. ଖସିବ ଅଭିବୃଦ୍ଧି,ବଢ଼ିବ ମୁଦ୍ରାସ୍ଫୀତି
. ପ୍ରମୁଖ ଅର୍ଥନୀତିରେଘରୋଇ ଚାହିଦା ଦୁର୍ବଳ
. ପୁଣି ଯୋଗାଣ ଶୃଙ୍ଖଳଚିନ୍ତା ଘାରିବ
.ଏଆଇର ପ୍ରସାରହୋଇପାରେ ଧୀମା
ନୂଆଦିଲ୍ଲୀ,୨୪/୦୩; ଚଳିତ ଦଶନ୍ଧି ଆରମ୍ଭରୁ ହିଁ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି ଶନି ଦଶା । ଯୁଦ୍ଧରେ ୪୮ ଲକ୍ଷ କୋଟି ସ୍ୱାହା ହୋଇଛି । ପ୍ରଥମେ କୋଭିଡ୍ ମହାମାରୀ, ଏହାପରେ ରୁଷ-ୟୁକ୍ରେନ ଯୁଦ୍ଧ, ତା’ପରେ ଡୋନାଲ୍ ଟ୍ରମ୍ପଙ୍କ ଆକ୍ରାମକ ଟାରିଫ୍ ନୀତି ଆଉ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧ । ତାଲିକା ଆଗକୁ ବି ବଢ଼ିପାରେ । ଏଭଳି ସ୍ଥିତିରେ ଉକ୍ତ ଏସୀୟ ଅର୍ଥବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧି ସମ୍ଭାବନା କ୍ଷୀଣ ହୋଇଯାଇଛି, ଯେଉଁମାନେ ତୈଳ ଏବଂ ଶକ୍ତି ଆମଦାନି ଉପରେ ଅଧିକ ନିର୍ଭରଶୀଳ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ତୈଳ ଏବଂ ଗ୍ୟାସ ସଂକଟ ସ୍ଥିତି ଉପୁଜିଛି । ଦର ଉପରମୁହାଁ । ଖାଲି ସେତିକି ନୁହେଁ ଏସିଆ ପ୍ରଶାନ୍ତ ଅଞ୍ଚଳରୁ ହୋର୍ମୁଜ ଦେଇ ୟୁରୋପକୁ ବିଭିନ୍ନ ପ୍ରକାର ସାମଗ୍ରୀ ରପ୍ତାନି ହୋଇଥାଏ । ହୋର୍ମୁଜ ବନ୍ଦ ଥିବାରୁ ତାହା ଏବେ ଠପ୍ । ଅନ୍ୟ ମାର୍ଗ ଦେଇ ରପ୍ତାନି ବ୍ୟୟବହୁଳ ବ୍ୟାପାର । ଏଭଳି ସ୍ଥିତିରେ ରାଷ୍ଟ୍ରଗୁଡ଼ିକ ଚିନ୍ତାରେ ।
ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି । ଦରଦାମ ସ୍ଥିତି ଉତ୍କଟ । ମୁଦ୍ରାସ୍ଫୀତି ଚାପ ବଢ଼ିଲାଣି । ଏଭଳି ସ୍ଥିତିରେ ଆଗକୁ ବଡ଼ ଧରଣର ଆର୍ଥିକ ସଂକଟ ସ୍ପଷ୍ଟ ଅନୁମେୟ । କେବଳ ତୈଳକୁ ନେଇ ଚିନ୍ତା କରୁଥିବା ଭାରତ ସରକାର ଅନ୍ୟାନ୍ୟ ଦିଗକୁ ଦୃଷ୍ଟି ଦେଉନାହାନ୍ତି । ରପ୍ତାନି ବାସ୍କେଟ ପ୍ରଭାବିତ । ଦେଶରୁ ମଧ୍ୟପ୍ରାଚ୍ୟକୁ କୃଷି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରପ୍ତାନି ବ୍ୟାହତ ହୋଇଛି । ଏଭଳି ସ୍ଥିତିରେ ଅର୍ଥବ୍ୟବସ୍ଥାରେ ଏକ କଳା ବାଦଲ ଘୋଟିଆସିଲାଣି । ତୈଳ ଆମଦାନି ଉପରେ ନିର୍ଭରଶୀଳ ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାର ବିଷୟ ହେଉଛି ଆମଦାନି ବିଲ୍ । ତୈଳ ଦର ବୃଦ୍ଧି ସହିତ ବଢ଼ିବ ଆମଦାନି ବିଲ୍ । ଶୁଖିଯିବ ବୈଦେଶିକ ମୁଦ୍ରା ଭଣ୍ଡାର । ଏହା ଏକ ବଡ଼ ଚିନ୍ତା ।
