କାହାଣୀ ଏକ କୁନି ଝିଅର ; ଯାହାର ଆଖି ଆଗରେ ଥିଲା ମୃତ୍ୟୁ ,ହେଲେ କେହି କିଛି କରିପାରିଲେନି, ଶେଷରେ…..

ଫଟୋ କହେ କାହାଣୀ,୧୭/୦୪: ବେଳେବେଳେ ପ୍ରକୃତି ଆଗରେ ମଣିଷ ଚାହିଁଲେ ବି କିଛି କରିପାରେନି। ପ୍ରକୃତିର କରାଳ ରୁପ ସତେ ଯେମିତି ମଣିଷକୁ ହାର ମାନିବାକୁ ଆଉ ଅସହାୟ ହେବାକୁ ବାଧ୍ୟ କରେ। ବଞ୍ଚାଇବାର ହଜାରେ ଚେଷ୍ଟା ପରେ ବି କେହି ଜଣେ ଆଖି ସାମ୍ନାରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳି ଶେଷରେ ଜୀବନ ହାରିଦିଏ, ଏକଥା କେତେ ଯେ କଷ୍ଟ, ତାହା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ। ଆପଣ ଉପରେ ଦେଖୁଥିବା ଏହି ଫଟୋ ପଛରେ ବି ଠିକ୍ ଏମିତି ଗୋଟେ କାହାଣୀ ରହିଛି ଯାହା ଆପଣଙ୍କୁ ଭାବପ୍ରବଣ କରିଦେବ। ତେବେ ଆସନ୍ତୁ ଜାଣିବା ପୂରା କାହାଣୀଟି କଣ?
୧୩ ନଭେମ୍ବର ୧୯୮୫ ମସିହାରେ କୋଲମ୍ବିଆର ନେୱାଡୋ ଡେଲ୍ ରୁଇଜ୍ ଠାରେ ହଠାତ୍ ଲାଭା ଉଦ୍ଗୀରଣ ହେଲା। ବିକଳ ଜୀବନ ଆଗରେ ହଠାତ୍ ଏକ ଭୀମକାୟ ନୃଶଂସ ରାକ୍ଷସ ଭେଟ ହେବା ଭଳି ମାଟି ତଳୁ ଜଳି ଉଠିଲା ଭୂଗର୍ଭର ନିଆଁ। ମିନିଟ୍ ପ୍ରତି ୩୬୦ କିମି ବେଗରେ ବୋହିଲା ନିଆଁର ନଦୀ। ଦେଖୁ ଦେଖୁ ୧୩ ଟି ଗାଁ ଏହି ତତଲା ନଦୀ ଧାରାରେ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଗଲା। ଚାରିଆଡ଼େ ଖାଲି ଧୂଆଁମୟ ପରିବେଶ ସୃଷ୍ଟି ହେଲା।

ଏତିକିରେ ଶାନ୍ତ ପଡ଼ିନଥିଲା ଜ୍ୱାଳାମୁଖୀ। ଲାଭାର ଧାରା ଏତେ ପ୍ରବଳ ଥିଲା ଯେ ଏହା ନିମିଷକ ମଧ୍ୟରେ ଆର୍ମେନିଆ ସହରକୁ ତା କବ୍ଜାରେ ନେଇଗଲା। ମାତ୍ର କେଇ ମିନିଟ୍ରେ ଏହି ନିଆଁରେ ନଦୀରେ ଜଳିଗଲେ ୨୦ ହଜାରରୁ ଅଧିକ ଲୋକ। ଏ ଦୃଶ୍ୟ ଏମିତି ଲାଗୁଥିଲା ଯେମିତି ଅନେକ ଦିନୁ ଭୋକିଲା ଥିବା ରାକ୍ଷସୀଟେ ତା’ର ଲାଲ୍ ଟହ ଟହ ଜିଭରେ ପୋକ ମାଛି ପରି ଚାଟି ଦେଉଛି ନିରିହ ଜୀବନସବୁକୁ।
