ନୂଆଦିଲ୍ଲୀ, ୦୯/୦୧ : ଆଜି ନିର୍ଦ୍ଧାରଣ ହେବ ଟାରିଫ୍ ଭବିଷ୍ୟତ। ଅଗ୍ନି ପରୀକ୍ଷା ଦେବେ ଟ୍ରମ୍ପ। ଆମେରିକା ଉପରେ ସାରା ବିଶ୍ଵର ନଜର। ୟୁଏସ୍ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି ବିଗାଡ଼ିପାରେ ଟ୍ରମ୍ପଙ୍କ ଖେଳ। ବ୍ୟାକ୍ ଫୁଟ୍ କୁ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି। ବୈଶ୍ଵିକ ଅର୍ଥବ୍ୟବସ୍ଥା ଏବଂ ବ୍ୟାପାର ନୀତି ଉପରେ ବଡ଼ ପ୍ରଭାବ। ତେବେ କ'ଣ ଏହି ମାମଲା ? ଜାଣନ୍ତୁ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟ କାର୍ଯ୍ୟକାଳରେ ମନମାନି ଚଳାଇଛନ୍ତି। ଦେଶମାନଙ୍କ ଉପରେ ଟାରିଫ୍ ପରେ ଟାରିଫ୍ ଲଦୁଛନ୍ତି। ସାରା ବିଶ୍ଵ ଉପରେ ଦାଦାଗିରି ଦେଖାଉଛନ୍ତି। ଟ୍ରମ୍ପଙ୍କ ଟାରିଫ୍ ନୀତି ପାଇଁ ବିଶ୍ଵ ବଜାରରେ ବଡ଼ ପ୍ରଭାବ ପଡ଼ିଛି। ବିଶେଷ କରି ଆମେରିକା ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ଅନେକ ଚ୍ୟାଲେଞ୍ଜ୍ ଦେଇ ଗତି କରୁଛି। ମାମଲା ଏବେ କୋର୍ଟରେ ପହଞ୍ଚିଛି। ଆଜି ଆମେରିକା ସୁପ୍ରିମକୋର୍ଟରେ ଏନେଇ ରାୟ ଆସିବ। ଟ୍ରମ୍ପଙ୍କ ଟାରିଫ୍ ଭବିଷ୍ୟତ ନିର୍ଦ୍ଧାରଣ ହେବ। ସୁପ୍ରିମକୋର୍ଟଙ୍କ ରାୟ ଉପରେ ଏବେ ସାରା ବିଶ୍ଵର ନଜର ରହିଛି।  

ବ୍ୟାକ୍ ଫୁଟ୍‌ କୁ ଆସିପାରନ୍ତି ଟ୍ରମ୍ପ

ଟ୍ରମ୍ପଙ୍କ ଟାରିଫ୍ ପାଇଁ ଭାରତୀୟ ସେୟାର ବଜାର ଏବେ ଚାପରେ। ଯଦି ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ପ୍ରଶାସନ ବିରୋଧରେ ରାୟ ଦିଅନ୍ତି, ତାହେଲେ ଟାରିଫ୍ ଅବୈଧ ଘୋଷଣା ହେବ। ଆମେରିକା ଫାଷ୍ଟ ଟାରିଫ୍ ନୀତିକୁ ଝଟକା ଲାଗିବ। କମ୍ପାନୀଗୁଡ଼ିକ ଠାରୁ ଆଦାୟ କରିଥିବା ଶୁଳ୍କ ଫେରସ୍ତ କରିବାକୁ ପଡ଼ିବ। ଯଦି ଏଭଳି ହୁଏ ତାହେଲେ ଚୀନ, ୟୁରୋପ, ଭାରତ ଭଳି ଦେଶ ସହ ବ୍ୟାପାର ସମ୍ପର୍କ ସୁଧୁରିବ। ବାଣିଜ୍ୟିକ ଯୁଦ୍ଧ ଭଳି ରଣନୀତି ଦୁର୍ବଳ ହେବ।ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ସରକାର ଏପର୍ଯ୍ୟନ୍ତ ୮ ରୁ ୧୨ ଲକ୍ଷ କୋଟି ଆଦାୟ କରିଛନ୍ତି। କୋର୍ଟ ସରକାରଙ୍କ ବିରୋଧରେ ଗଲେ ଟ୍ରମ୍ପଙ୍କ ପାଖରେ ଆଉ ଏକ ବିକଳ୍ପ ଅଛି। ସରକାର ସିନେଟରେ ନୂଆ ଆଇନ ପାସ୍ କରିବାକୁ ଚେଷ୍ଟା କରିବେ। ରିଫଣ୍ଡକୁ ଟାଳିବାକୁ କିମ୍ଵା କିସ୍ତି ଆକାରରେ ଦେବାକୁ ପ୍ରୟାସ କରିବେ। କିମ୍ଵା ପୁରୁଣା ଟାରିଫ୍ କୁ ବୈଧ ପ୍ରମାଣ କରିବାକୁ ନୂଆ ରାସ୍ତା ଖୋଜିବେ। 

ରାୟ ସପକ୍ଷରେ ଆସିଲେ ଅଡ଼ୁଆ ବଢିବ

ଟ୍ରମ୍ପଙ୍କ ସପକ୍ଷରେ ରାୟ ଆସିଲେ ସମସ୍ତ ବିବାଦୀୟ ଟାରିଫ୍ ଆଇନ ଅନୁଯାୟୀ ବୈଧ ଘୋଷଣା ହେବ। କମ୍ପାନୀ ଗୁଡ଼ିକୁ କୌଣସି ରିଫଣ୍ଡ୍ ମିଳିବ ନାହିଁ। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ଵ ରୁରକ୍ଷିତ ରହିବ। ଆମେରିକା ଫାଷ୍ଟ ଭଳି ହାର୍ଡ ଟ୍ରେଡ୍ ପଲିସି ଆହୁରି ଶକ୍ତିଶାଳୀ ହେବ। ଚୀନ, ଋଷ ଓ ଭାରତ ଉପରେ ଆହୁରି ଅଧିକ ଚାପ ପଡିବ।