କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମହିଳା କ୍ୟାଡର ମାଓବାଦୀ ନିର୍ମଲା

କଣ୍ଟାବାଞ୍ଜି, ୨୪/୬: କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବଲାଙ୍ଗିର ଜେଲରେ ବିଚାରଧିନ କଏଦୀ ଭାବେ ଜୀବନ କାଟୁଥିବା ମହିଳା କ୍ୟାଡର ମାଓବାଦୀ ନିର୍ମଲା ମାଝି । ଅଭିଯୋଗ ପକ୍ଷରୁ ସାକ୍ଷ ଗ୍ରହଣ ହେବାର ଥିଲା । ତେବେ ସାକ୍ଷମାନେ ନୋଟିସ ସତ୍ତ୍ବେ ମଧ୍ୟ କୋର୍ଟରେ ଉପସ୍ଥିତ ହୋଇନଥିବା ଯୋଗୁଁ ଏହି କେସକୁ ମୁଲତବି କରାଯାଇଛି । ପରବର୍ତ୍ତି ଶୁଣାଣି ଆସନ୍ତା ମାସ ୨ ତାରିଖ ରଖାଯାଇଥିବା ନିର୍ମଲାଙ୍କ ଓକିଳ ବିଷ୍ଣୁପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
ଗତ ୫ ବର୍ଷ ପୂର୍ବେ ବିଶାଖାପାଟଣାରୁ ଚିକିତ୍ସା ହୋଇ ଟ୍ରେନ ଯୋଗେ ଟିଟିଲାଗଡ ଦେଇ ଆସୁଥିବାବେଳେ ପୋଲିସ ସନ୍ଦେହରେ ନିର୍ମଲାକୁ ଗିରଫ କରିଥିଲା । ନିର୍ମଲାଙ୍କ ସହ ଜୁରାବନ୍ଦ ଗାଁର ଗୌତମ ବାଗଙ୍କୁ ମଧ୍ୟ ପୋଲିସ ଗିରଫ କରି କଣ୍ଟାବାଞ୍ଜି ଥାନାରେ ଅଟକ ରଖିଥିଲା । କଣ୍ଟାବାଞ୍ଜି ଥାନାରେ ଗୌତମଙ୍କ ମୃତ୍ୟ ହୋଇଥିବାବେଳେ ଗୌତମ ଆତ୍ମହତ୍ୟା କରିଥିବା ପୋଲିସ କହିଥିଲା ।
ହେଲେ ଗୌତମ ଆତ୍ମହତ୍ୟା ନୁହେଁ ବରଂ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଗୌତମଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ସେହି ସମୟରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା ।