ଓଡ଼ିଶା ହାଇକୋର୍ଟ ପାଇଁ ୨୦୨୫ ବର୍ଷଟି ଥିଲା ଘଟଣାବହୁଳ । ଅନେକଙ୍କ ଉପରେ ପଡ଼ିଥିଲା ଅଦାଲତଙ୍କ ଛାଟ । ବୁଲ୍ଡୋଜର୍-ଜଷ୍ଟିସ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ କୋର୍ଟ । ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଉଦ୍ଧାର ମାମଲାରେ ହେଉ ଅବା ଜବରଦଖଲ ସମ୍ପତ୍ତି ଫେରସ୍ତ ଅଣାଯିବାରେ, ହାଇକୋର୍ଟଙ୍କ ହସ୍ତକ୍ଷେପ ସରକାରଙ୍କୁ ଦେଇଥିଲା ବଡ଼ ଆଶ୍ୱସ୍ତି । ନିର୍ବାଚନୀ ମାମଲାରେ ଅନେକ ନେତାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଆଉ କେତେଜଣଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ତମାମ୍ ବର୍ଷର ଅଦାଲତି ଘଟଣା ଓ ବିଚାର ପ୍ରକ୍ରିୟାକୁ ନେଇ ‘ପ୍ରମେୟ’ର ଉପସ୍ଥାପନା ।
ସ୍ୱତନ୍ତ୍ର ରାୟ
ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷାକୁ ପ୍ରାଥମିକତା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ତଥା ତାଙ୍କ ସ୍ୱାର୍ଥ ସୁରକ୍ଷାକୁ ପ୍ରାଥମିକତା ଦେଇ ହାଇକୋର୍ଟ ଚଳିତବର୍ଷ ଅନେକଗୁଡ଼ିଏ ନିର୍ଦ୍ଦେଶନାମା ଜାରି କରିଥିଲେ । ହାଇକୋର୍ଟ କହିଥିଲେ, ମହାପ୍ରଭୁଙ୍କ ସ୍ୱାର୍ଥ ରକ୍ଷା କରିବା ଦାୟିତ୍ୱ ହେଉଛି ଅଦାଲତଙ୍କର । ଯଦି ମହାପ୍ରଭୁଙ୍କ ଜାଗା ଉପରେ ତାଙ୍କ ଭକ୍ତଙ୍କ ରହିବା ଲାଗି ଅତିଥି ଭବନ କରାଯାଉଛି ତାହେଲେ ଏହି ଜମିକୁ ଆଉ କାହାରିକୁ ଦିଆଯାଇ ପାରିବନାହିଁ । ସେହିପରି ସହରାଞ୍ଚଳ ଏବଂ ସହରାଞ୍ଚଳ ଆଖପାଖ ଅଞ୍ଚଳରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ବହୁ ସମ୍ପତ୍ତି ମନ୍ଦିର ପ୍ରଶାସନ ହାତରୁ ଖସିଯାଉଥିବା ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ଏହିଭଳି ବହୁ ସମ୍ପତ୍ତି ଅସୁରକ୍ଷିତ ଥିବାରୁ ଏନେଇ ହାଇକୋର୍ଟ କେତେକ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।
‘ବୁଲଡୋଜର୍ ଜଷ୍ଟିସ୍’କୁ ଭର୍ତ୍ସନା
ଚଳିତବର୍ଷ ହାଇକୋର୍ଟ ପ୍ରଶାସନର ତଥାକଥିତ ଓ ଚର୍ଚ୍ଚିତ ‘ବୁଲ୍ଡୋରଜର୍ ଜଷ୍ଟିସ୍’କୁ ଭର୍ତ୍ସନା କରିଛନ୍ତି । ଅଦାଲତ କହିଛନ୍ତି ଯେ, ବର୍ତ୍ତମାନ ‘ବୁଲଡୋଜର୍ ଜଷ୍ଟିସ୍’ ସମସ୍ୟା ସୃଷ୍ଟି କରିଛି ଯେଉଁଠି କାର୍ଯ୍ୟପାଳିକା ଆଇନର ଅନୁସରଣ ନକରି ମେସିନ୍ର ବ୍ୟବହର କରୁଛନ୍ତି । ବୁଲଡୋଜର ବ୍ୟବହାର ଦ୍ୱାରା ପ୍ରଶାସନ ସାମ୍ବିଧାନିକ ନିୟମର ଉଲ୍ଲଂଘନ କରୁଛି । ଗୋଟିଏ ବ୍ୟବସ୍ଥା ଆଇନର ଶାସନ ଦ୍ୱାରା ଚାଲୁଛି । ସରକାରଙ୍କ ଦ୍ୱାରା ଯେକୌଣସି କାର୍ଯ୍ୟ ମନମୁଖି ନହୋଇ କୌଣସି ଏକ କାରଣ ଆଧାରରେ ହେବା ଉଚିତ୍ ବୋଲି କହିବା ସହ ହାଇକୋର୍ଟ କଟକ ଜିଲ୍ଲା ପ୍ରଶାସନର ବୁଲଡୋଜର୍ ନୀତିକୁ କଡ଼ା ସମାଲୋଚନା କରିଥିଲେ । ଏହି ମର୍ମରେ ହାଇକୋର୍ଟ ବେଆଇନ ଭାବେ ଏକ ଗୋଷ୍ଠୀକେନ୍ଦ୍ର ଭଙ୍ଗା ପାଇଁ ପ୍ରଶାସନ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରିଥିଲେ । ସେଥିରୁ ଆଠଗଡ଼ ତହସିଲ୍ଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଆଦାୟ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ସାଂସଦ, ବିଧାୟକଙ୍କ ଦ୍ୱାରା ଶିକ୍ଷକଙ୍କ ବଦଳି ଆଦେଶ ରଦ୍ଦ
ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବଦଳି କରିପାରିବେ ନାହିଁ ସାଂସଦ, ବିଧାୟକ । ଏଭଳି ନିୟମ ଆଇନର ବିରୋଧାଚରଣ କରୁଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ମଧ୍ୟ ନାହିଁ । କେବଳ ଶିକ୍ଷା ବିଭାଗର ଜଣେ ଯୁଗ୍ମ ସଚିବଙ୍କ ଜରିଆରେ ଏକ ବିଜ୍ଞପ୍ତି ଜାରି କରି ଦିଆଯାଇଛି । ଏହି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ସହ ଏଭଳି ନିଷ୍ପତ୍ତିକୁ କଡ଼ା ଭାଷାରେ ଭର୍ତ୍ସନା ମଧ୍ୟ କରିଥିଲେ । ଏହି ବିଜ୍ଞପ୍ତି ଆଧାରରେ ଯେଉଁ ଶିକ୍ଷକମାନଙ୍କର ବଦଳି ହୋଇସାରିଛି ଏବଂ ଯେଉଁମାନେ ବଦଳି ସ୍ଥାନରେ ଯୋଗଦେଇ ସାରିଛନ୍ତି ସଂପୃକ୍ତ ଶିକ୍ଷକମାନେ ସେହି ସ୍ଥାନରେ ଚଳିତ ଶିକ୍ଷାବର୍ଷ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହାଇକୋର୍ଟ କହିଛନ୍ତି । ଶିକ୍ଷାବର୍ଷ ଶେଷରେ ଶିକ୍ଷକମାନେ ସେମାନଙ୍କ ମୂଳ ସ୍ଥାନକୁ ଫେରି ଆସିବେ ।