PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ହସୁଛି ଏବେ ଲାଲ୍‌ଗଡ଼, ବଦଳିଛି ସ୍ୱାଭିମାନ ଅଞ୍ଚଳର ଚିତ୍ର

ଲମତାପୁଟ, ୨୫।୧: ଭୁଶୁଡି଼ ପଡ଼ିଛି ମାଓଗଡ଼ । ବଦଳିବାରେ ଲାଗିଛି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଚିତ୍ର । ଦିନଥିଲା ଯେଉଁଠି ସହିଦଗୃହ ରହିଥିଲା, ସେଠି ଏବେ ଚାଲିଛି ବିଏସ୍‌ଏଫ୍‌ କ୍ୟାମ୍ପ । ୨୪ ଘଣ୍ଟା ପହରା ଦେଉଛନ୍ତି ଯବାନ । ସହିଦ ସ୍ତମ୍ଭ ନିକଟରେ ଗଢାଯାଇଛି ରାଧାକୃଷ୍ଣ ମନ୍ଦିର । ଯେଉଁ ଅଞ୍ଚଳରେ ମାତ୍ର ୫ ବର୍ଷ ତଳେ ଲାଲ୍‌ ସଲାମ ସ୍ଲୋଗାନ୍‌ରେ କମ୍ପୁଥିଲା ଗଗନପବନ, ସେଠି ଏବେ ଗୁଞ୍ଜରିତ ହେଉଛି ଆଧ୍ୟାତ୍ମିକତାର ଆଦ୍ୟଓଁକାର । ଯେଉଁଠି ଲାଲ୍‌ ବ୍ୟାନର୍‌ ଲାଗୁଥିଲା ସେଠି ଏବେ ଶାନ୍ତି, ମୈତ୍ରୀ ଓ ସଂପ୍ରିତୀର ବାର୍ତ୍ତା ବାଣ୍ଟୁଛି ତ୍ରିରଙ୍ଗା । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ନିଜକୁ ହଜାଇ ଦେଇଛନ୍ତି ଅଞ୍ଚଳର ମହିଳାମାନେ । ପୁରୀରୁ ପହଞ୍ଚିଛନ୍ତି ଅନେକ ସାଧୁସନ୍ଥ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସବୁଠୁ ବଡ଼ ମାଓମେଳି ହେଉଥିବା ପଣସପୁଟ ପଞ୍ଚାୟତର ଗୋରାସେତୁରେ।

ଲାଲଗଡ଼ ଭାବେ ବେଶ୍‌ ପରିଚିତ ଥିଲା ଚିତ୍ରକୋଣ୍ଡା ବ୍ଲକ୍‌ର ପଣସପୁଟ, ଅଣ୍ଡ୍ରାପାଲି ଓ ଯୋଡ଼ାମ୍ବ ପଞ୍ଚାୟତ । ମାଓହିଂସାରେ ବାଜି ଲାଗୁଥିଲା ନିରିହ ଆଦିବାସୀଙ୍କ ଜୀବନ । ମାଓବାଦୀଙ୍କ ଦ୍ୱାରା ଗଡିଚାଲିଥିଲା ଗୋଟିଏ ପରେ ଗୋଟିଏ ମୁଣ୍ଡ । ରକ୍ତରଂଜିତ ହେଉଥିଲା ବିଚ୍ଛିନ୍ନାଞ୍ଚଳର ମାଟି । ଘରୁ ପାଦ କାଢିବାକୁ ଭୟ କରୁଥିଲେ ଲୋକେ । ଏବେ ସ୍ଥିତି ବଦଳିଛି । ବିଚ୍ଛିନ୍ନାଞ୍ଚଳ ହୋଇଛି ସ୍ୱାଭିମାନ ଅଞ୍ଚଳ । ଆଦିବାସୀଙ୍କ ପାଖରେ ପହଞ୍ଚିଛି ବିକାଶ । ଅନ୍ଧାରରୁ ମୁକ୍ତି ମିଳିଛି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ଆସିଛି ଐତିହାସିକ ପରିବର୍ତ୍ତନ । ଦୂର ହୋଇଛି ପାନୀୟ ଜଳ ଏବଂ ବିଜୁଳି ସମସ୍ୟା । ଯେଉଁଠି ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ ଫତୁଆ ଜାରି କରିଥିଲେ ମାଓବାଦୀ, ସେଠି ଏବେ ଘରେ ଘରେ ଏହି ସୁବିଧା ମିଳୁଛି । ଦୁର୍ଗମ ଅଞ୍ଚଳକୁ ଗାଡିମଟର ଗଡୁଛି । ସବୁଠୁ ବଡ଼କଥା ହେଲା, ଯେଉଁଠି ଆଗରୁ ଲାଲ୍‌ ବ୍ୟାନର ଓ ପତାକା ଛାଇ ଯାଉଥିଲା, ଏବେ ସେଠି ଫରଫର ହୋଇ ଉଡୁଛି ଜାତୀୟ ପତାକା ।
ବିକାଶର ଚିତ୍ର ସାଉଁଟିବା ବେଳେ ମନେ ପଡିଯାଉଛି ୨୦୧୭ର ଜୁଲାଇ ୨୮ର ସେହି ଲୋମଟାଙ୍କୁରା ଦୃଶ୍ୟ ।

ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଗୋରାସେଠୁରେ ସହିଦ ଗୃହ ନିର୍ମାଣ କରି ଉଦ୍‌ଘାଟନ କରିଥିଲେ ମାଓବାଦୀ । ପୁଲିସ୍‌ ଏନ୍‌କାଉଣ୍ଟରରେ ସେମାନଙ୍କର କେତେକ ସାଥୀ ସହିଦ ହୋଇଥିବା ଦର୍ଶାଇ ଏକାଠି ହୋଇଥିଲେ ପ୍ରାୟ ଅଢେଇ ହଜାର ସଶସ୍ତ୍ର ମାଓବାଦୀ । ତିନିଟି ଯାକ ପଞ୍ଚାୟତକୁ ନିଜ କବ୍‌ଜାରେ ରଖିଥିଲେ । ଏମିତିକି ଆଦିବାସୀଙ୍କୁ ଭୟଭୀତ କରି ନିଜ ସପକ୍ଷରେ ରଖିଥିଲେ । ସେମାନେ ବି ଧନୁତୀର, ଟାଙ୍ଗିଆ, ବର୍ଚ୍ଛା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ମାଓବାଦୀଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମାତ୍ର ୫ ବର୍ଷ ପରେ ସବୁକିଛି ବଦଳିଯାଇଛି । ଗୋରାସେତୁରେ ଏବେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଲାଗିପଡିଛନ୍ତି ଆଖପାଖର ଲୋକେ । ସୋମବାରରୁ ଆରମ୍ଭ ହୋଇଛି ପ୍ରତିଷ୍ଠା କାର୍ଯ୍ୟ । ବିଭିନ୍ନ ଗାଁର ମୁଖିଆମାନେ ସାମିଲ ହୋଇଛନ୍ତି । ନଦୀକୂଳରେ ଚାଲିଛି ପୂଜାର୍ଚ୍ଚନା, କଳସ ଶୋଭାଯାତ୍ରା । ପୁରୀରୁ ଆସିଥିବା ସାଧୁସନ୍ଥଙ୍କ ହୋମଯଜ୍ଞ ଏବଂ ମନ୍ତ୍ରୋଚାରଣରେ ମୁଖରିତ ହେଉଛି ପୂରା ଅଞ୍ଚଳ । କାହାରି ମନରେ ଟିକିଏ ହେଲେ ଭୟ ନାହିଁ । ସତେ ଯେମିତି ସେମାନଙ୍କୁ ଆତଙ୍କ ଓ ଅନ୍ଧାରର ବଳୟ ଭିତରୁ ମୁକ୍ତିର ବାଟ ମିଳିଯାଇଛି । ଯେଉଁ ଯୋଡାମ୍ବକୁ ଗମନାଗମନ ସ୍ୱପ୍ନ ଥିଲା ଏବେ ସେଠାକୁ ମାଲକାନଗିରିରୁ ଗାଡି ଚାଲୁଛି । ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାମାନେ ଡାକ୍ତରଖାନାରେ ପ୍ରସବ କରିପାରୁଛନ୍ତି । ମାସକୁ ଯୋଡାମ୍ବ ମେଡିକାଲ୍‌ରେ ୨୫ରୁ ୩୦ଟି ସୁରକ୍ଷିତ ପ୍ରସବ ହୋଇପାରୁଥିବା ସେଠାରେ ନିଯୁକ୍ତ ଜଣେ ଆୟୁଷ ଡାକ୍ତର କହିଛନ୍ତି । ମାତ୍ର ୨ ବର୍ଷ ଭିତରେ ଏସବୁ ପଞ୍ଚାୟତର ୯୦ ଭାଗ ଗାଁକୁ ରାସ୍ତାଘାଟ ନିର୍ମାଣ ହୋଇଛି । ଆଉ ବର୍ଷକ ମଧ୍ୟରେ ସିଂହଭାଗ ରାସ୍ତାକାମ ଶେଷ ହୋଇଯିବ ବୋଲି କହିଛନ୍ତି ବିଭାଗୀୟ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅକ୍ଷୟ ରାଉତ ।