ମୁଡିସ୍ ରିପୋର୍ଟ ଅନୁସାରେ, ଯୁଦ୍ଧ ଯୋଗୁ ହୋଇଥିବା ଆର୍ଥିକ କ୍ଷୟକ୍ଷତି ଫଳରେ ଏ ବର୍ଷ ଏସିଆ ପ୍ରଶାନ୍ତ ଅଞ୍ଚଳର ଅଭିବୃଦ୍ଧି ୪% କୁ ଖସିଯାଇପାରେ, ଯାହାକି ୨୦୨୫ରେ ଥିଲା ୪.୩% । ୨୦୨୭ରେ ଏହା ପୁନଃ ୩.୬%କୁ ଖସିପାରେ । ସେହିଭଳି ଭାରତର ଅଭିବୃଦ୍ଧି ଏ ବର୍ଷ ୭.୫%କୁ ଖସିଯାଇପାରେ ବୋଲି ଅନୁମାନ କରିଛି ମୁଡିସ୍, ଯାହାକି ୨୦୨୫ରେ ଥିଲା ୭.୮% । ୨୦୨୭ରେ ଏହା ୬.୨% ଏବଂ ୨୦୨୮ରେ ୬%କୁ ଖସିପାରେ ବୋଲି ଅନୁମାନ ରହିଛି । ଗତ ୧୮ ବର୍ଷ ଧରି ବାହ୍ୟ ଏବଂ ଘରୋଇ ଝଟ୍କା ଯୋଗୁ ଏସିଆ ପାସିଫିକ୍ ରାଷ୍ଟ୍ରଗୁଡ଼ିକର ଆର୍ଥିକ ସମ୍ପତ୍ତି ଧୂଳିସାତ ହୋଇଯାଇଛି ।
ମୁଡିସ୍ ଅନୁସାରେ, ପ୍ରମୁଖ ଅର୍ଥନୀତିଗୁଡ଼ିକରେ ଘରୋଇ ଚାହିଦା ଦୁର୍ବଳ ରହିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଭିନ୍ନ ସାମଗ୍ରୀ ଦର ବଢ଼ିଚାଲିଛି । ଫଳରେ ମୁଦ୍ରାସ୍ଫୀତି ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରସାୟନ ଏବଂ ସାର ଅଭାବ ସ୍ଥିତି ଉପୁଜିଛି । ମଧ୍ୟପ୍ରାଚ୍ୟରୁ ଅଧିକାଂଶ ସାମଗ୍ରୀ ଆମଦାନି କରିଥାନ୍ତି ଏସିଆ ପାସିଫିକ୍ ରାଷ୍ଟ୍ର । ସେଠାରୁ ପ୍ରଚୁର ତୈଳ ଏବଂ ଗ୍ୟାସ ଆସିଥାଏ । ଏବେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ମାତିଥିବାରୁ ବଡ଼ ଶକ୍ତି ସଂକଟର ପୂର୍ବାନୁମାନ କରାଯାଇଛି । ଯଦି ଆମେରିକା ଏବଂ ଇରାନ ଯୁଦ୍ଧ ଲମ୍ବା ସମୟ ଧରି ଲାଗିରୁହେ ତେବେ ଏହାର ପରିଣାମକୁ ଅଣଦେଖା କରାଯାଇପାରିବ ନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ସହିତ ଏସୀୟ ଅର୍ଥନୀତିଗୁଡ଼ିକ ପାଇଁ ଏକ ବଡ଼ ବିପତ୍ତି ହେଉଛି ଟ୍ରମ୍ପଙ୍କ ବେପରୁଆ ଟାରିଫ୍ ନୀତି । ଟାରିଫ୍କୁ ନେଇ ଅନିଶ୍ଚିତତା ଚିନ୍ତାର ବିଷୟ । ଏହାସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବିଶ୍ୱ ଯେଉଁ ଗତିରେ ଆଗକୁ ବଢୁଥିଲା ତାହା ବର୍ତ୍ତମାନ ସ୍ଥିତିରେ ଧିମା ହୋଇପାରେ ବୋଲି ଚେତାବନୀ ଦେଇଛି ମୁଡିସ୍ । ଏଆଇକୁ ନେଇ ସବୁଆଡ଼େ ଚର୍ଚ୍ଚା ।
ଏହା ବି ପଢନ୍ତୁ...ଇରାନ ଯୁଦ୍ଧ ଯୋଗୁଁ ନୂଆ ସମସ୍ୟା, BS6 ଡିଜେଲ ଗାଡ଼ିରେ ଲାଗିପାରେ ବ୍ରେକ୍ !
ମୁଡିସ୍ ରିପୋର୍ଟ ଅନୁସାରେ ସାମ୍ପ୍ରତିକ ସ୍ଥିତି ଯୋଗୁ ଏହାର ଗତି ଧୀମା ହୋଇପାରେ । ଏସିଆରେ ବିଶ୍ୱର ସିଂହଭାଗ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ହୋଇଥାଏ । ଏଥିରେ ବ୍ୟବହାର ହେଉଥିବା ସେମିକଣ୍ଡକ୍ଟର ଯୋଗାଣ ପ୍ରଭାବିତ ହେବା ଆଶଙ୍କା ରହିଛି, ଯାହା ପ୍ରଭାବରେ ଏସିଆ ପାସିଫିକ୍ରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବ୍ୟାହତ ହୋଇପାରେ । ଏହା ଅଭିବୃଦ୍ଧିକୁ ବାଧା ଦେବା ସ୍ୱାଭାବିକ ବୋଲି ମୁଡିସ୍ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।