ମଧ୍ୟରେ ବିଜୟ ଅନ୍ୟତମ । ୨୦୨୪-୨୫ ଆର୍ଥିକ ବର୍ଷରେ ସେ ୧୮୪.୫୩ କୋଟି ଟଙ୍କାର ଆୟ ଦର୍ଶାଇଛନ୍ତି । ଚେନ୍ନାଇ ସମେତ ବିଭିନ୍ନ ସ୍ଥାନରେ ତାଙ୍କର କମର୍ସିଆଲ୍ ଓ ରେସିଡେନ୍ସିଆଲ୍ ପ୍ରପର୍ଟି ରହିଛି । ଏହା ବ୍ୟତୀତ କୋଡାଇକାନାଲରେ ତାଙ୍କର କୋଟି କୋଟି ଟଙ୍କାର କୃଷି ଜମି ମଧ୍ୟ ରହିଛି ।

ଦୁଇଟି ଆସନରୁ ଆଗୁଆ ‘ଥାଲାପତି’ 

ବର୍ତ୍ତମାନର ନିର୍ବାଚନୀ ଟ୍ରେଣ୍ଡ ଅନୁଯାୟୀ, ବିଜୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି - ପେରମ୍ବୁର ଏବଂ ତିରୁଚିରାପଲ୍ଲୀ (ଇଷ୍ଟ) । ଉଭୟ ଆସନରେ ସେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟରେ ଆଗୁଆ ଅଛନ୍ତି । ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ପରେ ଚେନ୍ନାଇ ସ୍ଥିତ ବାସଭବନ ଓ ତାଙ୍କ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୨୪ରେ ଅଭିନୟରୁ ଅବସର ଘୋଷଣା କରି ସେ ପୂର୍ଣ୍ଣକାଳୀନ ରାଜନୀତିରେ ପାଦ ଦେଇଥିଲେ । ଆଜିର ଫଳାଫଳ ପ୍ରମାଣ କରୁଛି ଯେ ତାମିଲନାଡ଼ୁ ଜନତା ତାଙ୍କୁ ଜଣେ ନେତା ଭାବେ ଗ୍ରହଣ କରିସାରିଛନ୍ତି ।

ଆହୁରି ପଢ଼ନ୍ତୁ... ​​​​​​​ତାମିଲନାଡ଼ୁରେ ବିଜୟଙ୍କ ବିଜୟ ରଥ, ୮ ଗ୍ରାମ୍ ସୁନା ଓ ମାସିକ ୨୫୦୦ ଟଙ୍କା ପ୍ରତିଶ୍ରୁତିରେ କ୍ଲିନ୍ ସୁଇପ୍ କଲେ ବିଜୟ !