ବିଧାୟକ ସୌଧ ପାଇଁ ଗଛ ବଳି ମାମଲାରେ ସରକାରଙ୍କ ଜବାବ : ଅଣଜଙ୍ଗଲ ଜମି; ନିର୍ମାଣରେ ବାଧା ନାହିଁ

କଟକ,୨୯/୬ : ପ୍ରସ୍ତାବିତ ପ୍ରକଳ୍ପ ଜମିର କିସମ ହେଉଛି ଅଣ ଜଙ୍ଗଲ । ନିୟମ ଅନୁସାରେ ଏହି କିସମ ଜମିରେ ନିର୍ମାଣ ପାଇଁ କୌଣସି ପ୍ରକାର ବାଧା ନାହିଁ । ରାଜଧାନୀ ଭୁବନେଶ୍ୱରରେ ବିଧାୟକଙ୍କ ସୌଧ ନିର୍ମାଣ ପାଇଁ ବ୍ୟାପକ ଗଛ କଟାକୁ ବିରୋଧ କରି ରୁଜୁ ମାମଲାରେ ସାଧାରଣ ପ୍ରଶାସନ (ଜିଏ) ବିଭାଗ ଏହି ମର୍ମରେ ଜବାବ ଦାଖଲ କରିଛି । ତେଣୁ ସଂପୃକ୍ତ ଜମିରୁ ଗଛ କାଟି ସରକାର ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ କରିବେ ବୋଲି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି । ସେହିଭଳି ବିଧାୟକ କଲୋନୀରୁ ଗଛକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗଛଗୁଡିକର ସାନି ଗଣନା ଓ ମାପ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
କଟକର ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଆଜି ଶୁଣାଣିରେ ଜିଏ ବିଭାଗ ଉପନିର୍ଦ୍ଦେଶକ ଇତିଶ୍ରୀ ରାଉତ ସତ୍ୟପାଠ ଜରିଆରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ପ୍ରକଳ୍ପ ସଂପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସରକାରଙ୍କ ଜବାବ ଆଧାରରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରିଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀ ସେପ୍ଟେମ୍ବର ୭ ସୁଦ୍ଧା ପ୍ରତିଜବାବ ଦାଖଲ କରିବେ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ସରକାର ସତ୍ୟପାଠରେ ଦର୍ଶାଇଛନ୍ତି କି, ବିଧାୟକଙ୍କ କ୍ୱାର୍ଟର୍ସ ପାଇଁ ପ୍ରସ୍ତାବିତ ପ୍ରକଳ୍ପଟି ୧୭ ଏକର ୭୭୧ ଡେସିମିଲ୍ ଜମି ଉପରେ ଠିଆହେବ । ଏହି ଜମିଟି ସାଧାରଣ ପ୍ରଶାସନ ବିଭାଗ ମାଲିକାନାରେ ରହିଛି । ୧୯୮୭ ମସିହାରେ ଏହି ଜମିର କିସମ ଅଣଜଙ୍ଗଲ ବୋଲି ଆର୍ଓଆର୍ (ରେକର୍ଡ ଅଫ୍ ରାଇଟ୍ସ)ରେ ଉଲ୍ଲେଖ ରହିଛି । ସାବିକ୍ ବନ୍ଦୋବସ୍ତରେ ଉକ୍ତ ଜମିକୁ ତିନିଟି ବିଭାଗରେ ବର୍ଗୀକରଣ କରାଯାଇଛି । ଏହି ଜମିଟି ପୁରାତନ ପତିତ, ପକ୍କା ଘର ଏବଂ ନୟନଜୋରି ନାମରେ ରେକର୍ଡ କରାଯାଇଛି । ଏହି ସମସ୍ତ ବର୍ଗ ଅଣଜଙ୍ଗଲ କିସମ ପରିସରଭୁକ୍ତ । ହାଲ୍ ଆର୍ଓଆର୍ ଏବଂ ସାବିକ୍ ଆର୍ଓଆର୍ ଅନୁସାରେ ଯେଉଁ ଜାଗାରେ ୧୯୫ଟି ଟାଇପ୍-୬ ଏବଂ ୧୦୫ଟି ଟାଇପ୍-୭ ନିର୍ମାଣ ହେବାକୁ ଯୋଜନା ହୋଇଛି ତାହା ଅଣ ଜଙ୍ଗଲ ଜମି । ଏଠାରେ ପରିବେଶ ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସତ୍ୟପାଠରେ ରାଜ୍ୟ ସରକାର ଯୁକ୍ତି ଦର୍ଶାଇଛନ୍ତି ।
