କୋଲକାତା,୨୮/୦୫: ନିକଟରେ ଫିଲ୍ମ ‘ଦି କେରଳ ଷ୍ଟୋରୀ'କୁ ନେଇ ବିତର୍କ ମଧ୍ୟରେ ଅନ୍ୟ ଏକ ଫିଲ୍ମକୁ ନେଇ ଏକ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ‘ସନ୍ତ୍ରାସ' ଘଟଣାକୁ ଆଧାର କରି ‘ଡାଏରୀ ଅଫ୍ ୱେଷ୍ଟବେଙ୍ଗଲ' ନାମକ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରେ ନିର୍ଦ୍ଦେଶକ ସାନାଜ ମିଶ୍ରଙ୍କୁ ଥାନାକୁ ଡକାଇଛି ପୁଲିସ । ମେ' ୧୧ରେ ଜଣେ ବ୍ୟକ୍ତି କୋଲକାତାର ଆମହର୍ଷ୍ଟ ଷ୍ଟ୍ରିଟ ଥାନାରେ ଅଭିଯୋଗ କରିଥିଲେ, ଏହି ଚଳଚ୍ଚିତ୍ର ଯୋଗୁ ପଶ୍ଚିମବଙ୍ଗର ଭାବମୂର୍ତ୍ତି ନଷ୍ଟ ହେଉଛି । ଅଭିଯୋଗରେ ଫିଲ୍ମର ନିର୍ମାତା ଜିତେନ୍ଦ୍ର ନାରାୟଣ ସିଂଙ୍କ ନାମ ମଧ୍ୟ ରହିଛି । ପୁଲିସ ସୂତ୍ର ଅନୁସାରେ, ସେହି ମାମଲାରେ ନିର୍ଦ୍ଦେଶକ ସାନାଜଙ୍କୁ ମେ ୩୦ ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି ।
ସୂଚନାନୁସାରେ, ଯେଉଁଠାରେ ଟ୍ରେଲର ପ୍ରକାଶ ପାଇଥିଲା ସୋସିଆଲ ମିଡିଆର ମାଲିକଙ୍କୁ ମଧ୍ୟ ଡକାଯାଇଛି । ଏଥିରୁ ରାଜନୈତିକ ଚାପ ମଧ୍ୟ ଆରମ୍ଭ ହୋଇଛି । ପୁଲିସର ସୂଚନାନୁସାରେ, ଅପରାଧିକ ଷଡଯନ୍ତ୍ର, ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା, ମିଥ୍ୟା ବିବୃତ୍ତି ଦେବା କିମ୍ବା ଅପରାଧ କରିବା ଉଦ୍ଦେଶ୍ୟରେ ଗୁଜବ ପ୍ରଚାର କରିବା ପାଇଁ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ବିଭାଗକୁ ମଧ୍ୟ ଯୋଗ କରାଯାଇଛି । ପୁଲିସର ସୂଚନାନୁସାରେ, ରାଜ୍ୟର ଭାବମୂର୍ତ୍ତି ଏବଂ ସଂସ୍କୃତି ନଷ୍ଟ କରିବା ପାଇଁ ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ତେବେ ଲାଲବଜାର ତରଫରୁ କୌଣସି ପୁଲିସ ଅଧିକାରୀ ଏହି ପ୍ରସଙ୍ଗରେ ମୁହଁ ଖାଲିବାକୁ ଚାହୁଁନାହାଁନ୍ତି । ଫିଲ୍ମର ନିର୍ଦ୍ଦେଶକ ସାନାଜ ଦାବି କରିଛନ୍ତି, ରାଜ୍ୟର ଭାବମୂର୍ତ୍ତିକୁ ନଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଗବେଷଣା ଏବଂ ଅନୁସନ୍ଧାନ ମାଧ୍ୟମରେ ପ୍ରାପ୍ତ ସୂଚନା ଏହି ଚଳଚ୍ଚିତ୍ରରେ ବ୍ୟବହୃତ ହୋଇଛି ।
ଫିଲ୍ମର ନିର୍ଦ୍ଦେଶକଙ୍କୁ ପୁଲିସ ତଲବରେ ‘ସୈରତାନ୍ତ୍ରିକ' ବୋଲି ଆଖ୍ୟା ଦେଇ ବିଜେପି ସ୍ୱର ଉଠାଇଛି । ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଶାମିକ ଭଟ୍ଟାଚାର୍ଯ୍ୟ ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗର ନାମ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଅଛି । ପଶ୍ଚିମବଙ୍ଗରୁ ମାଓବାଦୀଙ୍କୁ ଧରାଯାଉଛି । ଯଦି କେହି ଫିଲ୍ମ ମାଧ୍ୟମରେ ଏହି ବାସ୍ତବତାକୁ ହାଇଲାଇଟ୍ କରିବାକୁ ଚାହାଁନ୍ତି, ତେବେ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ, ସେଥିରୁ କେତେ ସତ, କେତେ ଆଂଶିକ ସତ୍ୟ, ବିତର୍କ ହୋଇପାରେ । ହେଲେ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ହେଉଛି ଅତ୍ୟଧିକ ଅଗଣତାନ୍ତ୍ରିକ, ଅସହିଷ୍ଣୁ ତଥା ସୈରତାନ୍ତ୍ରିକ ମାନସିକତାର ଅଭିବ୍ୟକ୍ତି ।
ରାଜ୍ୟ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ କୁନାଲ ଘୋଷ ପାଲଟା ଦାବି କରିଛନ୍ତି ଯଦି ଜଣେ କହୁଛି ଏଇଟା ବିକୃତ, ପ୍ରରୋଚନାମୂଳକ ଓ ରାଜନୈତିକ ଉଦ୍ଦେଶ୍ୟ, ତେବେ ବାଂଲାର ଡାଏରୀ ହେଲେ ସେଥିରେ ସାମ୍ପ୍ରତିକ ଅତୀତରେ ରାଜ୍ୟରେ ‘ଦୂଆରେ ସରକାର', 'କନ୍ୟାଶ୍ରୀ' ଭଳି ଜାତୀୟ ତଥା ଆନ୍ତର୍ଜାତୀୟ ମାନ୍ୟତା ପାଇଛି ତାହା କାହିଁକି ଉଲ୍ଲେଖ କରାଯାଇ ନାହିଁ । ଏଠାରେ ମରିଚଝାମ୍ପି, ବିଜ୍ଜନ ସେତୁ, ସାମିବାଡି ବିଷୟରେ କାହିଁକି ଉଲ୍ଲେଖ ନାହିଁ । ବାସ୍ତବରେ, ସିପିଏମ୍ ସହାୟତାରେ ବିଜେପି ଏକ ମିଥ୍ୟା ରାଜନୈତିକ ଅଭିଯାନ ଆରମ୍ଭ କରିଛି । ତେଣୁ ଏହାକୁ ନିଷିଦ୍ଧ କରିବାକୁ ଆମେ ଦାବି କରୁଛୁ । ଚଳଚ୍ଚିତ୍ର ସହିତ କୌଣସି ରାଜନୈତିକ ସମ୍ପର୍କ ନାହିଁ ବୋଲି ବିଜେପି ଦାବି କରିଛି ।