PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୧୧୬ ବର୍ଷରେ ୬ ଥର ବଦଳିଛି ତ୍ରିରଙ୍ଗାର ଡିଜାଇନ

ନୂଆଦିଲ୍ଲୀ, ୧୫/୮ : ପ୍ରାରମ୍ଭରୁ ବିଭିନ୍ନ ପରିବର୍ତ୍ତନ ଦେଇ ବର୍ତ୍ତମାନର ରୂପରେ ପହଞ୍ଚିଛି ଆମର ଜାତୀୟ ପତାକା । ୧୧୬ ବର୍ଷ ମଧ୍ୟରେ ଏହା ପ୍ରାୟ ୬ ଥର ବଦଳିଛି । ଭାରତର ସ୍ୱାଧୀନତା ସଂଗ୍ରାମର ବହ୍ନି ଯେତେଯେତେ ପ୍ରଜ୍ୱଳିତ ହେଉଥିଲା, କ୍ରାନ୍ତିକାରୀମାନେ ନିଜ ନିଜ ସ୍ତରରେ ସ୍ୱାଧୀନ ଭାରତର ଭିନ୍ନ ପରିଚୟ ଲାଗି ନିଜର ପତାକା ପ୍ରସ୍ତାବିତ କରୁଥିଲେ । ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କୋଲକାତାର ପାରସୀ ବାଗାନ୍‌ ଚୌକ(ବର୍ତ୍ତମାନର ଗ୍ରୀନ୍‌ ପାର୍କ) ରେ ବଙ୍ଗ ବିଭାଜନ ବିରୋଧରେ ‘ବୟକଟ୍‌ ଦିବସ’ ପାଳନ କରିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।

ଏହି ପ୍ରଦର୍ଶନରେ ପ୍ରଥମ ଥର ଲାଗି ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ବାନାର୍ଜୀ ଏକ ପତାକା ଉଡ଼ାଇଲେ । ତାକୁ ଭାରତର ପ୍ରଥମ ଜାତୀୟ ପତାକା କୁହାଯାଏ । ସେଥିରେ ସବା ଉପରେ ସବୁଜ, ମଝିରେ ହଳଦିଆ ଓ ନିମ୍ନ ଭାଗରେ ନାଲି ରଙ୍ଗର ପଟି ରହିଥିଲା । ସବୁଠୁ ଉପରେ ଥିବା ପଟିରେ ୮ଟି ଧଳା ରଙ୍ଗର ପଦ୍ମଫୁଲ ଥିଲା । ମଝି ପଟିରେ ହିନ୍ଦୀରେ ‘ବନ୍ଦେ ମାତରମ୍‌’ ଲେଖାଯାଇଥିଲା । ସବୁଠୁ ତଳେ ଥିବା ପଟିର ବାମପଟେ ଧଳା ରଙ୍ଗରେ ଅର୍ଦ୍ଧଚନ୍ଦ୍ର ଓ ଡାହାଣ ପଟେ ସୂର୍ଯ୍ୟ ଚିହ୍ନ ଥିଲା । ତା’ ପରବର୍ଷ ଦେଶକୁ ଦ୍ୱିତୀୟ ପତାକା ମିଳିଥିଲା । ଅଗଷ୍ଟ ୨୨, ୧୯୦୭ରେ ପ୍ରଥମ ପତାକାରେ କିଛି ପରିବର୍ତ୍ତନ କରି ମ୍ୟାଡାମ୍‌ ଭିକାଜୀ କାମା ଓ ତାଙ୍କ ସହ ନିର୍ବାସିତ ହୋଇଥିବା କିଛି କ୍ରାନ୍ତିକାରୀ ସାଥୀ ମିଶି ଭାରତର ନୂଆ ପତାକାକୁ ଜର୍ମାନୀରେ ଉଡ଼ାଇଥିଲେ ।

ତାହା ଦେଖିବାକୁ ପ୍ରାୟ ପ୍ରଥମ ପତାକା ଭଳି ଥିଲା । ସେଥିରେ ନାରଙ୍ଗୀ, ହଳଦିଆ ଓ ସବୁଜ ରଙ୍ଗର ପଟି ରହିଥିଲା । ସବା ଉପର ପଟିରେ ୮ଟି ତାରା ଚିତ୍ର ଥିଲା । ମଝି ପଟିରେ ‘ବନ୍ଦେ ମାତରମ୍‌’ ଲେଖାଥିଲା । ଏହାପରେ ୧୯୧୭ ମସିହାରେ ସାମ୍ନାକୁ ଆସିଲା ଆଉ ଏକ ପତାକା  । ଡ. ଆନିବେସାନ୍ତ ଓ ଲୋକମାନ୍ୟ ତିଳକ ଏହାକୁ ଉତ୍ତୋଳନ କରିଥିଲେ । ଏହି ନୂଆ ପତାକାରେ ୫ଟି ଲାଲ୍‌ ଓ ୪ଟି ସବୁଜ ରଙ୍ଗର ପଟି ଥିଲା । ପତାକାର ଶେଷ ଭାଗରେ କଳା ରଙ୍ଗରେ ତ୍ରିକୋଣାକାର ଆକୃତି ହୋଇଥିଲା । ବାମ ପଟ କୋଣରେ ବ୍ରିଟେନ୍‌ର ପତାକା ୟୁନିଅନ୍‌ ଜ୍ୟାକ୍‌ ଥିଲା । ଡାହାଣପଟରେ ଏକ ଅର୍ଦ୍ଧଚନ୍ଦ୍ର ଓ ତାରା ଥିଲା ।

