ନୂଆଦିଲ୍ଲୀ ୨୪/୦୩: ଭାରତରେ ମରୁଡ଼ି ସମସ୍ୟା ଏବେ ଅତ୍ୟନ୍ତ ଗମ୍ଭୀର ହୋଇଛି । ଗଙ୍ଗାନଦୀର ସମତଳ ଅଞ୍ଚଳର କିଛି ଅଂଶ ୨୦୦୯ ମସିହାରୁ ଶୁଷ୍କଭୂମିର ଏକ ବଡ଼ ହଟ୍ସ୍ପଟ୍ ହୋଇଛି । ଡିସେମ୍ବର ୨୦୨୫ରେ ଜାରି ଏକ ଅଧ୍ୟୟନ ଅନୁସାରେ, ୧୯୭୧ରୁ ୨୦୨୦ ପର୍ଯ୍ୟନ୍ତ ୬ ବଡ଼ କ୍ଷେତ୍ର- ପଶ୍ଚିମ ଓ ମଧ୍ୟ ଭାରତ, ହିମାଳୟ, ଗଙ୍ଗାର ସମତଳ, ଉପଦ୍ୱୀପ ଓ ଉତ୍ତର-ପୂର୍ବ ଭାରତରେ ମରୁଡ଼ି ସ୍ଥିତି ବଢ଼ିଛି । ଅଧ୍ୟୟନ ଲାଗି ଷ୍ଟାଣ୍ଡାଡାଇଜ୍ଡ ପ୍ରେସିପିଟେଶନ ଇଭାପୋଟ୍ରାନ୍ସପିରେଶନ୍ ଇଣ୍ଡେକ୍ସ ଭଳି ଜଳବାୟୁ ସୂଚକର ପ୍ରୟୋଗ କରାଯାଇଥିଲା । ଏହାର ଫଳ ଆଶ୍ଚର୍ଯ୍ୟଚକିତ ଥିଲା । ଗଙ୍ଗାର ସମତଳ, ହିମାଳୟ ଓ ଉତ୍ତର-ପୂର୍ବ ଭାରତରେ ମରୁଡ଼ି ହାର ଦ୍ରୁତ ବଢୁଛି । ଦୁର୍ବଳ ମୌସୁମୀ ଓ ତାପମାତ୍ରା ବୃଦ୍ଧି ଏହି ସମସ୍ୟାକୁ ଆହୁରି ଗମ୍ଭୀର କରିଛି ।
ମୌସୁମୀ ସମୟରେ ବର୍ଷା କମିଯାଉଛି । ଅନ୍ୟପକ୍ଷେ ଖରାଦିନେ ବାଷ୍ପ ସୃଷ୍ଟି ହେବାର ବେଗ ବଢ଼ିଛି । ଉଭୟ ଦିନ ଓ ରାତି ତାପମାତ୍ରା ବଢୁଛି । ଆବଶ୍ୟକତାଠୁ ଅଧିକ ଭୂଜଳ ଖର୍ଚ୍ଚ ଓ କ୍ଷେତରେ ଅଧିକ ପାଣି ଆବଶ୍ୟକ କରୁଥିବା ଫସଲ ପାଇଁ ଜଳାଭାବ ଆହୁରି ତୀବ୍ର ହେଉଛି । ଉତ୍ତର-ପୂର୍ବ ଭାରତରେ ପୂର୍ବରୁ ବହୁତ ବର୍ଷା ହେଉଥିଲା, କିନ୍ତୁ ଏବେ ସେଠାରେ ବି ଦୁର୍ବଳ ମୌସୁମୀ ଓ ଗରମ ଜଳ ସମସ୍ୟା ସୃଷ୍ଟି କରିଛି ।
ସେପ୍ଟେମ୍ବର ୨୦୨୫ରେ ଜାରି ଏକ ଅଧ୍ୟୟନ ସ୍ପଷ୍ଟ କରିଛି, ଗଙ୍ଗା ନଦୀ ଘାଟି ୧୯୯୧-୨୦୨୦ ମଧ୍ୟରେ ବିଗତ ୧୩୦୦ ବର୍ଷର ସବୁଠୁ ତୀବ୍ର ମରୁଡ଼ିର ସମ୍ମୁଖୀନ ହୋଇଥିଲା । ବୃକ୍ଷ ଛାଲରୁ ଜଣାପଡ଼ିଲା, ଏହା ଷୋଡ଼ଶ ଶତାବ୍ଦୀର ମରୁଡ଼ିଠୁ ମଧ୍ୟ ୭୬% ଅଧିକ ଥିଲା । ୟୁନିଭର୍ସିଟି ଅଫ୍ ଏରିଜୋନାର ବୈଜ୍ଞାନିକଙ୍କ ଅନୁସାରେ, ଏହି ମରୁଡ଼ି କେବଳ ପ୍ରାକୃତିକ ନୁହେଁ, ବରଂ ମାନବୀୟ ଗତିବିଧିର ଫଳ । ମରୁଡ଼ି ଏବେ କେବଳ ଜଳ ସମସ୍ୟା ହୋଇ ନାହିଁ । ୟୁନାଇଟେଡ୍ ନେସନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁସାରେ, ଜଳ ଏବେ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ବିଷୟ ହୋଇଛି । ଉଚିତ୍ ପ୍ରବନ୍ଧନ ନ ହେଲେ ଦେଶ ଦେଶ ମଧ୍ୟରେ ପାଣି ପାଇଁ ଯୁଦ୍ଧ ହୋଇପାରେ । ବୈଜ୍ଞାନିକ କହନ୍ତି, କେବଳ ନୂଆ ଟେକ୍ନୋଲୋଜି ଯଥେଷ୍ଟ ନୁହେଁ । ଡ୍ରିପ୍ ଇରିଗେସନ୍, ସୌର ପମ୍ପ୍, ପାଣି ସଫା କରି ପୁନଃ ଉପଯୋଗ ଏବଂ ଜଳରୁ ଲବଣ ପୃଥକ କରୁଥିବା ପ୍ଲାଣ୍ଟ ସହାୟକ ହୋଇପାରନ୍ତି । ଭାରତରେ କୃଷିରେ ୮୫% ଜଳ ଉପଯୋଗ ହୁଏ । ସେଥିପାଇଁ ସର୍ବପ୍ରଥମେ ଚାଷର ତରିକା ବଦଳାଇବା ଉଚିତ୍ ।
ଆହୁରି ପଢ଼ନ୍ତୁ...ମୁଡିସ୍ ରିପୋର୍ଟ, ମାଡ଼ିଆସୁଛି ବଡ଼ ଆର୍ଥିକ ବିପତ୍ତି ; ଯୁଦ୍ଧରେ ୪୮ ଲକ୍ଷ କୋଟି ସ୍ୱାହା, ଖସିବ ଅଭିବୃଦ୍ଧି