ଚେନ୍ନାଇ, ୧୦/୦୫: ତାମିଲନାଡୁରେ ସଂଖ୍ୟା ଖେଳକୁ ନେଇ ଜାରି ରହିଥିବା ସଙ୍ଘର୍ଷରେ ଶନିବାର ବିରାମ ଲାଗିଛି । ଆବଶ୍ୟକ ସଂଖ୍ୟା ଜୁଟାଇବାରେ ସଫଳ ହୋଇଛି ଟିଭିକେ (ତାମିଲଗା ଭେଟ୍ରି କାଝଗମ୍) । ସରକାର ଗଢ଼ିବାକୁ ଶେଷରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର ଟିଭିକେ ମୁଖ୍ୟ ଥଲାପତି ବିଜୟଙ୍କୁ ଆମନ୍ତ୍ରଣ କରିଛନ୍ତି । ରବିବାର ପୂର୍ବାହ୍ନ ୧୦ଟାରେ ଚେନ୍ନାଇର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ନୂଆ ସରକାରର ଶପଥ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ । ଆରମ୍ଭ ହେବ ବିଜୟ ରାଜ୍ । ଏହାକୁ ନେଇ ରାଜ୍ୟବ୍ୟାପୀ ଟିଭିକେ କର୍ମୀଠୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଅଭିନେତାରୁ ନେତା ବନିଥିବା ବିଜୟ ପ୍ରଥମ ସୁଯୋଗରେ ହିଁ ବିପୁଳ ଜନାଦେଶ ସାଉଁଟିବାରେ ସଫଳ ହୋଇଛନ୍ତି ।
ମେ ୪ରେ ଭୋଟ ଫଳ ପ୍ରକାଶ ଦିନରୁ ହିଁ ସଂଖ୍ୟା ଯୋଗାଡ଼ରେ ଲାଗିଥିଲେ ବିଜୟ । ଟିଭିକେ ୧୦୮ ଆସନ ଜିତିଥିଲେ ହେଁ ବହୁମତ (୧୧୮)ରୁ ଅଳ୍ପକେ ପଛରେ ପଡ଼ିଯାଇଥିଲା । ତଥାପି ଆଶା ଜୁଟାଇ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ରଖିଥିଲେ । କିନ୍ତୁ ତାଙ୍କୁ ଦୁଇଥର ଖାଲି ହାତରେ ଫେରାଇ ଦେଇଥିଲେ ରାଜ୍ୟପାଳ। ପ୍ରଥମେ ବହୁମତ ପ୍ରମାଣ କରିବାକୁ କହିଥିଲେ । ଏବେ ୫ଟି ଦଳର ସମର୍ଥନ ପାଇଛନ୍ତି ସେ ।
ଦୀର୍ଘ ୬ ଦିନର କସରତ ପରେ ବିଜୟ ଶନିବାର ରାଜ୍ୟପାଳଙ୍କୁ ପୁନର୍ବାର ଭେଟି ୧୨୧ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ରାଜ୍ୟପାଳ ତୁରନ୍ତ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ତାଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ତାଙ୍କୁ ମେ ୧୩ କିମ୍ବା ତା’ ପୂର୍ବରୁ ବହୁମତ ପ୍ରମାଣ କରିବା ଲାଗି କୁହାଯାଇଛି ।
ଉଲ୍ଲେଖଥାଉ କି ସରକାର ଗଢ଼ିବାକୁ ନେଇ ରାଜ୍ୟ ରାଜନୀତି ନାଟକୀୟ ମୋଡ଼ରେ ପହଞ୍ଚିଥିଲା । ଟିଭିକେକୁ ଆଗରୁ କଂଗ୍ରେସ(୫), ସିପିଆଇ (୨) ଏବଂ ସିପିଆଇ(ଏମ୍) (୨) ଭଳି ଦଳର ସମର୍ଥନ ୮ ତାରିଖ ସୁଦ୍ଧା ମିଳିସାରିଥିଲା । ତଥାପି ବହୁମତ (୧୧୮) ଅଙ୍କ ଛୁଇଁପାରି ନଥିଲା ଦଳ । ଶନିବାର ଭିସିକେ ଏବଂ ଆଇୟୁଏମ୍ଏଲ୍ ନିଜ ସମର୍ଥନ ଜଣାଇଥିଲେ । ଉଭୟ ଦଳ ପାଖରେ ୨ଟି ଲେଖାଏଁ ଆସନ ଥିବାରୁ ମୋଟ ସଂଖ୍ୟା ୧୨୧ରେ ପହଞ୍ଚିଥିଲା । ଆଉ ବିଳମ୍ବ ନ କରି ବିଜୟ ରାଜ୍ୟପାଳଙ୍କୁ ଦେଖା କରିବାକୁ ସମୟ ମାଗିଥିଲେ । ସନ୍ଧ୍ୟା ସାଢ଼େ ୬ଟାରେ ଭେଟିବାକୁ ସମୟ ଦେଇଥିଲେ ରାଜ୍ୟପାଳ । ଏହା ପୂର୍ବରୁ ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଡିଏମ୍କେ ଏବଂ ଏଆଇଏଡିଏମ୍କେ ମିଶି ସରକାର ଗଢ଼ିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଭିସିକେ ନେତା ମଧ୍ୟ ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନ୍ଙ୍କୁ ବାରମ୍ବାର ଭେଟିଥିଲେ । ଭିସିକେ ଉପରେ ସମସ୍ତଙ୍କ ନଜର ରହିଥିଲା । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତି ଝୁଲାଇ ରଖିଥିଲା ଦଳ । ତେବେ ଆଜି ଦଳ ନିଃସର୍ତ୍ତ ସମର୍ଥନ ଜଣାଇବା ପରେ ସବୁ ଛକାପଞ୍ଝାର ସମାପ୍ତି ହୋଇଥିଲା ।
ସୂତ୍ର ମୁତାବକ, ଶପଥ ସମାରୋହ ସମୟ ବଦଳାଇବାକୁ ବିଜୟ ଚାହୁଁଥିଲେ । ଅପରାହ୍ନ ୩ଟା ୪୫ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାଙ୍କ ଜ୍ୟୋତିଷ ତାଙ୍କୁ ସକାଳ ୧୦ଟାର ସମୟ ଶୁଭ ବୋଲି କହିଥିଲେ । ଦୁଇଘଣ୍ଟା ଧରି ରାଜ୍ୟପାଳଙ୍କ ସହ ବୈଠକ ମଧ୍ୟରେ ବିଜୟ ନିଜ ଜ୍ୟୋତିଷଙ୍କ ସହ ବାରମ୍ବାର ଫୋନ୍ରେ କଥା ହୋଇଥିଲେ ।
ଜ୍ୟୋତିଷଙ୍କ କହିବାନୁସାରେ, ବିଜୟ ୧୦ଟାରେ ହିଁ ଶପଥ ନେବାକୁ ରାଜ୍ୟପାଳଙ୍କୁ ଜଣାଇଥିଲେ । ତାମିଲନାଡୁର ବିଧାନସଭା ନିର୍ବାଚନ ଫଳ ମେ ୪ରେ ଆସିଥିଲା । ମୋଟ ୨୩୪ ଆସନ ମଧ୍ୟରୁ ସର୍ବାଧିକ ୧୦୮ଟି ଆସନ ଟିଭିକେ ଜିତିଥିଲା । ଡିଏମ୍କେକୁ ୫୯ ଏବଂ ଏଆଇଏଡିଏମ୍କେକୁ ୪୭ଟି ମିଳିଥିଲା । ଅନ୍ୟ ଦଳଗୁଡ଼ିକୁ ୨୦ଟି ମିଳିଥିଲା । ସରକାର ଗଠନ ଲାଗି ୧୧୮ର ବହୁମତ ସଂଖ୍ୟା କାହାକୁ ମିଳି ନ ଥିଲା । ଶନିବାର ବିଜୟଙ୍କର ହଜାର ହଜାର ପ୍ରଶଂସକ ଜବାହରଲାଲ ନେହରୁ ଷ୍ଟାଡିୟମ୍ରେ ପହଞ୍ଚିଥିଲେ । କିନ୍ତୁ ଶପଥ ସମାରୋହ ଟଳିଯିବାରୁ ନିରାଶ ହୋଇ ଫେରିଯାଇଥିଲେ । ରବିବାର ପୁଣି ହଜାର ହଜାର ପ୍ରଶଂସକଙ୍କ ସମାଗମ ହେବାକୁ ଯାଉଛି । ଶପଥ ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମିଲ ହେବେ ।
ରାଜ୍ୟପାଳଙ୍କ ସହମତି ପରେ ଶନିବାର ଟିଭିକେ କାର୍ଯ୍ୟକର୍ତ୍ତାମାନେ ଦଳର ମୁଖ୍ୟାଳୟ ବାହାରେ ବାଣ ଫୁଟାଇ ଖୁସି ମନାଇଥିଲେ । ସେହିଭଳି ଟିଭିକେ ବିଧାୟକ ରହିଥିବା ମହାବଳୀପୁରମସ୍ଥିତ ଫୋର୍ ପଏଣ୍ଟସ ରିସର୍ଟ ବାହାରେ ବି ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।