ପ୍ରକୃତିର ଏହି ସଂହାର ଲୀଳାରେ ୧୨ ବର୍ଷର କୁନି ଝିଅ ଓମାଏରା ସାଞ୍ଚେଜ୍ ସିନା ବଞ୍ଚିଗଲେ, କିନ୍ତୁ ତାଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଆଉ ସିଏ ଘରେ ଫସି ରହିଥିଲେ। ତାଙ୍କ ଛାତି ତଳକୁ ପାଣିରେ ବୁଡ଼ି ରହିଥିଲା। କାରଣ ତାଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲେ ତାଙ୍କ ମୃତ ଖୁଡ଼ି। ଆଉ ଅଣ୍ଟା ତଳକୁ ଚାପି ହୋଇଥିଲା ଘରର କଂକ୍ରିଟ୍ କାନ୍ଥ। ତାଙ୍କୁ ଉଦ୍ଧାର କରିବା ପାଇଁ କୋଲମ୍ବିଆର ଉଦ୍ଧାରକାରୀ ଦଳ ଜୋର୍ସୋର୍ ଉଦ୍ୟମ ଆରମ୍ଭ କରିଦେଲେ। କିନ୍ତୁ ଘଟଣା ଏତେ ଭୟାନକ୍ ଥିଲା ଯେ ଓମାଏରାଙ୍କ ଗୋଡ଼ ନକାଟି ତାଙ୍କୁ ଉଦ୍ଧାର କରିବା ଅସମ୍ଭବ ଥିଲା। କିନ୍ତୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅକ୍ଷତ ଭାବେ ଉଦ୍ଧାର କରିବାକୁ ଚାହୁଁଥିଲେ।
ଧୀରେ ଧୀରେ ସମୟ ଗଡ଼ିବାକୁ ଲାଗିଲା। ଥକିପଡ଼ିଥିଲେ ଉଦ୍ଧାରକାରୀ ଦଳ। ଓମାଏରାଙ୍କ ବଞ୍ଚିବାର ଆଶା କିନ୍ତୁ କମ୍ ହୋଇ ନଥିଲା। ଉଦ୍ଧାରକାରୀ ଦଳଙ୍କୁ ବିଶ୍ରାମ ନେବାକୁ କହୁଥିଲେ ଏମାଏରା। ସୁରକ୍ଷାକର୍ମୀମାନେ ମଧ୍ୟ ଓମାଏରଙ୍କୁ ଧର୍ଯ୍ୟ ରଖିବାକୁ କହିବା ସହିତ ତାଙ୍କ ମନକୁ ହାଲ୍କା କରିବାକୁ ମନ ପସନ୍ଦର ମିଠା ଖୁଆଇଲେ, ଗୀତ ଗାଇ ଶୁଣାଉଥିଲେ। ଓମାଏରା ମଧ୍ୟ ସୁରକ୍ଷାକର୍ମୀଙ୍କୁ ଗୀତ ଗାଇ ଶୁଣାଇଲେ।
ଇତିମଧ୍ୟରେ ୬୦ ଘଣ୍ଟା ବିତିଗଲା। କିନ୍ତୁ ଓମାଏରା ସେମିତି ପାଣିରେ ଅଧାବୁଡ଼ା ହୋଇ ରହିଥିଲେ। ଗୀତ ଗାଉଥିଲେ। କିନ୍ତୁ ତାଙ୍କ କଅଁଳିଆ ଜୀବନକୁ ଗ୍ରାସ କରିବାକୁ କାଳ ପଛପଟୁ ଗୋଡ଼ଟାଣୁଛି ଏକଥା କାହାକୁ ଜଣା ନଥିଲା। ଦୀର୍ଘ ସମୟ ଧରି ପାଣିରେ ବୁଡ଼ି ରହିବାରୁ ଓମାଏରାଙ୍କୁ ହାଇପୋଥେର୍ମିଆ ଓ ଗେଙ୍ଗ୍ରିନ୍ ରୋଗ ହେଲା। ଧୀରେ ଧୀରେ ତାଙ୍କ ଶରୀର ପାଣିରେ ପଚିବା ସହିତ ମୁହଁ ହାତ ସବୁ ଫୁଲିବାକୁ ଲାଗିଲା। ରୋଗ ଯୋଗୁ ଯନ୍ତ୍ରଣାରେ ଛଟ୍ପଟ୍ ହେଲେ ଓମାଏରା। କିଛି ସମୟ ପରେ ନିରବି ଗଲା ଓମାଏରାଙ୍କ କଣ୍ଠ। ହାତ ଉପରକୁ ଟେକି ଆଖି ଖୋଲି ସିଏ ସିନା ସୁରକ୍ଷାକର୍ମୀଙ୍କୁ ସାହସ ଦେଉଥିଲେ କିନ୍ତୁ ସେତେବେଳକୁ ସେ ଦୁନିଆକୁ ଅଲ୍ବିଦା କହିସାରିଥିଲେ।