ପ୍ରକଳ୍ପ ଅଞ୍ଚଳରୁ ଗଛ କାଟିବା ନେଇ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଏକ ବୈଠକ ବସିଥିଲା । ସାଧାରଣ ପ୍ରଶାସନ, ଓବିସିସି, ଓଏଫ୍ଡିସିର ଅଧିକାରୀ, ଭୁବନେଶ୍ୱର ସିଟି ଡିଏଫ୍ଓ, ସ୍ଥାନୀୟ ରେଞ୍ଜ ଅଫିସର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକଳ୍ପ ସ୍ଥାନରେ କେତେ ଗଛ ଠିଆ ହୋଇରହିଛି ସେସବୁର ଏକ ସାନି ଆକଳନ କରାଯିବ । ପରେ ଗଛ ପ୍ରଜାତି ଓ ଆକାର ଅନୁସାରେ କେଉଁ ଗଛଗୁଡ଼ିକର ସ୍ଥାନାନ୍ତରଣ ହୋଇପାରିବ ତାକୁ ଚିହ୍ନଟ କରିବେ । କେଉଁ ସ୍ଥାନକୁ ଉକ୍ତ ଗଛଗୁଡ଼ିକ ସ୍ଥାନାନ୍ତରିତ ହୋଇ ଲାଗିବ ତାହାକୁ ଜିଏ ଏବଂ ବିଡିଏ କର୍ତ୍ତୃପକ୍ଷ ଚିହ୍ନଟ କରିବେ । ଗଛଗୁଡ଼ିକ ସ୍ଥାନାନ୍ତର ପାଇଁ ଓଏଫ୍ଡିସି ପକ୍ଷରୁ ଉନ୍ନତମାନର ମେସିନ୍ ଅଣାଯିବ ବୋଲି ଏହି ସତ୍ୟପାଠରେ କୁହାଯାଇଛି ।
ସେହିପରି ସ୍ଥାନାନ୍ତରଣ ପରେ ଗଛ କେଉଁ ସ୍ଥାନରେ ଲାଗିପାରିବ ସେ ନେଇ ଗତ ୧୩ ତାରିଖରେ ବିଡିଏ ଓ ଜିଏ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ କରାଯାଇଛି । ଯାଞ୍ଚ ଅନୁସାରେ ସ୍ଥାନୀୟ ଲୁମ୍ବିନୀ ବିହାରର ବୁଢା ପାର୍କରେ ୧୦୦ ଗଛ ଲଗାଯିବା ପାଇଁ ଜାଗା ଚିହ୍ନଟ କରାଯାଇଛି । ନିଳାଦ୍ରୀବିହାରର ଉତ୍କଳ ହସ୍ପିଟାଲ ରାସ୍ତାର ଉଭୟ ପାଶ୍ୱର୍ରେ ୪ ଶହ ଗଛ ଏବଂ ଭିଏସ୍ଏସ୍ ନଗରର ଗୁରୁ କେଳୁଚରଣ ପାର୍କରେ ୫୦ ଗଛ ରୋପଣ କରାଯାଇପାରିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି କ୍ୱାର୍ଟର୍ସ ନିର୍ମାଣ ହେବା ସ୍ଥାନରୁ ୮୭୦ଟି ଗଛ କଟାଯିବା ଲାଗି ସ୍ଥିର ହୋଇଛି ।
ଅନ୍ୟପକ୍ଷରେ ରାଜଧାନୀରେ ସରକାର ବ୍ୟାପକ ବୃକ୍ଷରୋପଣ କରିଛନ୍ତି ବୋଲି ସତ୍ୟପାଠରେ ସୂଚନା ଦିଆଯାଇଛି । ଗଲା ୫ ବର୍ଷ ଭିତରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ୩ ଲକ୍ଷ ୧୦ ହଜାର ୭୦୪ଟି ଗଛ ଲଗାଯାଇଛି । ଏହି ୫ ବର୍ଷରେ ସିଟି ଡିଏଫ୍ଓଙ୍କ ପକ୍ଷରୁ ୧ ଲକ୍ଷ ୯୫ ହଜାର ୫ଶହ ବୃକ୍ଷରୋପଣ କରାଯାଇଛି । ୫ ବର୍ଷରେ ବିଏମ୍ସି ୧୧ ହଜାର ୪୭୪ ଏବଂ ଓଏଫ୍ଡିସି ୧ ଲକ୍ଷ ୩ ହଜାର ୭୩୦ଟି ବୃକ୍ଷରୋପଣ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସରକାରଙ୍କ ଏହି ବିସ୍ତୃତ ଜବାବ ପରେ ହାଇକୋର୍ଟ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି ।