ତେହରାନ୍, ୨୮/୦୩ : ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ଶୁକ୍ରବାର ଇସ୍ରାଏଲ ଉପରେ ୮୩ତମ ମିସାଇଲ ଆକ୍ରମଣ କରିଛି । ଏଥରକ ସେହି ମିସାଇଲରେ ଭାରତୀୟଙ୍କୁ ଧନ୍ୟବାଦ ଜଣାଇ ‘ଥ୍ୟାଙ୍କ୍ ୟୁ ଇଣ୍ଡିଆ’ ଲେଖାଯାଇଥିଲା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଜଣେ ଇରାନୀ ସୈନିକ ଲଞ୍ଚ ପୂର୍ବରୁ ଧଳା ରଙ୍ଗର ମିସାଇଲରେ ଏହି ବାର୍ତ୍ତା ଲେଖୁଥିବା ଦେଖିବାକୁ ମିଳିଛି । ଭାରତ ବ୍ୟତୀତ ଜର୍ମାନୀ, ପାକିସ୍ତାନ, ସ୍ପେନ ଭଳି ଦେଶ ଲାଗି ମଧ୍ୟ ଇରାନ ମିସାଇଲରେ ସମାନ ବାର୍ତ୍ତା ଲେଖିଥିବା ଜଣାପଡ଼ିଛି ।
ଭାରତ ସମେତ ଏହି ସବୁ ଦେଶ ଖୋଲାଖୋଲି ଭାବେ ଆମେରିକାକୁ ସମର୍ଥନ କରିନଥିବା ବେଳେ ଯୁଦ୍ଧରୁ ଦୂରତା ବଜାୟ ରଖିଛନ୍ତି । ସେଥିଯୋଗୁ ଇରାନ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜଣାଇ ମିସାଇଲରେ ଏହି ବାର୍ତ୍ତା ଦିଆଯାଇଛି । ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି) ଅନୁସାରେ, ଏଥର ଆକ୍ରମଣ ଲାଗି ଲମ୍ବା ଏବଂ ମଧ୍ୟମ ଦୂରଗାମୀ ମିସାଇଲ୍, ଡ୍ରୋନ୍ ବ୍ୟବହାର କରାଯାଇଥିଲା । ଆକ୍ରମଣ ସମୟରେ ଇସ୍ରାଏଲର ଠିକଣା ସହ ଉପସାଗରୀୟ କ୍ଷେତ୍ରରେ ଥିବା ଆମେରିକୀୟ ସୈନ୍ୟ ଠିକଣାକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ବାହାରିନ୍ରେ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ସହ ଜଡ଼ିତ ଏକ ଠିକଣା ଉପରେ ଆକ୍ରମଣ ହୋଇଥିବା ନେଇ ଆଇଆରଜିସି ପ୍ରକାଶ କରିଛି ।
ସୂଚନାଥାଉକି, ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତ ପକ୍ଷରୁ ନିକଟରେ ଇରାନକୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଥିଲା । ସେହିଭଳି ଜମ୍ମୁକାଶ୍ମୀରର ଲୋକେ ଇରାନୀୟଙ୍କ ପାଇଁ ଟଙ୍କା, ସୁନା ଏବଂ ଘରକରଣା ସାମଗ୍ରୀ ପଠାଇଥିଲେ।
ଏହି ଖବରଟିକୁ ପଢନ୍ତୁ- ଘନେଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ; ଇରାନ ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣ, ରାଜଧାନୀ ତେହେରାନରେ କଲା ବୋମା ବର୍ଷା…