ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)କୁ ଶେଷ ଚେତାବନୀ ଦେଲା ଆଇସିସି। ଭାରତ ବିପକ୍ଷରେ ଫେବ୍ରୁଆରୀ ୧୫ରେ ହେବାକୁ ଥିବା ମ୍ୟାଚ୍ର ବୟକଟ୍ ସ୍ଥିତିରେ, ତାକୁ ଟି-୨୦ ବିଶ୍ୱକପର ସରକାରୀ ବ୍ରଡକାଷ୍ଟର ଜିଓଷ୍ଟାର ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ମଙ୍ଗଳବାର ପିସିବିର ଏକ ସୂତ୍ରରୁ ଏହା ସୂଚନା ମିଳିଛି। ପାକିସ୍ତାନ ନିଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ଫେବ୍ରୁଆରୀ ୧୫ ତାରିଖରେ କଲମ୍ବୋରେ ଅନୁଷ୍ଠିତ ହେବାକୁ ଥିବା, ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ଏପର୍ଯ୍ୟନ୍ତ ସେ ଆଇସିସିକୁ ଅଫିସିଆଲି ଭାବେ ଏହାର କାରଣ ବିଷୟରେ ସୂଚନା ଦେଇ ନାହିଁ।
ପିଟିଆଇର ରିପୋର୍ଟ ମୁତାବିକ, ଆଇସିସି ପାକିସ୍ତାନର ସମ୍ପୂର୍ଣ୍ଣ ବାର୍ଷିକ ରେଭେନ୍ୟୁ ସେୟାର ରାଶି ସ୍ଥଗିତ ରଖି ପାରେ, ଯାହା ପାଖାପାଖି ୩୫ ନିୟୁତ ଆମେରିକୀୟ ଡଲାର ଏବଂ ସେହି ପରିମାଣର ରାଶିରୁ ବ୍ରଡକାଷ୍ଟରକୁ ଦେୟ ଦିଆ ଯାଇପାରେ।
ଆହୁରି ମଧ୍ୟ ପଢନ୍ତୁ : ବିଶ୍ୱକପ୍ କଣ୍ଟ୍ରୋଭର୍ସି ଉପରେ କପିଲ ଦେବଙ୍କ ବିସ୍ଫୋରକ ବୟାନ , କହିଲେ –ପାକିସ୍ତାନ ବଡ଼ ଭୁଲ କରୁଛି ...
ପିସିବିର ଏକ ସୂତ୍ର କହିଛି ଯେ, ଯଦିଓ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଏହି ପ୍ରସଙ୍ଗରେ ସୂଚନା ଦେବା ପୂର୍ବରୁ ବୋର୍ଡର ଆଇନ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇଥିଲେ , କିନ୍ତୁ ଏହା ସତ୍ତ୍ୱେ ବୋର୍ଡ ଗମ୍ଭୀର ପରିଣାମ ପାଇଁ ନିଜକୁ ପ୍ରସ୍ତୁତ କରୁଛି।
ସୂତ୍ରରୁ ପ୍ରକାଶ ଯେ, ଯଦି ପାକିସ୍ତାନ ଭାରତ ବିପକ୍ଷରେ ଖେଳିବାର ନିଜ ନିଷ୍ପତ୍ତିରୁ ଓହରି ନଯାଏ, ତେବେ ଏହାକୁ କେବଳ ଆର୍ଥିକ ଦଣ୍ଡ ଦିଆଯିବ ନାହିଁ , ଏହାସହ ପ୍ରସାରକ (ବ୍ରଡକାଷ୍ଟର) ପକ୍ଷରୁ ମୋକଦମାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହା ବ୍ୟତୀତ, ICC ର ଡିସପୁଟ୍ ରେଜୋଲ୍ୟୁସନ କମିଟି ( DRC )କୁ ଯିବାର ପ୍ରୟାସ ମଧ୍ୟ ବିଫଳ ହେବାର ସମ୍ଭାବନା ରହିଛି। ଆଇସିସିର DRC ଏକ ଆଭ୍ୟନ୍ତରୀଣ କମିଟି, ଯାହା ନିଜ ବୋର୍ଡର ନିଷ୍ପତ୍ତି ବିରୁଦ୍ଧରେ ଅପିଲ ଶୁଣେ ନାହିଁ।