ସେହିପରି ସପ୍ତଋଷିଙ୍କୁ ଦର୍ଶାଇବା ଲାଗି ୭ଟି ତାରା ରହିଥିଲା । ଏ ସବୁ ଥିଲା ଭିନ୍ନ ଭିନ୍ନ ସମୟରେ ଇଂରେଜଙ୍କ ବିରୋଧରେ ଉଡ଼ାଯାଇଥିବା ଭାରତୀୟ ପତାକା । କିନ୍ତୁ ଆମେ ଆଜି ଯେଉଁ ତ୍ରିରଙ୍ଗାକୁ ଦେଖୁଛନ୍ତି ତାହା ପ୍ରସ୍ତୁତ ହେବାର ଆରମ୍ଭ ୧୯୨୧ ମସିହାରେ ହୋଇଥିଲା । ସେହିବର୍ଷ ମାଡ୍ରାସ ପ୍ରେସିଡେନ୍ସି କଲେଜର ପ୍ରଫେସର ପିଙ୍ଗଳି ଭେଙ୍କେୟା ବେଜୱାଡ଼ା(ବର୍ତ୍ତମାନର ବିଜୟୱାଡ଼ା) ରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧିବେଶନ ସମୟରେ ଗାନ୍ଧିଜୀଙ୍କୁ ଏକ ପତାକାର ଡିଜାଇନ୍‌ ଦେଖାଇଥିଲେ । ସେଥିରେ ଦେଶର ଦୁଇ ପ୍ରମୁଖ ଧର୍ମର ଲୋକ ହିନ୍ଦୁଙ୍କ ପାଇଁ ଲାଲ୍‌ ଓ ମୁସଲିମଙ୍କ ପାଇଁ ସବୁଜ ରଙ୍ଗର ପଟି ଥିଲା । ଗାନ୍ଧିଜୀ ସେଥିରେ କିଛି ପରିବର୍ତ୍ତନ କରାଇଲେ । ଭାରତର ଅନ୍ୟ ସଂପ୍ରଦାୟମାନଙ୍କୁ ପ୍ରତିନିଧିତ୍ୱ କରିବା ଲାଗି ସେଥିରେ ଏକ ଧଳା ରଙ୍ଗର ପଟି ଓ ରାଷ୍ଟ୍ର ପ୍ରଗତିର ସଙ୍କେତ ଦେବାଲାଗି ମଝିରେ ଏକ ଚାଲୁଥିବା ଚରଖା ଚିହ୍ନ ରଖାଯିବା ଦରକାର ବୋଲି ସେ ପରାମର୍ଶ ଦେଲେ ।

୧୯୩୧ ମସିହାରେ ପତାକା ପୁଣି ବଦଳିଲା । ସେହି ବର୍ଷ ପତାକାକୁ ଭାରତୀୟ ଜାତୀୟ କଂଗ୍ରେସ ଔପଚାରିକ ଭାବେ ଗ୍ରହଣ କଲା । ସେହି ପତାକାରେ ସବୁଠୁ ଉପରେ ନାରଙ୍ଗୀ, ମଝିରେ ଧଳା ଓ ନିମ୍ନ ଭାଗରେ ସବୁଜ ରଙ୍ଗର ପଟି ରହିଲା । ମଝିରେ ଥିବା ଧଳା ରଙ୍ଗ ଉପରେ ଏକ ଚାଲୁଥିବା ଛୋଟ ଚରଖା ରଖାଯାଇଥିଲା । କଂଗ୍ରେସର ଏହି ପତାକା ଭାରତୀୟ ଲୋକଙ୍କ ଲାଗି ଜାତୀୟତା ସହ ସଂପୃକ୍ତ ଥିଲା ।

ଶେଷରେ ୧୯୪୭ ମସିହାରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେଲା । ଏହି କମିଟିକୁ ଭାରତର ଜାତୀୟ ପତାକା ସ୍ଥିର କରିବାକୁ ଥିଲା । ଏହି କମିଟି ଭାରତୀୟ ଜାତୀୟ କଂଗ୍ରେସର ପତାକାରେ କିଛି ପରିବର୍ତ୍ତନ କରି ଏହାକୁ ଜାତୀୟ ପତାକା ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଲା । ଏହିଭଳି ୧୯୩୧ରେ ପ୍ରସ୍ତୁତ ଏହି ପତାକାର ପରିବର୍ତ୍ତିତ ସ୍ୱରୂପକୁ ୧୯୪୭ ଜୁଲାଇ ୨୨ରେ ଗ୍ରହଣ କରି ନିଆଗଲା । ତେବେ ପତାକାରେ ଚରଖାର ସ୍ଥାନ ନେଲା ଅଶୋକ ଚକ୍ର । ମଝିରେ ଧଳା ରଙ୍ଗର ପଟି ଉପରେ ଚରଖା ସ୍ଥାନରେ ସମ୍ରାଟ ଅଶୋକଙ୍କର ଧର୍ମଚକ୍ରକୁ ଗାଢ଼ ନୀଳ ରଙ୍ଗରେ ପ୍ରଦର୍ଶିତ କରାଯାଇଛି ।

ସମ୍ବନ୍ଧିତ ଖବର